Home Excise ଅବକାରୀ ମାମଲାରେ ଦଣ୍ଡବିଧାନ ନଗଣ୍ୟ

ଅବକାରୀ ମାମଲାରେ ଦଣ୍ଡବିଧାନ ନଗଣ୍ୟ

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲାରେ ସବୁଠାରୁ ଅଧିକ ଅବକାରୀ ମାମଲା ବିଚାରାଧୀନ ଥିବାବେଳେ ସବୁଠାରୁ କମ୍‍ ଏହି କିସମର ମାମଲା ବିଚାର ପ୍ରତୀକ୍ଷାରେ ରହିଛି ବୌଦ୍ଧ ଜିଲ୍ଲାରେ । ଗତ ୫ବର୍ଷ ଭିତରେ ଅନୁଗୁଳ ଜିଲ୍ଲାରେ ୪୫,୩୫୦ଟି ଅବକାରୀ ମାମଲା ବିଚାରାଧୀନ ଥିବାବେଳେ ସେଥିରୁ ମାତ୍ର ୩୧ଟିରେ ଦଣ୍ଡବିଧାନ ହୋଇଛି ଓ ୧୨୯ଟିରେ ଅଭିଯୁକ୍ତ ଖସି ଯାଇଛନ୍ତି । ଏହି ସରକାରୀ ହିସାବ ହେଉଛି ୨୦୨୦-୨୧ରୁ ୨୦୨୪-୨୫ ବର୍ଷ ପର୍ଯ୍ୟନ୍ତ ।

ବିଗତ ୫ବର୍ଷରେ ବୌଦ୍ଧ ଜିଲ୍ଲାରେ ୨୯୪୦ଟି ଅବକାରୀ ମାମଲା ଆଇନ୍‍ ଅଦାଲତରେ ବିଚାରାଧୀନ ଥିବାବେଳେ ସେଥିରୁ ମାତ୍ର ୩ଟିରେ ଦଣ୍ଡବିଧାନ ହୋଇଥିଲା ଓ ୪୭୬ଟିରେ ଅଭିଯୁକ୍ତ ଅଦାଲତରୁ ଦୋଷମୁକ୍ତ ହୋଇଥିବା ଅବକାରୀ ବିଭାଗର ତଥ୍ୟ କହୁଛି । ବାଲେଶ୍ୱର ଜିଲ୍ଲାରେ ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ୫ବର୍ଷରେ ବିଚାର ପ୍ରତୀକ୍ଷାରେ୧୧,୨୭୩ଟି ଅବକାରୀ ମାମଲାଥିବାବେଳେ ସେଥିରୁ ଗୋଟିଏ ହେଲେ ମାମଲାରେ କାହାକୁ ଦଣ୍ଡିତ କରାଯାଇପାରି ନାହିଁ । ଅନ୍ୟପକ୍ଷରେ ଏହି ସମୟ ଭିତରେ ବାଲେଶ୍ୱର ଜିଲ୍ଲାରେ ୩୨୯୨ ଜଣ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି ।

ବାଲେଶ୍ୱର ତୁଳନାରେ ବରଗଡ଼ ଜିଲ୍ଲାରେ ଏହି ୫ବର୍ଷରେ ଅବକାରୀ ମାମଲା ସଂଖ୍ୟା ଦୁଇଗୁଣରୁ ଅଧିକ । ଏଠାରେ ୨୨,୭୫୧ଟି ଅବକାରୀ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଏହି ସମୟ ଭିତରେ ୪୦୮ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଛି ଅଥଚ ଜଣେ ହେଲେ କେହି ଦଣ୍ଡିତ ହୋଇନଥିବା ସରକାରୀ ସ୍ୱୀକାର କରୁଛନ୍ତି । ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ଉକ୍ତ ୫ ବର୍ଷରେ ୩୮୫୫ଟି ଅବକାରୀ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଠାରେ ବି ଜଣେ ହେଲେ କେହି ଦଣ୍ଡିତ ହୋଇନାହାନ୍ତି । ଅଥଚ ୧୯୬୭ଜଣ ଆସାମୀ ଦୋଷମୁକ୍ତ ହୋଇଛନ୍ତି ।

