Home Environment ବାଦଲଫଟା ବର୍ଷା ପାଇଁ ଓଡିଶାରେ ଛନକା

ବାଦଲଫଟା ବର୍ଷା ପାଇଁ ଓଡିଶାରେ ଛନକା

ଭୁବନେଶ୍ୱର : ହିମାଚଳ ଓ ଉତ୍ତରାଖଣ୍ଡରେ ବାରମ୍ବାର ଭୂସ୍ଖଳନ ବିପତ୍ତି ପରେ ଓଡିଶାର କଳିଙ୍ଗାଘାଟିରେ ଅନୁରୂପ ବିପର୍ଯ୍ୟୟ ଘଟି ସାରିଥିବାବେଳେ ରାଜଧାନୀ ସମେତ ରାଜ୍ୟର ଅନ୍ୟ ପାହାଡିଆ ଇଲାକାରେ ଲୋକଙ୍କ ଭିତରେ ଏବେ ଛନକା ପଶିଛି । ଲଘୁଚାପ ଓ ଲଗାଣବର୍ଷା ସମ୍ପର୍କିତ ପାଣିପାଗ ବିଭାଗର ପୂର୍ବାନୁମାନ ଶୁଣିବାପରେ ଆକାଶରେ କଳା ବଉଦ ଦେଖି ଅନେକ ସ୍ଥାନରେ ଲୋକେ ଆତଙ୍କିତ ହୋଇପଡୁଛନ୍ତି ।

ରାଜଧାନୀର ଶିଖରଚଣ୍ଡି ଓ ବୁଦ୍ଧବିହାର ପାହାଡ ତଳେ ଘରଦ୍ୱାର କରି ରହୁଥିବା ଲୋକେ ଏଥିପାଇଁ ବିଶେଷ ଉଦବିଗ୍ନ । ପରିବେଶବିତ୍‍ମାନଙ୍କ ବିରୋଧ ସତ୍ୱେ ଶିଖରଚଣ୍ଡି ପାହାଡ ଉପରୁ ବ୍ୟାପକ ଗଛ କାଟି ପାହାଡ ଫଟାଇ ପାଣିଟାଙ୍କି ନିର୍ମାଣ କରାଯାଇଛି । ସେହିଭଳି ବୁଦ୍ଧ ବିହାର ପାହାଡ ଉପରେ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟମାନ ଲୋକଙ୍କ ବିରୋଧ ସତ୍ୱେ ସରକାର ନିର୍ମାଣ କରିଛନ୍ତି । ଏହି ପାହାଡ ସମ୍ପୂର୍ଣ୍ଣ ଲଣ୍ଡା ହୋଇଯାଇଥିବାବେଳେ ଏବେ ସାମାନ୍ୟ ବର୍ଷା ହେଲେ ସେଠାରୁ ତୀବ୍ର ଗତିରେ ରାସ୍ତାଘାଟ ବୁଡାଇ ପାଣି ମାଡି ଆସୁଛି । ଏମିତିକି ପାଣି ସୁଅରେ ଗୋଡି ପଥର ଆଦି ମଧ୍ୟ ଭାସି ଆସୁଛି ।

ଲୁମ୍ବିନି ବିହାର ଅଞ୍ଚଳରେ ବୁଦ୍ଧ ବିହାର ପାହାଡ ପାଣି ପଶି ନାହିଁନଥିବା ସମସ୍ୟା ସୃଷ୍ଟି କରୁଥିଲା । ରାସ୍ତା ବୁଡିବା ସହ ଲୋକଙ୍କ ଘରେ ବି ପାଣି ପଶିଯାଉଥିଲା । ତେବେ ଏହି ଅଞ୍ଚଳରେ ରହୁଥିବା ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ବୁଦ୍ଧବିହାର ପାହାଡ ଉପରୁ ବର୍ଷାଜଳ ଯେଭଳି ଲୁମ୍ବିନିବିହାରକୁ ନଆସିବ ସେଥିପାଇଁ ବହୁ ଲକ୍ଷ ଟଙ୍କା ଖର୍ଚ୍ଚକରି ବିକଳ୍ପ ବ୍ୟବସ୍ଥା କରାଯାଇଛି । ଏହା ସତ୍ୱେ ବି ଲୁମ୍ବିନିବିହାର ତଳକୁ ଥିବା ମଙ୍ଗଳା ବସ୍ତିରେ ସାମାନ୍ୟ ବର୍ଷାରେ ପାହାଡ ପାଣି ପଶି ବାସନ କୁସନ ଭସାଇ ନେଉଛି ଓ ଚାଉଳ ଗହମ ଆଦି ବି ନଷ୍ଟହୋଇ ଯାଉଛି ।

