Home General ମୋବାଇଲ କମ୍ପାନୀର ପ୍ରତିଯୋଗିତା ଲୋକଙ୍କୁ କାଳ

ମୋବାଇଲ କମ୍ପାନୀର ପ୍ରତିଯୋଗିତା ଲୋକଙ୍କୁ କାଳ

ଭୁବନେଶ୍ୱର : ରାଜ୍ୟରେ ମୋବାଇଲ କମ୍ପାନୀମାନଙ୍କର ଗ୍ରାହକ ବୃଦ୍ଧି ପ୍ରତିଯୋଗିତା ଏବେ ସାଧାରଣ ଲୋକଙ୍କ ପାଇଁ କାଳ ହେଲାଣି । ଗାଁ ଗହଳ ତ ଦୂରରକଥା ଖୋଦ୍‍ ରାଜଧାନୀରେ କମ୍ପାନୀ ପରିବର୍ତ୍ତନ କରୁଥିବା ଗ୍ରାହକଙ୍କୁ ମାଗଣା ସିମ୍‍, ମାସିକିଆ ଡାଟା ଓ ଅନ୍ୟାନ୍ୟ ଉପହାର ବାଣ୍ଟିବାରେ ଲାଗିଛନ୍ତି । ହେଲେ ଏମାନେ ଯେଉଁ ପ୍ରକାର ପ୍ରଲୋଭନ ଦେଖାଉଛନ୍ତି ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି ।

ରାଜ୍ୟରେ ଏବେ ରାଷ୍ଟ୍ରାୟତ ସଂସ୍ଥା ବିଏସ୍‍ଏନଏଏଲ ସହିତ ଆଉ ତିନିଟି ଘରୋଇ ମୋବାଇଲ୍‍ ସେବା ପ୍ରଦାନକାରୀ କମ୍ପାନୀ ରହିଛନ୍ତି । ଏମାନଙ୍କ ଭିତରେ ଏବେ ଚାଲିଛି ଗ୍ରାହକଙ୍କୁ ନିଜ ପଟକୁ ଆଣିବାପାଇଁ ପ୍ରତିଯୋଗିତା । ଯେହେତୁ ରାଜ୍ୟରେ କମ୍‍ ସଂଖ୍ୟାରେ ନୂଆ ଗ୍ରାହକ ସୃଷ୍ଟି ହେଉଛନ୍ତି, ତେଣୁ ଅନ୍ୟ କମ୍ପାନୀର ଗ୍ରାହକଙ୍କୁ ନିଜ ପଟକୁ ଆଣି ନିଜର ସଂଖ୍ୟାବୃଦ୍ଧିର ସଫଳ ତାଲିକା ଜାରି କରୁଛନ୍ତି ।

ଏହି ଦୌଡରେ ଏବେ କିଛି ଘରୋଇ କମ୍ପାନୀ ମାତିଛନ୍ତି । ଏଥିପାଇଁ ଆକର୍ଷଣୀୟ ଉପହାର ବି ଦେଉଛନ୍ତି । ଅନ୍ୟ କମ୍ପାନୀ ଛାଡି ସେମାନଙ୍କ କମ୍ପାନୀରେ ଯୋଗଦେଲେ ମାଗଣା ସିମ୍‍ ସହିତ ମାସକ ପାଇଁ ଅସୀମିତ ଡାଟା ଓ ଟକ୍‍ଟାଇମ୍‍ ପ୍ରଦାନ କରୁଛନ୍ତି । କେତେକ ଘରୋଇ କମ୍ପାନୀ ଇୟରପଡ୍‍ ଭଳି ଉପହାର ବି ଦେଉଛନ୍ତି । ଗାଁ ଗହଳରେ ଲୋକଙ୍କ ଚାହିଦାକୁ ଦେଖି ପ୍ଲାଷ୍ଟିକ ଘରକରଣା ସାମଗ୍ରୀ ଯୋଗାଇ ଦେଉଛନ୍ତି ।

ଲୋକେ ଏବେ ଏମାନଙ୍କ ଜାଲରେ ପଡି ନିଜର କମ୍ପାନୀ ବଦଳାଇବାରେ ଲାଗିଛନ୍ତି । ଏହାର କାରଣ ହେଉଛି ସବୁଠାରୁ ଶସ୍ତା ଥିବା ରାଷ୍ଟ୍ରାୟତ କମ୍ପାନୀ ବିଏସଏନଏଲ୍‍ର ନେଟୱାର୍କ ଅଧିକାଂଶ ସ୍ଥାନରେ ଠିକଣା ଭାବେ କାର୍ଯ୍ୟ କରୁନାହିଁ । ଖୋଦ ରାଜଧାନୀରେ ବି କେତେକ ସ୍ଥାନରେ ନେଟୱାର୍କ ଆସୁନାହିଁ । ଯେତେ ଅଭିଯୋଗ କଲେ ବି କୌଣସି ଫଳ ନାହିଁ । ଗୋଟିଏ ପଟେ ୪-ଜି ସିମ୍‍ ଏକ ଟଙ୍କାରେ ବାଣ୍ଟି ଗ୍ରାହକ ସଂଖ୍ୟା ବଢାଇବାକୁ ବିଏସଏନଏଲ୍‍ ପ୍ରଚାର ଚଳାଇଥିବାବେଳେ ଅନ୍ୟ ପଟେ ନିଜର ଟାୱାରଗୁଡିକରେ ବ୍ୟାଟେରୀ ବ୍ୟାକ୍‍ଅପ୍‍ ରଖୁନଥିବାରୁ ସେହିସବୁ ଅଞ୍ଚଳରେ ବିଦ୍ୟୁତ୍‍ କଟିଲେ ଲୋକେ ଆଉ ଇଣ୍ଟରନେଟ୍‍ ସେବା ପାଉନାହାନ୍ତି ।

