ଭୁବନେଶ୍ୱର : ପ୍ରଶାସନ କଳ ଓ ଜନଜୀବନକୁ ବିପର୍ଯ୍ୟସ୍ତ କରି ଗଣତନ୍ତ୍ରକୁ ବିପଦ ମୁହଁକୁ ଟାଣି ନେଉଥିବା ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାର ଅବସାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ସାଧାରଣ ଲୋକେ ସ୍ୱର ଉତ୍ତୋଳନ କରୁଥିବାବେଳେ ଆମ ରାଜ୍ୟ ଓ ଦେଶରେ କିନ୍ତୁ ଦୁର୍ନୀତି ମାମଲାରେ ଫଇସଲା ହାର ଢେର କମ୍ ରହୁଛି ।
ସଦ୍ୟ ପ୍ରକାଶିତ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟର କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୩ ରିପୋର୍ଟର ତଥ୍ୟ ବିଶ୍ଳେଷଣରୁ ଏହି ଉଦ୍ବେଗଜନକ ପରିସଂଖ୍ୟାନ ମିଳିଛି । ୨୦୨୩ ଶେଷ ସୁଦ୍ଧା ସାରା ଦେଶରେ ୨୯,୪୮୪ ଦୁର୍ନୀତି ମାମଲା ବିଚାର ପାଇଁ ରହିଥିବା ବେଳେ ଓଡ଼ିଶାରେ ଏହାର ସଂଖ୍ୟା ୩୭୦୫ ଥିଲା ବୋଲି ଜଣାପଡିଛି । ତେବେ ଏହି ରିପୋର୍ଟରେ ପ୍ରଦତ୍ତ ତଥ୍ୟ ମୁତାବକ ୨୦୨୩ ବର୍ଷରେ ସାରା ଦେଶରେ ମାତ୍ର ୭.୮ ପ୍ରତିଶତ ଦୁର୍ନୀତି ମାମଲା ଫଇସଲା ହୋଇଥିବାବେଳେ ୯୨.୨ ପ୍ରତିଶତ ମାମଲା ପର ବର୍ଷକୁ ଗଡ଼ିଛି । ସେହିଭଳି ଓଡ଼ିଶାରେ ୨୦୨୩ ବର୍ଷରେ ମାତ୍ର ୭.୨ ପ୍ରତିଶତ ଦୁର୍ନୀତି ମାମଲା ଫଇସଲା ହୋଇଥିବାବେଳେ ୯୨.୮ ପ୍ରତିଶତ ଏହି କିସମର ମାମଲା ୨୦୨୪କୁ ବାକିଆ ମାମଲା ଭାବେ ଆସିଛି ।
ମୋଟାମୋଟି ଭାବେ ୨୦୨୩ ବର୍ଷରେ ସାରା ଦେଶରେ ୩୧,୯୭୯ଟି ଦୁର୍ନୀତି ମାମଲା ବିଚାର ପାଇଁ ଥିବାବେଳେ ଓଡ଼ିଶାରେ ଏହି କିସମର ମାମଲା ସଂଖ୍ୟା ଥିଲା ୩୯୯୪ । ସାରା ଦେଶରେ ୨୦୨୩ ବର୍ଷରେ ମାତ୍ର ୧୦୫୨ଟି ଦୁର୍ନୀତି ମାମଲାରେ ଦଣ୍ଡ ବିଧାନ ହୋଇଥିବାବେଳେ ୧୧୭୬ଟି ମାମଲାରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିଲେ । ଓଡ଼ିଶାରେ ଉକ୍ତ ବର୍ଷରେ ୧୨୪ଟି ଦୁର୍ନୀତି ମାମଲାରେ ଦଣ୍ଡବିଧାନ କରାଯାଇଥିବାବେଳେ ୧୨୬ଟି ମାମଲାରେ ଅଭିଯୁକ୍ତ ଖଲାସ ହୋଇଯାଇଥିଲେ । ସାରା ଦେଶରେ ଉକ୍ତ ବର୍ଷରେ ଦୁର୍ନୀତି ମାମଲାରେ ଦଣ୍ଡବିଧାନ ହାର ୪୬.୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ କିନ୍ତୁ ଏହା ୪୯.୬ ପ୍ରତିଶତ ରେକର୍ଡ କରାଯାଇଛି ।
