ଭୁବନେଶ୍ୱର : ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରତି ପଂଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏ ସଂପର୍କିତ ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ। ଜାତୀୟ ଶିକ୍ଷା ନୀତି ଓ ଶିକ୍ଷା ଅଧିକାର ଆଇନର ଉଦ୍ଦେଶ୍ୟ ପୂରଣ କରିବାକୁ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରତି ପଂଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ପର୍ଯ୍ୟାୟରେ ୩ ବର୍ଷରେ ୨୨୦୦ ଟି ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ । ଏଥିପାଇଁ ଖର୍ଚ୍ଚ ହେବ ୧୨ ହଜାର କୋଟି ଟଙ୍କା। ବିଦ୍ୟାଳୟ ପିଛା ଖର୍ଚ୍ଚ ହେବ ୫ କୋଟିରୁ ଅଧିକ ଟଙ୍କା। ଗୁଣାତ୍ମକ ଶିକ୍ଷା, ଭିତ୍ତିଭୂମି, ଶିକ୍ଷକ ନିଯୁକ୍ତି କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯିବ।
ପ୍ରତ୍ୟେକ ସ୍କୁଲ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଆଧାରରେ ପ୍ରକୃତ ଖର୍ଚ୍ଚ ନିର୍ଣ୍ଣୟ କରାଯିବ । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଓଡ଼ିଶାରେ ଏକ ଅନ୍ତର୍ଭୁକ୍ତି ମୂଳକ ଏବଂ ଗୁଣାତ୍ମକ ଶିକ୍ଷା ଇକୋସିଷ୍ଟମ ଗଠନ କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପ, ସମାନ ଶିକ୍ଷା ସୁଯୋଗ ଏବଂ ପ୍ରତ୍ୟେକ ପିଲାର ମୌଳିକ ସଶକ୍ତିକରଣ ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବ ବୋଲି ସେ କହିଛନ୍ତି ।