Home General ଦୁଗ୍ଧ ଗୁଣବତ୍ତା ନିୟମିତ ଯାଞ୍ଚ ହେଉ

ଦୁଗ୍ଧ ଗୁଣବତ୍ତା ନିୟମିତ ଯାଞ୍ଚ ହେଉ

ଭୁବନେଶ୍ୱର : ରାଜ୍ୟର ଦୁଗ୍ଧ ବ୍ୟବସାୟ କରୁଥିବା ଘରୋଇ କମ୍ପାନୀ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏମାନଙ୍କ ଦୁଗ୍ଧର ଯାଞ୍ଚ ପ୍ରତି ଛଅ ମାସରେ ଥରୁଟିଏ ହେଉଛି । ଏହିସବୁ କମ୍ପାନୀ ସହିତ ସହରରେ ଟ୍ୟାଙ୍କ୍‍ରରେ ବିକ୍ରି ହେଉଥିବା ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ନିୟମିତ ଯାଞ୍ଚ ପାଇଁ ମତପ୍ରକାଶ ପାଉଛି ।

ରାଜ୍ୟରେ ଏବେ ସରକାରୀ ସଂସ୍ଥା ଓମଫେଡ୍‍ ସମେତ ଆଉ ୮ଟି ସଂସ୍ଥା ସେମାନଙ୍କର ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ବ୍ୟବସାୟ କରୁଛନ୍ତି । ଏମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଓ ପଶ୍ଚିମବଙ୍ଗର ଗୋଟିଏ କରି ସଂସ୍ଥା ରହିଛି । ଅବଶିଷ୍ଟ ପାଞ୍ଚଟି ସଂସ୍ଥା ରାଜ୍ୟ ଭିତରର ।

ଓମଫେଡ୍‍ ସଂଗ୍ରହ କରୁଥିବା ଦୁଗ୍ଧର ଗୁଣବତ୍ତା ଯାଞ୍ଚ ପାଇଁ ଦୁଗ୍ଧ ଉତ୍ପାଦକ ସମିତିଗୁଡିକୁ ସାମ ସରଞ୍ଜାମ ଯୋଗାଇ ଦେଇଛି । ଏଥି ମଧ୍ୟରେ ଜାତୀୟ ଦୁଗ୍ଧ ଉତ୍ପାଦନ ବୋର୍ଡ ଦ୍ୱାରା ପ୍ରଦାନ କରାଯାଇଥିବା ଅପମିଶ୍ରଣ ଚିହ୍ନଟକାରୀ କିଟ୍‍ ରହିଛି । ଏଥି ସହିତ ଲାକଟୋ ସ୍କ୍ରିନ୍‍ ମେସିନ୍‍ ଯୋଗାଇ ଦିଆଯାଇଛି । ଏହା ଫଳରେ ଓମଫେଡ୍‍ ଦୁଗ୍ଧ ସଂଗ୍ରହ ସ୍ଥାନରେ ହିଁ ଏହାର ଗୁଣବତ୍ତା ସହିତ କ୍ଷୀରରେ ଥିବା ଘିଅ, ଛେନା ଓ ଅନ୍ୟାନ୍ୟ ସାମଗ୍ରୀର ପରିମାଣକୁ ସହଜରେ ଚିହ୍ନଟ କରିଥାଏ ।

ତେବେ ଘରୋଇ କମ୍ପାନୀମାନଙ୍କ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ରାଜ୍ୟର ଖାଦ୍ୟ ପରୀକ୍ଷାଗାରରେ ହୋଇଥାଏ । ଓଡିଶା ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକଙ୍କ ତଥ୍ୟ ଅନୁଯାୟୀ ଘରୋଇ କମ୍ପାନୀର ସାମଗ୍ରୀକୁ ପ୍ରତି ଛଅ ମାସରେ ଥରେ ଯାଞ୍ଚ କରାଯାଏ । ଏଥି ସହିତ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଖୁଚୁରା ବିକ୍ରୟ କେନ୍ଦ୍ରରୁ ଦୁଗ୍ଧ ଓ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀର ନିୟମିତ ଯାଞ୍ଚ କରିଥାନ୍ତି । ୨୦୨୪-୨୫ ବର୍ଷରେ ଘରୋଇ କମ୍ପାନୀମାନଙ୍କର ୨୦ଟି ନମୂନା ରାଜ୍ୟ ପରୀକ୍ଷାଗାରରେ ପରୀକ୍ଷା ହୋଇଥିବାବେଳେ ୮ଟି ନମୂନା ଘରୋଇ ପରୀକ୍ଷାଗାରରେ ହୋଇଥିଲା ।

