Home Administration ଲକ୍ଷାଧିକ ସରକାରୀ ପଦବୀ ଖାଲି

ଲକ୍ଷାଧିକ ସରକାରୀ ପଦବୀ ଖାଲି

ଭୁବନେଶ୍ୱର : ସରକାରୀ ଚାକିରି କ୍ଷେତ୍ରରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଯେତେ ସଂଖ୍ୟକ କର୍ମଚାରୀ ରହିବା କଥା ତାହାଠାରୁ ଢେର କମ୍‍ ନିଯୁକ୍ତି ପାଇଛନ୍ତି । କିନ୍ତୁ ଗୋଟିଏ ପଟେ ବେକାରୀ ସମସ୍ୟା ଉତ୍କଟତର ହେଉଥିବାବେଳେ ଅନ୍ୟପଟେ ସରକାରୀ ପଦପଦବୀ ଲକ୍ଷାଧିକ ସଂଖ୍ୟାରେ ଖାଲି ପଡିଥିଲେ ମଧ୍ୟ ବିଭିନ୍ନ ଆଳରେ ପଦବୀ ପୂରଣ ହେଉନଥିବାରୁ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ବର୍ଗର ଚାକିରି ପ୍ରତ୍ୟାଶୀ ଏବଂ ସେମାନଙ୍କ ପରିବାର ବର୍ଗ ଗଭୀର ମନସ୍ତାପ ଭିତରେ ଗତି କରିବାକୁ ବାଧ୍ୟ ହେଉଛନ୍ତି ।

ଗତବର୍ଷ ଆରମ୍ଭ ବେଳକୁ ରାଜ୍ୟରେ ବିଭିନ୍ନ ପାହ୍ୟାର ମଞ୍ଜୁରୀପ୍ରାପ୍ତ ସରକାରୀ ପଦପଦବୀ ସଂଖ୍ୟା ୫,୯୬,୬୪୭ ଥିବାବେଳେ ଏଥିରୁ ୨,୦୫,୨୨୮ଟି ପଦବୀ ଖାଲି ପଡିଥିଲା । ସେତେବେଳ ସୁଦ୍ଧା ପ୍ରଥମ ଶ୍ରେଣୀ ପାହ୍ୟାର ୧୯,୨୯୯, ଦ୍ୱିତୀୟ ଶ୍ରେଣୀ ପାହ୍ୟାର ୪୪,୮୮୬; ତୃତୀୟ ଶ୍ରେଣୀ ପାହ୍ୟାର ୧,୦୪,୦୪୨ ଓ ଚତୁର୍ଥ ଶ୍ରେଣୀ ପାହ୍ୟାରେ ୩୭,୦୦୧ ପଦବୀ ଖାଲି ଥିଲା । ଅର୍ଥାତ୍‍ ସେତେବେଳେ ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ସରକାରୀ ଚାକିରିର ୩୪ ପ୍ରତିଶତରୁ ଅଧିକ ଖାଲି ପଡିଥିଲା । ଏବେ ଇତିମଧ୍ୟରେ ପ୍ରତି ମାସରେ ବ୍ୟାପକ ସଂଖ୍ୟକ ସରକାରୀ ଚାକିରି ଅବସର ଓ ଅନ୍ୟାନ୍ୟ କାରଣରୁ ଖାଲି ହେଉଥିବାବେଳେ ଅବଶ୍ୟ କିଛିକିଛି ପଦବୀ ପୂରଣ ହେଉଛି ।

ଗତ ଅକ୍ଟୋବର ସୁଦ୍ଧା ସରକାରୀ ତଥ୍ୟ ମୁତାବକ ପ୍ରଥମ ଶ୍ରେଣୀ ପାହ୍ୟାରେ ୨୪,୫୮୯ କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ଅନୁସୂଚିତ ଜାତି ବର୍ଗର ମାତ୍ର ୧୬୯୬ ଓ ଅନୁସୂଚିତ ଜନଜାତି ବର୍ଗର ୧୭୩୮ ଜଣ କାର୍ଯ୍ୟରେ ଥିଲେ । ସେହିଭଳି ଦ୍ୱିତୀୟ ଶ୍ରେଣୀ ପାହ୍ୟାର କର୍ମଚାରୀଙ୍କ ସଂଖ୍ୟା ୯୮,୮୨୬ ଥିବାବେଳେ ସେମାନଙ୍କ ଭିତରୁ ଏହି ଦୁଇବର୍ଗର ସଂରକ୍ଷିତ କର୍ମଚାରୀଙ୍କ ସଂଖ୍ୟା ଯଥାକ୍ରମେ ୮୦୯୮ ଓ ୭୭୧୨ ରହିଥିଲା । ସେହିଭଳି ଗତ ଅକ୍ଟୋବର ସୁଦ୍ଧା ତୃତୀୟ ଶ୍ରେଣୀ ପାହ୍ୟାରେ ମାତ୍ର ୨୭,୪୫୮ଜଣ ଏସ୍‍ସି ଓ ୩୨,୧୯୭ଜଣ ଏସ୍‍ଟି କର୍ମଚାରୀ ଥିବାବେଳେ ଚତୁର୍ଥ ଶ୍ରେଣୀ ପାହ୍ୟାରେ ୪୬୨୧ ଏସ୍‍ସି ଓ ୩୬୦୨ ଏସ୍‍ଟି କର୍ମଚାରୀ ଥିଲେ ।

