Home Energy ୧୫ ପ୍ରତିଶତ ଲକ୍ଷ୍ୟ ପୂରଣ ହେଉନି

୧୫ ପ୍ରତିଶତ ଲକ୍ଷ୍ୟ ପୂରଣ ହେଉନି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ରାଜ୍ୟରେ ଯେତିକି ଲକ୍ଷ୍ୟ ଧାର୍ଯ୍ୟ ହେଉଛି ତାହାର ୧୫ ପ୍ରତିଶତ ବି ପୂରଣ ହେଉନାହିଁ । ଏଥିପାଇଁ ସରକାର ବଜେଟରେ ସବସିଡ୍‍ ରାଶି ରଖୁଥିଲେ ମଧ୍ୟ ତାହା ଖର୍ଚ୍ଚ ହୋଇପାରୁ ନାହିଁ ।

୨୦୨୪-୨୫ ବର୍ଷରେ ଏହି ଯୋଜନାରେ ରାଜ୍ୟରେ ୩୦ହଜାର ହିତାଧିକାରୀଙ୍କ ଘରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ହେଲେ ମାତ୍ର ୩୬୨୬ ଜଣଙ୍କ ଘରେ ଏହା ସ୍ଥାପନ ହୋଇଛି । ବିଧାନସଭାରେ ଖୋଦ୍‍ ଶକ୍ତିମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ ଗୋଟିଏ ବର୍ଷରେ ମାତ୍ର ୩୬୨୬ ଜଣ ହିତାଧିକାରୀଙ୍କ ଘରେ ସୌର ପ୍ରକଳ୍ପ ବସିଥିବାବେଳେ ଏ ବାବଦରେ କେନ୍ଦ୍ର ସରକାର ୧୯.୮୧ କୋଟି ଟଙ୍କା ଏବଂ ରାଜ୍ୟ ସରକାର ତାଙ୍କର ଅଂଶ ବାବଦରେ ୨୫.୩୧ କୋଟି ଟଙ୍କାର ସବସିଡ୍‍ ପ୍ରଦାନ କରିଛନ୍ତି ।

ଏହି ଯୋଜନାରେ ନିଜ ଘରେ ସୌର ପ୍ରକଳ୍ପ ବସାଇବାପାଇ ରାଜ୍ୟରେ ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୯୯,୭୯୪ ଜଣ ଆବେଦନ କରିଥିବାବେଳେ ଏଥି ମଧ୍ୟରୁ ୩୬୨୬ ଜଣ ପ୍ରକଳ୍ପ ସ୍ଥାପନରେ ସଫଳ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ୧୩୪୦ଜଣ ଖୋରଧା ଜିଲ୍ଲାରେ ଥିବାବେଳେ ମାଲକାନଗିରିରେ ୨ଜଣ, ନବରଙ୍ଗପୁର ଓ କନ୍ଧମାଳରେ ୩ଜଣ କରି, ଦେବଗଡ ଓ ରାୟଗଡାରେ ୯ଜଣ କରି ରହିଛନ୍ତି ।

ତେବେ ସୌର ପ୍ରକଳ୍ପ ସ୍ଥାପନ କରିଥିବା ୩୬୨୬ ଜଣ ହିତାଧିକାରୀଙ୍କ ମଧ୍ୟରୁ ୨୬୧୦ଜଣ ସବସିଡ୍‍ ଅର୍ଥ ପାଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ମାତ୍ର ୩ଜଣ ହିତାଧିକାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ମାର୍ଚ୍ଚ ଶେଷସୁଦ୍ଧା ଜଣେ ହେଲେ ସବସିଡ୍‍ ପାଇନଥିବା ଜଣାଯାଇଛି ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ଆଶାନୁରୂପ ଅଗ୍ରଗତି ନହେବାର କାରଣ ସଂକ୍ରାନ୍ତରେ ଦର୍ଶାଯାଇଛି ଯେ ଏଥିପାଇଁ ପ୍ରଥମେ ଅଧିକ ଅର୍ଥ ଦେବାକୁ ପଡୁଥିବାରୁ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏଥି ସହିତ ବ୍ୟାଙ୍କ୍‍ମାନେ ଏହି ଯୋଜନାରେ ଋଣ ଦେବାକୁ ଅମଙ୍ଗ ହେବା, ସୋଲାର ପ୍ୟାନେଲ ଯୋଗାଣ ଶୃଙ୍ଖଳରେ ଅନିୟମିତତା ଓ ଡିସିଆର ସୌର ପ୍ୟାନେଲର ସୀମିତ ଉପଲବ୍ଧତାକୁ ମଧ୍ୟ କାରଣ ଭାବେ ଦର୍ଶାଯାଉଛି ।

ବର୍ତ୍ତମାନ ଯୋଜନା ପ୍ରତି ଲୋକଙ୍କୁ ଆକୃଷ୍ଟ କରିବାପାଇଁ ସରକାର ୩ଲକ୍ଷ ହିତାଧିକାରୀଙ୍କ ଛାତ ଉପରେ ୧ କିଲୋୱାଟ ସୌର ପ୍ୟାନେଲ ସ୍ଥାପନର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୮୫୦୦ ଟଙ୍କା ହିତାଧିକାରୀଙ୍କୁ ଦେବାକୁ ପଡିବ । ଏଥିରେ ସୌର ମିଟରର ମୂଲ୍ୟ ରହିଛି । ତେବେ ବିଜୁଳି ବଣ୍ଟନକାରୀ କମ୍ପାନୀ ତାହାର ବିଜ୍ଞାପନରେ ୫୦୦୦ ଟଙ୍କାକୁ ଜୋରଦାର ଭାବେ ପ୍ରଚାର କରୁଥିବାବେଳେ ସୋଲାର ମିଟର କଥା ସ୍ପଷ୍ଟ କରୁନଥିବା ଦେଖିବାକୁ ମିଳୁଛି । ସେହିଭଳି ୧ କିଲୋୱାଟ ପ୍ରକଳ୍ପ ପାଇଁ ଗୋଟିଏ ମହଲା ଛାତଘରକ ଅଗ୍ରାଧିକାର ଦିଆଯାଉଛି । ବିଜୁଳି ବଣ୍ଟନକାରୀ କମ୍ପାନୀଗୁଡିକର ଅବହେଳା ଯୋଗୁଁ ରାଜ୍ୟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଆଗେଇ ପାରୁନାହିଁ ବୋଲି ଭେଣ୍ଡରମାନେ ମଧ୍ୟ ମତ ଦେଉଛନ୍ତି । (ତଥ୍ୟ)