Home General ଏବେ ବି ମାଛ ଆମଦାନୀ ହେଉଛି

ଏବେ ବି ମାଛ ଆମଦାନୀ ହେଉଛି

ଭୁବନେଶ୍ୱର : ମାଛ ଉତ୍ପାଦନ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ପ୍ରୟାସ ସତ୍ୱେ ମଧୁରଜଳ ମାଛ ଉତ୍ପାଦନରେ ଆଜି ସୁଦ୍ଧା ଓଡିଶା ଆତ୍ମନିର୍ଭର ହୋଇପାରି ନାହିଁ । ଏବେ ବି ଦୈନିକ ୮୦ଟି ଟନ୍‍ରୁ ଅଧିକ ମଧୁରଜଳ ମାଛ ଅନ୍ୟ ରାଜ୍ୟରୁ ଓଡିଶାକୁ ଆମଦାନୀ ହେଉଛି ।

ରାଜ୍ୟରେ ମାଛ ବ୍ୟବହାର ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ଓଡିଶାରେ ଖାଉଟିଙ୍କର ଚାହିଦା ପୂରଣ ପାଇଁ ମୁଣ୍ଡପିଛା ବର୍ଷକୁ ୧୮ କିଲୋରୁ ସାମାନ୍ୟ ଅଧିକ ମାଛ ଆବଶ୍ୟକ । ଏହାକୁ ହିସାବକୁ ନେଲେ ରାଜ୍ୟରେ ଦୈନିକ ହାରାହାରି ୨୪୮୪ ମେଟ୍ରିକ ଟନ୍‍ ମାଛର ଆବଶ୍ୟକତା ରହିଛି । ତେବେ ଓଡିଶାରେ ଦିନକୁ ୩୨୬୪ ଯନ୍‍ ମାଛ ଉତ୍ପାଦନ ହେଉଥିବା ସରକାରୀ ଭାବେ ଦର୍ଶାଯାଉଛି ।

ଓଡିଶାରେ ଯେତିକି ମାଛ ଉତ୍ପାଦନ ହେଉଛି ତାହାର ସିଂହଭାଗ ହେଉଛି ସାମୁଦ୍ରିକ ମାଛ । ରାଜ୍ୟରେ ଲାଗିଥିବା ୪୮୦ କିଲୋମିଟର ବେଳାଭୂମିରୁ ଅଧିକରୁ ଅଧିକ ମାଛ ଉତ୍ପାଦନ ହେଉଥିବାରୁ ମଧୁର ଜଳ ମାଛ ତୁଳନାରେ ସାମୁଦ୍ରିକ ମାଛ ଉତ୍ପାଦନ ଅଧିକ ରହୁଛି । କିନ୍ତୁ ରାଜ୍ୟରେ ଲୋକେ ମଧୁରଜଳ ମାଛକୁ ଅଧିକ ସଂଖ୍ୟାରେ ଖାଇଥାନ୍ତି । ସମୁଦ୍ର ମାଛ ମଧ୍ୟରେ ସେମାନେ ଚିଙ୍ଗୁଡି ଭଳି ମାଛକୁ ବ୍ୟବହାର କରିଥାନ୍ତି । ଅନ୍ୟ ସାମୁଦ୍ରିକ ମାଛ ପ୍ରତି ଲୋକଙ୍କର ସେଭଳି ବିଶେଷ ଆଗ୍ରହ ନାହିଁ ।