ଭଦ୍ରକ ଅବକାରୀ ଜିଲ୍ଳାରେ ବି ଗତ ୫ବର୍ଷରେ ୬୫୨୮ଟି ଅବକାରୀ ମାମଲା ବିଚାରାଧୀନ ଥିବାବେଳେ ୧୬୬୦ଟିରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିଲେ ଏବଂ ଗୋଟିଏ ହେଲେ ମାମଲାରେ ଦଣ୍ଡବିଧାନ କରାଯାଇପାରିନଥିଲା । ଭୁବନେଶ୍ୱର ଅବକାରୀ ଜିଲ୍ଲାରେ ବି ଏହି ସମୟ ଭିିତରେ ବିଚାରାଧୀନ ଥିବା ୪୧୭୨ ଅବକାରୀ ମାମଲାରୁ ଗୋଟିକରେ ହେଲେ ବି ଅଭିଯୁକ୍ତ ଦଣ୍ଡିତ ହୋଇନଥିବାବେଳେ ୧୮୫ଟିରେ କିନ୍ତୁ ଦୋଷମୁକ୍ତ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି ।

ବଲାଙ୍ଗୀର ଜିଲ୍ଲାରେ କିନ୍ତୁ ଏହି ୫ବର୍ଷରେ ବିଚାରାଧୀନ ଥିବା ୬୬୮୧ଟି ଅବକାରୀ ମାମଲାରୁ ୫୯୩ଟିରେ ଅଭିଯୁକ୍ତ ଖସି ଯାଇଥିବାବେଳେ ୪୪ଟିରେ ଦଣ୍ଡବିଧାନ ହୋଇଥିଲା । କଟକରେ ୨୦୨୦-୨୧ରୁ ୨୦୨୪-୨୫ ମଧ୍ୟରେ ୯୫୬୫ଟି ଅବକାରୀ ମାମଲା ବିଚାର ପାଇଁ ଥିବାବେଳେ ସେଥିରୁ ୧୧୦୦ଟିରେ ଅଭିଯୁକ୍ତ ଖସିଯାଇଥିବା ସ୍ଥଳେ ଗୋଟିଏ ହେଲେ ମାମଲାରେ ବି ଦଣ୍ଡବିଧାନ କରାଯାଇ ପାରିନଥିଲା । ଦେବଗଡ଼ରେ ବି ଏହି ସମୟ ଭିତରେ ୧୦,୦୭୧ଟି ଅବକାରୀ ମାମଲାରୁ ୧୨୪ଟିରେ ଦଣ୍ଡବିଧାନ କରାଯାଇଥିବାବେଳେ ୨୧୯୮ରେ ଆସାମୀ ମୁକ୍ତ ହୋଇଥିଲେ । ଉକ୍ତ ୫ବର୍ଷରେ ଢେଙ୍କାନାଳ ଜିଲ୍ଲରେ ବିଚାରାଧୀନ ଥିବା ୪୦୯୬ ଅବକାରୀ ମାମଲାରୁ ୨୨୩୨ଟିରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିବାବେଳେ ଗୋଟିଏ ହେଲେ ମାମଲାରେ ବି ଦଣ୍ଡିତ ହୋଇନାହାନ୍ତି ।

ଗଜପତି ଜିଲ୍ଲାରେ ଏହି ୫ବର୍ଷରେ ୩୧୦୫ଟି ଅବକାରୀ ମାମଲା ବିଚାର ପାଇଁ ଥିବାବେଳେ ସେଥିରୁ ମାତ୍ର ୧୦ଟିରେ ଦଣ୍ଡବିଧାନ କରାଯାଇଥିବାବେଳେ ୧୪୮୧ଟିରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରେ ଏହି ସମୟ ଭିତରେ ୮୮୦୬ଟି ଅବକାରୀ ମାମଲା ବିଚାରାଧୀନ ଥିବାବେଳେ ସେଥିରୁ ମାତ୍ର ଗୋଟିକରେ ଦଣ୍ଡବିଧାନ ହୋଇଛି ଓ ୯୮୩ଟିରେ ଅଭିଯୁକ୍ତ ଖସିଯାଇଛନ୍ତି । ରାଜ୍ୟରେ ଥିବା ତିନୋଟିଯାକ ଅବକାରୀ ଗୁଇନ୍ଦା ଓ ଏନ୍‍ଫୋର୍ସମେଣ୍ଟ ବ୍ୟୁରୋର ପ୍ରାୟ ୯ ହଜାର ଅବକାରୀ ମାମଲା ଏହି ୫ବର୍ଷରେ ବିଚାର ପାଇଁ ଥିବାବେଳେ ସେଥିରୁ ଗୋଟିକରେ ହେଲେ ବି ଦଣ୍ଡବିଧାନ ହୋଇନାହିଁ । ଅଥଚ ପାଖାପାଖି ୪୫୦୦ ମାମଲାରେ ଅଭିଯୁକ୍ତ ଖସିଯାଇଥିବା ସରକାରଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡିଛି । (ତଥ୍ୟ)