ତେଣେ ନିଳାଦ୍ରୀବିହାର ଜିଏ ପ୍ଲଟ ଅଞ୍ଚଳରେ ବର୍ଷାଜଳର ସୁଅ ତାଣ୍ଡବ ସୃଷ୍ଟି କରୁଛି । ବାଦଲଫଟା ବର୍ଷା ହେଲେ ବୁଦ୍ଧ ବିହାର ପାହାଡରୁ ବସ୍ତିର ବର୍ଜ୍ୟ ସମେତ ବର୍ଷାଜଳ ଯେ ନିକଟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଅନେକ ବାସଗୃହ ପ୍ରତି ବିପଦ ସୃଷ୍ଟି କରିବ ସେଥିଘେନି ସ୍ଥାନୀୟ ବାସିନ୍ଦାମାନେ ଉଦବେଗପ୍ରକାଶ କରୁଛନ୍ତି । ଏଥି ସହିତ ବୁଦ୍ଧଜୟନ୍ତୀ ପାର୍କର ସତ୍ତା ବି ଲୋପ ପାଇବାର ଆଶଙ୍କା ଉପୁଜିଲାଣି । ଏବେଠାରୁ ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗ ଏବଂ ବିଏମସି ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ ନକଲେ ଭବିଷ୍ୟତର ପ୍ରଳୟ ପାଇଁ ଦାୟୀ ରହିବେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ।

ସେହିପରି ଶିଖରଚଣ୍ଡି ପାହାଡରେ ବର୍ଷାବେଳେ ଛୋଟ ଛୋଟ ଅତଡା ଖସୁଥିବା କୁହାଯାଉଛି । ଏହାର ଅନୁଧ୍ୟାନ କରି ଆଗତୁରା ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ପାହାଡର ତଳମୁଣ୍ଡରେ ରହୁଥିବା ଲୋକେ ଦାବି କରୁଛନ୍ତି । ସେହିପରି ଖଣ୍ଡଗିରି ଓ ଉଦୟଗିରି ଠାରୁ ଧଉଳି ପାହାଡ ପର୍ଯ୍ୟନ୍ତ ଅବସ୍ଥା ଉପରେ ବି ଆଗତୁରା ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି । ରାଜଧାନୀ ଉପକଣ୍ଠରେ ଥିବା ଲବଣଗିରି, ବରୁଣେଇ ଆଦିର ସୁରକ୍ଷା ଲାଗି ବି ଦାବି ଉଠୁଛି ।

କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, କୋରାପୁଟ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କଳାହାଣ୍ଡି, ବରଗଡ ଆଦି ଖଣି ଖାଦାନ ଭରା ଜିଲ୍ଲାଗୁଡିକରେ ଥିବା ଅନେକ ପାହାଡ ଖଣିଜ ଖନନ ପାଇଁ ଲଣ୍ଡାହୋଇ ଯାଇଛି । ଚିଲିକା ଭିତରେ ଥିବା ମାମୁଁଭଣଜା ସମେତ କେତେକ ପାହାଡରେ ବି ସମସ୍ୟା ରହିଛି ।
ଉତ୍ତରାଖଣ୍ଡ ଓ ହିମାଚଳ ପରେ ପରେ ଓଡିଶାର କଳିଙ୍ଗାଘାଟିରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ସମସ୍ୟା ଯେଭଳି ବ୍ୟାପକ କ୍ଷୟକ୍ଷତି ଘଟାଇଛି ତାହାକୁ ଆଖିଆଗରେ ରଖି ରାଜ୍ୟର ସମସ୍ତ ପାବ୍ୟତ୍ୟାଞ୍ଚଳରେ ବିଜ୍ଞାନସମ୍ମତ ଅନୁଧ୍ୟାନ କରି ଦୀର୍ଘମିଆଦୀ ଓ ତ୍ୱରିତ ପଦକ୍ଷେପମାନ ଗ୍ରହଣ କରାଯିବାର ଆବଶ୍ୟକତା ଉପରେ ପରିବେଶବିତ୍‍ମାନେ ଗୁରୁତ୍ୱାରୋପ କରୁଛନ୍ତି । (ତଥ୍ୟ)