ଅନ୍ୟପକ୍ଷରେ ଗୋଆ, ମିଜୋରାମ୍ ଓ ପୁଡୁଚେରୀରେ ଦଣ୍ଡବିଧାନ ହାର ଶତ ପ୍ରତିଶତ ବୋଲି ଦର୍ଶାଯାଉଥିବାବେଳେ ଉତ୍ତରାଖଣ୍ଡରେ ୮୮.୯, ତେଲେଙ୍ଗାନାରେ ୮୧.୮, କେରଳରେ ୮୦, ଆସାମରେ ୬୬.୭, ବିହାରରେ ୫୦, ମଧ୍ୟପ୍ରଦେଶରେ ୬୯.୭, ତାମିଲନାଡୁରେ ୬୬.୨ ପ୍ରତିଶତ ମାମଲାରେ ଦଣ୍ଡବିଧାନ ରେକର୍ଡ କରାଯାଇଛି । ମହାରାଷ୍ଟ୍ରରେ ଦୁର୍ନୀତି ମାମଲାରେ ଦଣ୍ଡବିଧାନ ହାର ମାତ୍ର ୬.୧ ପ୍ରତିଶତ ଥିବାବେଳେ ଉତ୍ତରପ୍ରଦେଶରେ ୨୬.୪, ଦିଲ୍ଲୀରେ ୩୩.୩, କର୍ଣ୍ଣାଟକରେ ୨୧.୭, ହିମାଚଳରେ ୭.୪ ଓ ହରିଆନାରେ ୨୩.୧ ପ୍ରତିଶତ ରେକର୍ଡ କରାଯାଇଛି । ତେବେ ଅଧିକାଂଶ ରାଜ୍ୟରେ ବିଚାରାଧୀନ ଦୁର୍ନୀତି ମାମଲାର ୧୦ ପ୍ରତିଶତ ମଧ୍ୟ ଫଇସଲା ହୋଇନାହିଁ ।
କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୩ର ତଥ୍ୟ ମୁତାବକ ଓଡ଼ିଶାରେ ୨୦୨୧ ମସିହାରେ ୨୬୫ଟି, ୨୦୨୨ରେ ୨୮୭ଟି ଓ ୨୦୨୩ରେ ୨୬୭ଟି ଦୁର୍ନୀତି ପ୍ରତିରୋଧ ମାମଲା ରୁଜୁ ହୋଇଥିଲା । ସମଗ୍ର ଦେଶରେ ୨୦୨୧ ବର୍ଷରେ ୩,୭୪୫ଟି ଦୁର୍ନୀତି ନିବାରଣ ମାମଲା ରୁଜୁ ହୋଇଥିôବାବେଳେ ୨୦୨୨ରେ ୪,୧୩୯ ଓ ୨୦୨୩ରେ ୪,୦୬୯ଟି ଏହି କିସମର ମାମଲା ରୁଜୁ ହୋଇଥିଲା । ଶାସନ ବ୍ୟବସ୍ଥାର ବିଭିନ୍ନ ସ୍ତରକୁ ଦୁର୍ନୀତି ବ୍ୟାଧି ଭୟଙ୍କର ଭାବେ ସଂକ୍ରମିତ ହୋଇଥିବାରୁ ଏହାର ନିବାରଣ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଗୁରୁତ୍ୱାରୋପ କରି ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ଓ ଅଦାଲତ ପ୍ରତିଷ୍ଠା କରୁଥିବାବେଳେ ଫଇସଲା ହାର କିନ୍ତୁ ଅତି ନଗଣ୍ୟ ରହୁଛି । (ତଥ୍ୟ)