Home Energy ଲାଗି ସାରିଲାଣି୧୮ଲକ୍ଷ ସ୍ମାର୍ଟ ମିଟର

ଲାଗି ସାରିଲାଣି୧୮ଲକ୍ଷ ସ୍ମାର୍ଟ ମିଟର

ଭୁବନେଶ୍ୱର : ରାଜ୍ୟର ୧୮ଲକ୍ଷ ବିଦ୍ୟୁତ୍‍ ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲାଗି ସାରିଲାଣି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ସହିତ ୨୫ ବର୍ଷ ପାଇଁ ଚୁକ୍ତିନାମା କରିଛନ୍ତି । ତଦନୁଯାୟୀ ଟିପିସିଓଡିଏଲ୍‍ ୨୦୨୦ ଜୁନ୍‍ ୧ ତାରିଖରୁ ରାଜ୍ୟରେ ବିଦ୍ୟୁତ୍‍ ବିତରଣ ଆରମ୍ଭ କରିଥିବାବେଳେ ଟିପିଏସଓଡିଏଲ୍‍ ଓ ଟିପିଡବ୍ଲୁଓଡିଏଲ ୨୦୨୧ ଜାନୁୟାରୀ ୧ ତାରିଖରୁ ଓ ଟିପିଏନଓଡିଏଲ୍‍ ୨୦୨୧ ଏପ୍ରିଲ୍‍ ୧ ତାରିଖରୁ ରାଜ୍ୟରେ ବିଦ୍ୟୁତ ବିତରଣ ଆରମ୍ଭ କରିଛି ।

ଏହି କମ୍ପାନୀମାନଙ୍କୁ ବିଦ୍ୟୁତ୍‍ ବିତରଣ ଦାୟିତ୍ୱ ହସ୍ତାନ୍ତର ସମୟରେ ଗ୍ରିଡକୋର ଦେୟ ବାବଦକୁ ବଣ୍ଟନ କମ୍ପାନୀମାନଙ୍କ ଉପରେ ପ୍ରାୟ ୪୩୭୪ କୋଟି ଟଙ୍କାର ବକେୟା ଥିଲା । ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ଟାଟା ପାୱାର ପୂର୍ବବର୍ତ୍ତୀ ବିଦ୍ୟୁତ୍‍ ବିତରଣ କମ୍ପାନୀମାନଙ୍କ ସମୟର ବକେୟା ବିଦ୍ୟୁତ୍‍ ବିଲ୍‍ ଦେୟ ବାବଦରେ ୧୫୫୨ କୋଟି ଟଙ୍କା ଆଦାୟ କରି ଗ୍ରିଡକୋକୁ ପ୍ରଦାନ କରିଛି । ଏହି ଅର୍ଥକୁ ପୂର୍ବର କ୍ଷତି ଭରଣା ନିମନ୍ତେ ବ୍ୟବହାର କରାଯାଉଛି । (ତଥ୍ୟ)