ଲୋକଙ୍କର ମଧୁର ଜଳ ଆବଶ୍ୟକତା ମେଣ୍ଟାଇବାପାଇଁ ପଡୋଶୀ ରାଜ୍ୟ ବିଶେଷକରି ଆନ୍ଧ୍ରପ୍ରଦେଶରୁ ଓଡିଶାକୁ ଦୈନିକ ୮୦ ମେଟ୍ରିକ ଟନ୍‍ରୁ ଅଧିକ ମାଛ ଆମଦାନୀ ହେଉଛି । ସେହି ରାଜ୍ୟର ମାଛ ବ୍ୟବସାୟୀମାନେ ଓଡିଶା ବଜାରକୁ ଦୃଷ୍ଟିରେ ରଖି ମଧୁରଜଳ ମାଛ ଚାଷ କରୁଛନ୍ତି ଓ ତାହାକୁ ଓଡିଶାର ଖାଉଟିଙ୍କ ନିକଟରେ ପହଞ୍ଚାଉଛନ୍ତି । ଇତି ମଧ୍ୟରେ ପଡୋଶୀ ରାଜ୍ୟର ମାଛ ଚାଷୀମାନେ ଖର୍ଚ୍ଚ କମ୍‍ ପଡୁଥିବାରୁ ଓଡିଶା ଭିତରେ ଆସି ପୋଖରୀ ଠିକାରେ ନେଇ ମାଛ ଚାଷ କରୁଛନ୍ତି । ଏମାନଙ୍କ ସହିତ ଓଡିଶାର ମତ୍ସ୍ୟ ଚାଷୀମାନେ ବି ରୋହୀ, ଭାକୁଡ, ମିରକାଳି, ମାଗୁର, କଉ, ମହୁରାଳି ଭଳି ମଧୁରଜଳ ମାଛ ଚାଷ କରୁଛନ୍ତି । ହେଲେ ରାଜ୍ୟ ଭିତରେ ଉତ୍ପାଦିତ ହେଉଥିବା ମଧୁରଜଳ ମାଛ ରାଜ୍ୟର ଚାହିଦା ମେଣ୍ଟାଇ ପାରୁନାହିଁ ।

ରାଜ୍ୟରେ ମଧୁରଜଳ ମାଛ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ଥିବା ବୃହତ୍‍ ଓ ମଧ୍ୟମ ଜଳାଶୟରେ ମାଛ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦେଉଥିବାବେଳେ କେତେକ ସ୍ଥାନରେ ଯନ୍ତା ସାହାଯ୍ୟରେ ମାଛ ଚାଷ ପାଇଁ ଯୋଜନା କରିଛନ୍ତି । ପଞ୍ଚାୟତ ପୋଖରୀରେ ମାଛ ଚାଷ କରିବାକୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ଇନ୍‍ପୁଟ୍‍ ସହାୟତା ଯୋଗାଇ ଦିଆଯାଉଥିବାବେଳେ ବଡ ବଡ ପାଣିକୁଣ୍ଡରେ “ବାୟୋ ଫ୍ଲକ” ପଦ୍ଧତିରେ ସଘନ ମାଛ ଚାଷ ପାଇଁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି । ମାଛ ଯାଆଁଳ କେନ୍ଦ୍ରଗୁଡିକୁ ସହାୟତା ସହିତ ଚିଙ୍ଗୁଡିଚାଷ ପାଇଁ ନୂତନ ପୋଖରୀ ଖନନ ଦ୍ୱାରା ଖାରିପାଣି ମାଛ ଚାଷର ବିକାଶ ପାଇଁ ସହୟତା ଯୋଗାଇ ଦେଉଛନ୍ତି ।
ସେହିଭଳି ମାଛ ଚାଷକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ରୀୟ ଯୋଜନାରେ ଯାଆଁଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ସହିତ ଜଳ ଭଣ୍ଡରରେ ପଞ୍ଜୁରୀ ମଧ୍ୟରେ ମାଚ ଚାଷପାଇଁ ସହାୟତା ଯୋଗାଇ ଦିଆଯାଉଛି । ଏଥି ସହିତ ପାରମ୍ପରିକ ମାଛ ଧରାଳିଙ୍କ ପାଇଁ ଡଙ୍ଗା ଓ ଜାଲ ମଧ୍ୟ ଯୋଗାଇ ଦିଆଯାଉଛି । ଏତେ ସବୁ ସତ୍ୱେ ବି ଓଡିଶାର ଖାଉଟିମାନଙ୍କ ମଧୁରଜଳ ମାଛ ଆବଶ୍ୟକତା ପୂରଣ କରାଯାଇ ପାରୁନାହିଁ । ଏ ବାବଦରେ ବର୍ଷକୁ କୋଟି କୋଟି ଟଙ୍କା ଅନ୍ୟ ରାଜ୍ୟର ମାଛ ଚାଷୀ ଓ ବ୍ୟବସାୟୀଙ୍କ ନିକଟକୁ ଚାଲିଯାଉଛି । (ତଥ୍ୟ)