ଭୁବନେଶ୍ୱର : କମ୍ପ୍ୟୁଟର ରଖିବାପାଇଁ ଘରଟିଏ ନଥିଲା । ହେଲେ ପାଖାପାଖି କୋଟିଏ ଟଙ୍କାର ଡେକ୍ସଟପ୍ କମ୍ପୁଟର କିଣିଦେଲେ । ଫଳରେ ଶତାଧିକ କମ୍ପ୍ୟୁଟର ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇ ପଡିରହିଲା ଓ ଏହାର ୱାରେଣ୍ଟି ଅବଧି ବି ଚାଲିଗଲା । ଏଥିଯୋଗୁଁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ୬୨ଲକ୍ଷରୁ ଅଧିକ ଟଙ୍କା ପାଣିରେ ପଡିଛି ।
ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (ସିଏଜି) ଏଭଳି ଅନିୟମିତତାକୁ ଧରିବାପରେ କମ୍ପ୍ୟୁଟର କିଣା ପ୍ରସଙ୍ଗ ସାମ୍ନାକୁ ଆସିଛି । ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଭିତ୍ତିଭୂମି ଅନୁଦାନ ପାଇଁ ରୁସା ଯୋଜନାରେ ୨୦ କୋଟି ଟଙ୍କା ପାଇଥିଲା । ରୁସା ଅନୁଦାନରୁ ଏକ କେନ୍ଦ୍ରୀୟ ଲାଇବ୍ରେରୀ ପାଇଁ ୧୮୦ ଟି ଡେକ୍ସଟପ୍ କମ୍ପ୍ୟୁଟର କିଣିବାକୁ ୨୦୧୬ ଏପ୍ରିଲ ୪ତାରିଖରେ ସ୍ଥିର କରିଥିଲା ।
ତଦନୁଯାୟୀ ସେହିବର୍ଷ ମଇ ମାସରେ ୧୮୦ଟି କମ୍ପ୍ୟୁଟର ଯୋଗାଣ ପାଇଁ ଗୋଟିଏ ଫାର୍ମକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ସମ୍ପୃକ୍ତ ସଂସ୍ଥା ନଭେମ୍ବର ମାସରେ ସମସ୍ତ କମ୍ପ୍ୟୁଟର ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରିଥିଲା ଏବଂ ଏ ବାବଦରେ ବିପିୟୁଟି ୨୦୧୭ ଜାନୁୟାରୀରେ ସେହି ଫାର୍ମକୁ କମ୍ପ୍ୟୁଟର ବାବଦରେ ୯୭ଲକ୍ଷ ୧୫ ହଜାର ଟଙ୍କା ପଇଠ କରିଥିଲା ।
କେନ୍ଦ୍ରୀୟ ପାଠାଗାର କୋଠାର ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବାରୁ କାର୍ଯ୍ୟନିର୍ବାହୀ ସଂସ୍ଥାଦ୍ୱାରା କେନ୍ଦ୍ରୀୟ ପାଠାଗାର କୋଠା ହସ୍ତାନ୍ତର ନହେବା ପର୍ଯ୍ୟନ୍ତ ଲାବରୋଟାରୀରେ କମ୍ପ୍ୟୁଟରଗୁଡିକ ବ୍ୟବହାର ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୧୭ ଜାନୁୟାରୀ ମାସରେ ନିଷ୍ପତ୍ତି ଗ୍ରହଣ କରିଥିଲେ । ତେବେ ଲକ୍ଷ୍ୟ କରାଯାଇଥିଲା ଖରିଦ ହୋଇଥିବା ୧୮୦ଟି ଡେକ୍ସଟପ୍ କମ୍ପ୍ୟୁଟର ମଧ୍ୟରୁ ୬୫ଟି କମ୍ପ୍ୟୁଟର ବିଭିନ୍ନ ବିଭାଗ ଓ ଉପବିଭାଗ ଆଦିକୁ ପ୍ରଦାନ କରାଯାଇଥିଲା । ଅବଶିଷ୍ଟ ୧୧୫ଟି କମ୍ପ୍ୟୁଟର କିଣାହେବା ଦିନ ଠାରୁ ଛଅବର୍ଷ ବ୍ୟବହାର ନହୋଇ ସେହିଭଳି ପେଟିରେ ପଶି ପଡି ରହିଥିଲା ।
କମ୍ପ୍ୟୁଟର ରଖିବାପାଇଁ ସ୍ଥାନ ଠିକଣା ନକରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତରବରିଆ ଭାବେ କମ୍ପ୍ୟୁଟର କିଣିବା ଓ ତାହାକୁ ପକାଇ ରଖିବା ଦ୍ୱାରା ୬୨ ଲକ୍ଷ ୭ହଜାର ଟଙ୍କା ଏକ ପ୍ରକାର ପାଣିରେ ପଡିଥିଲା । ଏହା ମଧ୍ୟରେ ଡେକ୍ସଟପ୍ କମ୍ପ୍ୟୁଟର ପାଇଁ ଥିବା ୱାରେଣ୍ଟି ଅବଧି ମଧ୍ୟ ସରିଯାଇଥିଲା ଏବଂ ଅଧିକ ସମୟ ପଡି ରହିବା ଫଳରେ କମ୍ପ୍ୟୁଟରଗୁଡିକର କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ଜାତ ହୋଇଥିଲା ।
ସିଏଜି ଆହୁରି ଦର୍ଶାଇଛନ୍ତି ଯେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରୁସା ପାଣ୍ଠିରୁ ମିଳିଥିବା ଅର୍ଥରେ କମ୍ପ୍ୟୁଟର ପିଛା ୫୩,୯୭୧ ଟଙ୍କା ଦରରେ ମୋଟ୍ ୧୮୦ଟି କମ୍ପ୍ୟୁଟର ଖରିଦ କରିଥିଲେ । ଏ ବାବଦରେ ୯୭ଲକ୍ଷ ୧୫ହଜାର ଟଙ୍କା ବ୍ୟୟ ହୋଇଥିଲା । ଏଥି ମଧ୍ୟର ୧୧୫ଟି କମ୍ପ୍ୟୁଟର ପଡି ରହିଥିଲା ଯାହା ମୂଲ୍ୟ ୬୨ଲକ୍ଷ ୭ହଜାର ଟଙ୍କା । (ତଥ୍ୟ)