ସଂରକ୍ଷିତ ବ୍ୟବସ୍ଥା ଅନୁଯାୟୀ ଏସ୍‍ସି ବର୍ଗଙ୍କ ପାଇଁ ୧୬.୨୫, ଏସ୍‍ଟିଙ୍କ ଲାଗି ୨୨.୫ ଓ ଏସ୍‍ସିବିସିଙ୍କ ପାଇଁ ୧୧.୨୫ ପ୍ରତିଶତ ଚାକିରି ସଂରକ୍ଷିତ ରହିଛି । ତେବେ ସଂରକ୍ଷିତ ବର୍ଗର ଯେଉଁମାନେ ଦକ୍ଷତା, ଯୋଗ୍ୟତା ଓ ବରିଷ୍ଠତା ଆଧାରରେ ଉପଯୁକ୍ତ ବିବେଚିତ ହେବେ ସେମାନେ ଅଣସଂରକ୍ଷିତ ଆସନରେ ମଧ୍ୟ ନିଜ ଯୋଗ୍ୟତା ଆଧାରରେ ନିଯୁକ୍ତି ପାଇପାରିବେ । ଏସବୁ ସତ୍ତ୍ୱେ ଗତ ଅକ୍ଟୋବର ସୁଦ୍ଧା ରାଜ୍ୟରେ ମୋଟ କର୍ମଚାରୀ ସଂଖ୍ୟାର ମାତ୍ର ୯.୩୧ ପ୍ରତିଶତ ଏସ୍‍ସି, ୧୦.୦୬ ପ୍ରତିଶତ ଏସ୍‍ଟି ଓ ୧୦.୮୨ ପ୍ରତିଶତ ଏସ୍‍ସିବିସି ବର୍ଗର କର୍ମଚାରୀ ସରକାରୀ ଚାକିରିରେ ରହିଛନ୍ତି ।

ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟା ଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟ ବିଧାନସଭାରେ ଗତବର୍ଷ ନଭେମ୍ବର ୨୯ ତାରିଖରେ ଉପରୋକ୍ତ ପରିସଂଖ୍ୟାନ ଦିଆଯାଇଛି । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ଏସ୍‍ସି ଓ ଏସ୍‍ଟି ଗବେଷଣା ଓ ତାଲିମ ସଂସ୍ଥାନ ଯେଉଁ କ୍ୱାଣ୍ଟିଫିଏବଲ୍‍ ଡାଟା ପ୍ରସ୍ତୁତ କରିଛନ୍ତି ସେଥିରେ ବି ସଂରକ୍ଷିତ ବର୍ଗର ପ୍ରତିନିଧିତ୍ୱ ସରକାରୀ ଚାକିରି କ୍ଷେତ୍ରରେ କମ୍‍ ଥିବା ଦର୍ଶାଯାଇଛି । ଏବେ ଗୋଟିଏ ପଟେ ସଂରକ୍ଷିତ ବର୍ଗର ଲୋକେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଆସନ ପୂରଣ ସହିତ ଯୋଗ୍ୟତା ଓ ଦକ୍ଷତା ଭିତ୍ତିରେ ଅନ୍ୟ ପଦବୀରେ ମଧ୍ୟ ନିଯୁକ୍ତି ପାଇଁ ଚାପ ବଢ଼ାଉଥିବା ବେଳେ ଅଣସଂରକ୍ଷିତ ବର୍ଗର ଚାକିରି ପ୍ରତ୍ୟାଶୀମାନେ ମଧ୍ୟ ପଦବୀ ପୂରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଅନ୍ୟପକ୍ଷରେ ବରିଷ୍ଠ ଅଧିକାରୀମାନେ କହୁଛନ୍ତି ଯେ ବହୁ ପଦପଦବୀ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ଭିତ୍ତିରେ ପୂରଣ କରିବା ବେଳେ ବିଭିନ୍ନ କାରଣରୁ ବହୁ ମାମଲା ରୁଜୁ ହେଉଥିବାରୁ ପଦବୀ ପୂରଣ କ୍ଷେତ୍ରରେ ବିଳମ୍ବ ଘଟୁଛି ।(ତଥ୍ୟ)