Home Education ସ୍କୁଲ ଅନିୟମିତତା ଧରିଲେ ସିଏଜି

ସ୍କୁଲ ଅନିୟମିତତା ଧରିଲେ ସିଏଜି

ଭୁବନେଶ୍ୱର : ବୌଦ୍ଧିକ ଅକ୍ଷମ ପିଲାଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା ବିଦ୍ୟାଳୟରେ ୧୦ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ରହିବାର ନିୟମ ଥିବାବେଳେ ଏହିସବୁ ବିଦ୍ୟାଳୟରେ କିନ୍ତୁ ଉଭୟ ଶିକ୍ଷକ ଓ ଅଣଶିକ୍ଷକ ଅଭାବ ଥିବା ସିଏଜି ଅଡିଟ୍‍ରୁ ଜଣାପଡିଛି । ଏପରିକି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ୩୬ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଛି ।

ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ବୌଦ୍ଧିକ ଅକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟଗୁଡିକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସ୍ୱୀକାର ପ୍ରଦାନ କରିବାର କ୍ଷମତା ଅଛି । ଅନ୍ୟ ବିଦ୍ୟାଳୟଗୁଡିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ଶିକ୍ଷା ଅଧିନିୟମ ଧାରା ୬(କ) ଅନଯାୟୀ ସ୍ୱୀକାର ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।

ଉକ୍ତ ବ୍ୟବସ୍ଥା ଅନୁଯାୟୀ ସମ୍ପୃକ୍ତ ବିଦ୍ୟାଳୟ ପରିଚାଳକଙ୍କ ଦ୍ୱାରା ବିଦ୍ୟାଳୟର ସଠିକ୍‍ କାର୍ଯ୍ୟକାରିତା ପାଇଁ ଭିତ୍ତିଭୂମି ତଥା ମାନବ ସମ୍ବଳ ଆବଶ୍ୟକତା ପୂରଣ କରିବାରେ ବିଫଳତା ହେଲେ ସରକାର ସ୍ୱୀକୃତି ପ୍ରତ୍ୟାହାର କରିପାରିବେ । ନିର୍ଦ୍ଦେଶାବଳୀ ଅନୁଯାୟୀ ଦୃଷ୍ଟିହୀନ, ଶ୍ରବଣ ଶକ୍ତି ଦର୍ବଳ ତଥା ବୌଦ୍ଧିକ ଅକ୍ଷମ ପିଲାମାନଙ୍କ କ୍ଷେତ୍ରରେ ଶିକ୍ଷକ ଏବଂ ଛାତ୍ର ଅନୁପାତ ୧:୧୦ ହେବ ଉଚିତ୍‍ ।

ତେବେ ସିଏଜି ଅଡିଟ୍‍ ସମୟରେ ଲକ୍ଷ୍ୟ କରାଯାଇଛି ଯେ ୬୫ଟି ନମୂନା ବିଦ୍ୟାଳୟ ମଧ୍ୟରୁ ୫୭ଟିରେ ଆବଶ୍ୟକ କର୍ମଚାରୀଙ୍କର ଅଭାବ ରହିଛି । ଏହିସବୁ ବିଦ୍ୟାଳୟରେ ୨୯୯ ଟି ବିଭିନ୍ନ ବର୍ଗର ଶିକ୍ଷକ ପଦବୀରେ ୧୯୧ କାର୍ଯ୍ୟ କରୁଛନ୍ତି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟୁ ପଢାଇବାପାଇଁ ୨୨ଟି ଶିକ୍ଷକ ପଦବୀରେ ୪ଜଣ କାର୍ଯ୍ୟ କରୁଥିବାବେଳେ୧୯ଟି ମନୋବିଜ୍ଞାନ ପଦବୀରେ ଅଛନ୍ତି ୫ଜଣ । ୨୧ଟି ସଙ୍ଗୀତ ଶିକ୍ଷକ ପଦବୀରେ ୧୨ଜଣ କାର୍ଯ୍ୟାରତ ଥିବାବେଳେ ୨୬ଟି କଳା ଶିକ୍ଷକ ପଦବୀରେ ୧୪ଜଣ କାର୍ଯ୍ୟ କରୁଛନ୍ତି ।

ଅଣଶିକ୍ଷକ ପଦବୀରେ ମଧ୍ୟ ସମାନ ଅବସ୍ଥା । ମୋଟ୍‍ ୪୦୧ ପଦବୀରେ କାର୍ଯ୍ୟ କରୁଛନ୍ତି ମାତ୍ର ୨୫୧ ଜଣ । ଅର୍ଥାତ୍‍ ଏହିସବୁ ପଦବୀରେ ୩୭ ପ୍ରତିଶତ ପଦବୀ ଖାଲି ପଡିଛି । ସିଏଜି ଦର୍ଶାଇଛନ୍ତି ଯେ ଆରମ୍ଭରୁ ଛଅଟି ବିଦ୍ୟାଳୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ସ୍ୱୀକୃତି ପାଇନଥିଲେ । ଏହା ସତ୍ୱେ ସେମାନଙ୍କୁ ଗ୍ରାଣ୍ଟ ଇନ୍‍ ଏଡ୍‍ ବାବଦରେ ୧.୮୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ।

ସେହିଭଳି ସିଏଜି ଦର୍ଶାଇଛନ୍ତି ଯେ ବିଦ୍ୟାଳୟଗୁଡିକର ବାର୍ଷିକ ଯାଞ୍ଚ ରିପୋର୍ଟରେ ମାନବ ସମ୍ବଳର ଉପଲବ୍ଧତା ଅଭାବକୁ ଡିସଏଓ ଦ୍ୱାରା ସୂଚିତ କରାଯାଇନଥିଲା । ତେଣୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ବିଦ୍ୟାଳୟଗୁଡିକର ମାନ୍ୟତା ଜାରି ରଖିବା ସମୀକ୍ଷା କରାଯାଇପାରିନଥିଲା । ଫଳ ସ୍ୱରୂପ ବିଦ୍ୟାଳୟଗୁଡିକ ଦ୍ୱାରା ଆବଶ୍ୟକ ସର୍ତ୍ତ ପୂରଣ ହେବା ନିଶ୍ଚିତ କରିବା, ସ୍ୱୀକୃତି ପ୍ରଦାନ ଏକ ନିୟନ୍ତ୍ରକ ପ୍ରଣାଳୀ ପ୍ରଭାବହୀନ ହୋଇଥିଲା । (ତଥ୍ୟ)