Home General ଆଶାୟୀଙ୍କ ଆଶା ମଉଳୁଛି

ଆଶାୟୀଙ୍କ ଆଶା ମଉଳୁଛି

ଭୁବନେଶ୍ୱର : ସେପ୍ଟେମ୍ବର ୩୦ ପୂର୍ବରୁ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ସହ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ବୋର୍ଡ ଓ ନିଗମଗୁଡ଼ିକର ଅଧ୍ୟକ୍ଷ ଓ ସଦସ୍ୟ ପଦବୀ ଏବଂ ଆଇନ୍‍ ଅଦାଲତଗୁଡ଼ିକରେ ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି ଓଡ଼ିଶା ଶାଖା ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଗଣମାଧ୍ୟମରେ ପୂର୍ବରୁ ଦେଇଥିବା ବିବୃତି ଘେନି ଆଶାୟୀମାନଙ୍କ ମନରେ ପୂଜା ଭେଟି ପାଇବାର ଯେଉଁ ଆନନ୍ଦ ପ୍ରକାଶ ପାଇଥିଲା ତାହା ନିରାଶାରେ ପରିଣତ ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ଜଣ ପର୍ଯ୍ୟନ୍ତ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିବାବେଳେ ୨୦୨୪ ଜୁନ୍‍ ୧୨ ତାରିଖରେ ମନ୍ତ୍ରିମଣ୍ଡଳ ଗଠନ ବେଳେ ୧୬ଜଣଙ୍କୁ ସ୍ଥାନ ମିଳିଥିଲା । ଇତିମଧ୍ୟରେ ନୂଆ ସରକାର ଗଢ଼ାଯିବାର ୧୬ମାସ ପୂରିବାକୁ ଯାଉଥିବାବେଳେ ୧୬ଜଣିଆ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଘଟୁନଥିବାରୁ ମନ୍ତ୍ରୀ ପଦବୀ ପାଇଁ ଆଶାୟୀ ବିଧାୟକମାନେ ଅନାଇ ବସିଛନ୍ତି । ବିଶେଷକରି ଯେଉଁମାନେ ଭିନ୍ନ ଦଳରୁ ଆସି ବିଜେପିରେ ଯୋଗଦେଇ ବିଧାୟକମାନେ ନିର୍ବାଚିତ ହୋଇଛନ୍ତି ଏବଂ ଆଉ ଯେଉଁ ସ୍ୱାଧୀନ ବିଧାୟକମାନେ ସରକାରଙ୍କୁ ସମର୍ଥନ କରୁଛନ୍ତି ସେମାନଙ୍କ ମଧ୍ୟରୁ କେହି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନାହାନ୍ତି ।

ଏମିତିକି ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରୁ ପରାସ୍ତ କରିଥିବା ବିଜେପି ବିଧାୟକ ଲକ୍ଷ୍ମଣ ବାଗ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ବୋଲି ସେତେବେଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ଶେଷରେ ତାଙ୍କ ନାମ ତାଲିକାରୁ କଟିଯାଇଥିଲା । ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ବହୁ ନେତା ମଞ୍ଚରେ ଉପସ୍ଥିତ ଥିଲେ ।