ଘରୋଇ କମ୍ପାନୀ ମଧ୍ୟରୁ କେତେ ନିଜର ଦରକୁ ରାତାରାତି ବଢାଇ ଦେଉଥିବାବେଳେ ଆଉ କେତେକ ଶସ୍ତା ଘୋଷଣା କରୁଛନ୍ତି । ତେଣୁ ଦର ବୃଦ୍ଧି ହେଉଥିବା କମ୍ପାନୀର ଗ୍ରାହକମାନେ ଦରବୃଦ୍ଧିରେ ଅତିଷ୍ଠ ହୋଇ ଶସ୍ତା ଦର ଥିବା କମ୍ପାନୀ ମୁହାଁ ହେଉଛନ୍ତି । ସେମାନଙ୍କୁ ନିଜ ପଟକୁ ଟାଣିବାପାଇଁ ଏବେ ରାଜଧାନୀର ଗଳି କନ୍ଦିରେ ଘରୋଇ କମ୍ପାନୀର ଏଜେଣ୍ଟମାନେ ଡେରା ପକାଇଛନ୍ତି ।

ହେଲେ ଶସ୍ତାରୁ ଯାଇ ଲୋକେ ଏବେ ହୀନସ୍ତା ହେବାରେ ଲାଗିଛନ୍ତି । ନାମୀ ଦାମୀ ଘରୋଇ କମ୍ପାନୀର ଶସ୍ତା ବିଜ୍ଞାପନରେ ଆକୃଷ୍ଟ ହୋଇ ଯାଉଥିବା ଲୋକେ ଠିକଣା ଭାବେ ନେଟୱାର୍କ ପାଉନାହାନ୍ତି । ଯେତେ ଅଭିଯୋଗକଲେ ମଧ୍ୟ କୌଣସି ସୁଫଳ ନାହିଁ । ତିନି ଚାରି ଦିନ ପରେ ସମସ୍ୟା ସମାଧାନ ହୋଇଯିବ ବୋଲି କହି ମୋବାଇଲ କମ୍ପାନୀ ଗ୍ରାହକଙ୍କୁ କ୍ଷମା ମାଗିବରେ ଲାଗିଛନ୍ତି ।

ଯେହେତୁ ଥରେ କମ୍ପାନୀ ପରବର୍ତ୍ତନ କଲେ ଆଉ ତିନି ମାସ ପର୍ଯ୍ୟନ୍ତ ଅନ୍ୟ କମ୍ପାନୀକୁ ଯାଇହେବ ନାହିଁ, ତେଣୁ ଲୋକେ କାନମୁଣ୍ଡା ଆଉଁଷିବାରେ ଲାଗିଛନ୍ତି । ଟେଲିକମ୍‍ କମ୍ପାନୀମାନଙ୍କର ଏଭଳି ଖେଳ ପ୍ରତି ଟ୍ରାଇ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହିତ ଯେଉଁମାନେ ଅନ୍ୟ କମ୍ପାନରୁ ଗ୍ରାହକମାନଙ୍କୁ ନିଜ ପଟକୁ ଆଣୁଛନ୍ତି ସେମାନଙ୍କୁ କିଭଳି ସେବା ଯୋଗାଉଛନ୍ତି ତାହାର ସମୀକ୍ଷା କରିବା ଦରକାର । ଏଥି ସହିତ ଯେଉଁମାନେ ହଠାତ୍‍ ନିଜର ଗ୍ରାହକ ବୃଦ୍ଧି ନେଇ ସୂଚନା ଦେଉଛନ୍ତି ସେମାନଙ୍କର ଏଥିପାଇଁ ଭିତ୍ତିଭୂମି ରହିଛି କି ନାହିଁ ତାହାର ସମୀକ୍ଷା କରାଗଲେ ସାଧାରଣ ମୋବାଇଲ୍‍ ଗ୍ରାହକମାନେ ଠକାମୀରୁ ରକ୍ଷା ପାଇଯାଆନ୍ତେ । (ତଥ୍ୟ)