ତେବେ ଉଭୟ ଘରୋଇ ସଂସ୍ଥା ଓ ରାଜ୍ୟ ବାହାରର ସଂସ୍ଥାମାନେ ଓଡିଶାରେ କୋଟି କୋଟି ଟଙ୍କାର ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ବିକ୍ରି କରୁଥିବାବେଳେ ଏହାର ଗୁଣବତ୍ତା ଯେଭଳି ଭାବେ ଯାଞ୍ଚ ହେବାକଥା ତାହା ହେଉନଥିବା ମତପ୍ରକାଶ ପାଉଛି । ଛଅ ମାସରେ ଥରେ ଏମାନଙ୍କ ସାମଗ୍ରୀର ଯାଞ୍ଚ ହେବା ନେଇ ଥିବା ବ୍ୟବସ୍ଥାକୁ ଖାଉଟିମାନେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ଏମାନଙ୍କ ସାମଗ୍ରୀର ଅତିର୍କିତ ଯାଞ୍ଚ ବ୍ୟବସ୍ଥା ନାହିଁ କହିଲେ ଚଳେ ।

ଉଲ୍ଲେଖନୀୟ ଯେ ରାଜ୍ୟ ବାହାରର ସଂସ୍ଥାମାନେ ସେମାନଙ୍କର ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀକୁ ଓଡିଶା ବଜାରରେ ପ୍ରତିଯୋଗିତା ମୂଳକ ଭାବେ ବ୍ୟବସାୟ କରୁଥିବାରୁ ସରକାରୀ ସଂସ୍ଥା ଓମଫେଡ୍‍ ଏଥିରେ ଏକ ପ୍ରକାର ପଛରେ ପଡିଯାଉଛି । ଏହାଦ୍ୱାରା ରାଜ୍ୟର ଦୁଗ୍ଧଚାଷୀମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ଓମଫେଡ୍‍ର ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ମାନ ଯାଞ୍ଚ ଯେଭଳି କଡାକଡି ହେଉଛି ଅନୁରୂପ ଭାବେ ସମସ୍ତ କମ୍ପାନୀର ସାମଗ୍ରୀ ଯାଞ୍ଚ ପାଇଁ ଖାଉଟିମାନେ ମତ ଦେଉଛନ୍ତି ।

ଏହାଛଡା ରାଜଧାନୀରେ କଞ୍ଚାକ୍ଷୀର ବ୍ୟବସାୟ ଭଲ ଚାଲିଥିବାରୁ ରାଜଧାନୀ ଆଖପାଖରୁ ଅନେକ ବ୍ୟବସାୟୀ ଛୋଟ ଛୋଟ କଣ୍ଟେନରରେ ଦୁଗ୍ଧ ଆଣି ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି । ଦୁଗ୍ଧ ସହିତ ଏମାନେ ପନିର୍‍, ଛେନାପୋଡ, ଘିଅ ଆଦି ବି ବିକିଲେଣି । ତେଣୁ ଖାଣ୍ଟିକ୍ଷୀର କହି ଗ୍ରାହକଙ୍କ ଠାରୁ ଅଧିକ ମୂଲ୍ୟ ନେଉଥିବା ଏହି ବ୍ୟବସାୟୀମାନଙ୍କର କ୍ଷୀରକୁ ନିୟମିତ ଯାଞ୍ଚ ପାଇଁ ମତପ୍ରକାଶ ପାଉଛି । ବିଶେଷକରି ଏମାନଙ୍କ କ୍ଷୀରରେ କେତେ ପରିମାଣରେ ପାଣି ରହୁଛି ଓ ଘିଅ ଓ ଛେନାର ପରିମାଣ କେତେ ରହୁଛି ତାହା ଖାଉଟିମାନେ ସହଜରେ ଜାଣିପାରୁ ନାହାନ୍ତି । ଏମାନଙ୍କ ବିକ୍ରୟ ଯାନ ନିକଟରେ କର୍ତ୍ତୃପକ୍ଷ ଯାଞ୍ଚ ବ୍ୟବସ୍ଥା କଲେ ଖାଉଟିମାନେ ସହଜରେ ଜାଣିପାରନ୍ତେ ବୋଲି ବହୁ ଖାଉଟି ମତ ଦେଉଛନ୍ତି । (ତଥ୍ୟ)