ରାଜ୍ୟ ଯୋଜନା ବୋର୍ଡ ଓ ଜିଲ୍ଲା ଯୋଜନା କମିଟିଗୁଡ଼ିକ ଓଡ଼ିଶା ପାଇଁ ଯୋଜନା ପ୍ରଣୟନ ସହିତ ଏହାର ରୂପାୟନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କେନ୍ଦ୍ର ସରକାର ଯୋଜନା କମିଶନକୁ ଭାଙ୍ଗିଦେଇ ତାହା ସ୍ଥାନରେ ନୀତି ଆୟୋଗ ସ୍ଥାପନ କରିଛନ୍ତି । ସେହି ଢାଞ୍ଚାରେ ଓଡ଼ିଶାରେ ଯୋଜନା ବୋର୍ଡ ପୁନଃଗଠିତ ହେବ ବୋଲି ଆଶା କରାଯାଉଥିଲା । ରାଜ୍ୟ ଯୋଜନା ବୋର୍ଡକୁ ନୂଆ ସରକାର ଭାଙ୍ଗି ଦେଇଥିବାବେଳେ ଜିଲ୍ଲା ଯୋଜନା କମିଟିଗୁଡ଼ିକର କେହି ମୁଖିଆ ନାହାନ୍ତି । ପୂର୍ବ ସରକାର ଅମଳରେ କେତେକ ଜିଲ୍ଲାରେ ଯୋଜନା କମିଟିର ମୁଖ୍ୟ ଭାବେ ମନ୍ତ୍ରୀମାନଙ୍କୁ ଦାୟିତ୍ୱପ ଦିଆଯାଇଥିବାବେଳେ ଆଉକେତେକ ଜିଲ୍ଲାରେ ଶାସକ ଦଳର ବିଧାୟକମାନଙ୍କୁ ମନ୍ତ୍ରୀ ପାହ୍ୟାର ମର୍ଯ୍ୟାଦା ଦେଇ ଜିଲ୍ଲାଯୋଜନା କମିଟି ଅଧ୍ୟକ୍ଷ ରଖାଯାଇଥିଲା । ରାଜ୍ୟ ମନ୍ତ୍ରିମଣ୍ଡଳ ପୁନର୍ଗଠନ ପରେ ଜିଲ୍ଲା ଯୋଜନା କମିଟିଗୁଡ଼ିକର ମୁଖିଆ ଚୟନ ହେବେ ବୋଲି ବର୍ଷାଧିକ କାଳ ଧରି ଚର୍ଚ୍ଚା ଚାଲିଛି । କିନ୍ତୁ ଏଯାବତ୍‍ ରାଜ୍ୟ ଯୋଜନାବୋର୍ଡ କିମ୍ବା ଜିଲ୍ଲା ଯୋଜନା କମିଟିଗୁଡ଼ିକର ପୁନର୍ଗଠନ କରାଯାଇପାରି ନାହିଁ ।

ସେହିଭଳି ନୂଆ ସରକାର ଆସିବା ପରେ ପୂର୍ବ ସରକାର ଅମଳର ବିଭିନ୍ନ ସରକାରୀ ନିଗମ ଓ ବୋର୍ଡଗୁଡ଼ିକର କର୍ମକର୍ତ୍ତାମାନେ ଇସ୍ତଫା ଦେଇଥିଲେ । କେତେକ କ୍ଷେତ୍ରରେ ଏଗୁଡ଼ିକୁ ମଧ୍ୟ ସରକାର ଭାଙ୍ଗି ଦେଇଥିଲେ । ତେବେ ଇତିମଧ୍ୟରେ ରାଜ୍ୟ ମହିଳା କମିଶନ ଓ ଶିଶୁସୁରକ୍ଷା ଅଧିକାର କମିଶନ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ପୁନର୍ଗଠିତ ହୋଇଥିବାବେଳେ ଭିନ୍ନକ୍ଷମ ସୁରକ୍ଷା କମିଶନ ସମେତ ଅନ୍ୟାନ୍ୟ ନିଗମ ଓ ବୋର୍ଡଗୁଡ଼ିକରେ ରାଜନୈତିକ ନିଯୁକ୍ତି ଦିଆଯାଇପାରି ନାହିଁ । ବିଭିନ୍ନ ସମୟରେ ଦଳୀୟ ନେତାମାନେ ଏ ସଂକ୍ରାନ୍ତରେ ମତ ରଖୁଥିବାବେଳେ ଓଡ଼ିଶା ପ୍ରଦେଶ ବିଜେପିର ପ୍ରଭାରୀ ଗତମାସର ପ୍ରଥମାର୍ଦ୍ଧରେ ସୂଚନା ଦେଇଥିଲେ ଯେ ମାସ ଶେଷ ସୁଦ୍ଧା ଏ ସବୁଥିରେ ନିଯୁକ୍ତି ଦିଆଯିବ ବୋଲି । କିନ୍ତୁ ଏହା ହୋଇପାରିନଥିବାରୁ ଗତ ସରକାର ସମୟରେ ବିଜେଡି ଆଇନ୍‍ଜୀବୀ ସାମ୍ମୁଖ୍ୟର ଯେଉଁମାନେ ବିଭିନ୍ନ ଅଦାଲତରେ ସରକାରୀ ଓକିଲ ଥିଲେ ସେମାନେ ଏବେ ବି ବିଜେପି ସରକାରରେ ସେହି ଦାୟିତ୍ୱରେ ରହିଛନ୍ତି । ଇତି ମଧ୍ୟରେ ଦଶହରା ସରିଥିବାବେଳେ ଅନକେ ଆଶାୟୀ ଦୀପାବଳୀ ଭେଟିକୁ ଚାହିଁ ବସିଛନ୍ତି । (ତଥ୍ୟ)