ଭୁବନେଶ୍ୱର : କୋରାପୁଟ ଜିଲ୍ଲାରେ ନାଲ୍କୋ ପକ୍ଷରୁ ଜବରଦଖଲ ହୋଇଥିବା ଜମିର ଲିଜ୍ ମାମଲାକୁ ଚୂଡାନ୍ତ କରିବାପାଇଁ ସରକାରୀକଳୁ ୩୯ବର୍ଷ ଲାଗିଗଲା । ଏଭଳି ବିଳମ୍ବ ଯୋଗୁଁ ନାଲ୍କୋ କର୍ତ୍ତୃପକ୍ଷ ଅନଧିକୃତ ଜବରଦଖଲ ସତ୍ୱେ ଜମିର ମୂଲ୍ୟ ବାବଦରେ ୧.୩୫ କୋଟି ଟଙ୍କା ଜମା କରିନଥିଲା । ଏଭଳି ବିଳମ୍ବ ଜନିତ ତ୍ରୁଟିକୁ ସିଏଜି ଧରିଛନ୍ତି ।
ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଛନ୍ତି ଯେ ୧୯୮୧-୮୨ ମସିହାରେ ନାଲ୍କୋ ୨୯.୫୮ଏକର ସରକାରୀ ଜମିର ଲିଜ୍ ପାଇଁ ଆବେଦନ କରିଥିଲା । ଏହି ଆବେଦନ ବିଚାରାଧିନ ଥିବାବେଳେ ଏବଂ କ୍ଷମତାସମ୍ପନ୍ନ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମୋନ ବିନା ନାଲ୍କୋ ସେହି ସମୟରୁ ଉକ୍ତ ଜମିକୁ ଜବରଦଖଲ କରିଆସୁଛି । ମିଳିଥିବା ରେକର୍ଡରୁ ସିଏଜି ଜାଣିବାକୁ ପାଇଛନ୍ତି ଯେ ୧୯୮୨ ଠାରୁ ତହସିଲଦାରଙ୍କ ଦ୍ୱାରା ଲିଜ୍ ମାମଲା ବହୁବାର ଦାଖଲ କରାଯାଇଥିଲା ଯେଉଁଥରେ ଲିଜ୍ ମଞ୍ଜୁର ପାଇଁ ସୁପାରିଶ୍ କରାଯାଇଥିଲା ।
ତଥାପି ପରବର୍ତ୍ତୀ ଉଚ୍ଚ ଅଧିକାରୀମାନେ ବିଭିନ୍ନ ତ୍ରୁଟି ଦର୍ଶାଇ ସୁପାରିଶ୍ଗୁଡିକୁ ଗ୍ରହଣ କରିନଥିଲେ । ଏହି ସମୟରେ ରାଜସ୍ୱ ଅଧିକାରୀଙ୍କ ନିର୍ଦ୍ଦେଶର ଜବାବରେ ନାଲ୍କୋ ଲିଜ୍ ପାଇଁ ଆବେଦନ କରାଯାଇଥିବା ଜମି ବାବଦରେ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ପ୍ରିମିୟମ, ଭଡା, ପଛୁଆ ଭଡା, ସୁଧ ଏବଂ ଜରିମାନା ଯଦି କିଛି ଥାଏ ତାହା ପ୍ରଦାନ କରିବାକୁ ୨୦୧୫ରେ ଏକ ଲିଖିତ ପ୍ରତିଶ୍ରୁତି ଦାଖଲ କରିସାରିଥିଲା ।
ତେବେ ପୂର୍ବରୁ ଦର୍ଶାଯାଇଥିବା ତ୍ରୁଟି ଦୂର କରିବାପରେ ଏପ୍ରିଲ ୨୦୨୧ରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦ୍ୱାରା ଲିଜ୍ ମଞ୍ଜୁର କରାଯାଇଥିଲା । ମଞ୍ଜୁରୀ ନିୟମାବଳୀ ଅନୁଯାୟୀ ଏହି ଆଦେଶର ବୈଧତା ଛଅମାସ ଥିଲା, ଯେଉଁଥିରେ ନାଲ୍କୋ ସୁଧ ସହିତ ୨୦୨୦-୨୧ ବର୍ଷ ପର୍ଯ୍ୟନ୍ତ ୧.୩୫ କୋଟି ଟଙ୍କା ଜମା କରିବାକୁ ଏବଂ ଏକ ଲିଜ୍ ଡିଡ୍ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା । ତଥାପି ନାଲ୍କୋ ଏହି ପରିମାଣ ଜମା କରିନଥିଲା । ତେଣୁ ଲିଜ୍ ଡିଡ୍ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।
ଏହି ପରିପ୍ରେକ୍ଷୀରେ ସିଏଜି ଦର୍ଶାଇଛନ୍ତି ଯେ ରାଜସ୍ୱ ଅଧିକାରୀ ଯଥା ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ ଏବଂ ଦକ୍ଷିଣାଞ୍ଚଳ ଆରଡିସି ୧୯୮୧-୮୨ ମସିହାରେ ଆରମ୍ଭ ହୋଇଥିବା ଲିଜ୍ ମାମଲାକୁ ଚୂଡାନ୍ତ କରିବାପାଇଁ ପ୍ରାୟ ୩୯ବର୍ଷ ସମୟ ନେଇଥିଲେ । ଏଭଳି ସମୟ ନେତା ଅଯଥା ଏବଂ ରାଜସ୍ୱ ଅଧିକାରୀଙ୍କ ଅବହେଳାର ପରିଚାୟକ ଥିଲା ।
ଲିଜ୍ ମାମଲା ବିଚାରାଧିନ ଥିବାବେଳେ ବିନା ଅନୁମତିରେ ନାଲକୋ ଜମି ଦଖଲ କରିଥିଲେ ମଧ୍ୟ କୌଣସି ଜବରଦଖଲ ମାମଲା ଦାୟର କରାଯାଇନଥିଲା । ଅପ୍ରେଲ ୨୦୨୧ରେ ଲିଜ୍ ମଞ୍ଜୁର ହେବାର ଛଅ ମାସ ମଧ୍ୟରେ ନାଲକୋ ଦ୍ୱାରା ଜମିର ମୂଲ୍ୟ ଜମା ନକରିବାପରେ ମଧ୍ୟ ଓପିଏଲଇ ଆଇନ୍ ଅନୁଯାୟୀ ଜବରଦଖଲ ଉଚ୍ଛେଦ ହୋଇନଥିଲା କିମ୍ବା ଜୋରିମାନା ଆଦାୟ କରାଯାଇନଥିଲା । ତେଣୁ ଜମି ମୂଲ୍ୟ ବାବଦକୁ ୧.୭୧ କୋଟି ଟଙ୍କା ୨୦୨୩ ସୁଦ୍ଧା ଅସୁଲ ନହୋଇ ରହିଯାଇଥିଲା । ଲିଜ୍ ମାମଲା ଚୂଡାନ୍ତରେ ଅଧିକାରୀଙ୍କ ଅବହେଳା ଓ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଯୋଗୁଁ ଏଭଳି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)