ଭୁବନେଶ୍ୱର : ରାଜ୍ୟର ୯ଟି ପ୍ରମୁଖ ନଦୀର ଜଳ ସିଧାସଳଖ ପାନୀୟ ଉପଯୋଗୀ ନୁହେଁ । ଜଳ ପରୀକ୍ଷାରେ ଏହା ‘ଗ’ ଶ୍ରେଣୀଭୁକ୍ତ ହୋଇଥିବାବେଳେ ଏହିସବୁ ନଦୀର ଜଳକୁ ପାରମ୍ପରିକ ପଦ୍ଧତିରେ ବିଶୋଧନ କରି ପାନୀୟଜଳ ଭାବେ ବ୍ୟବହାର କରାଯାଇ ପାରିବ ।
ନଦୀ ଜଳର ଗୁଣବତ୍ତା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଯେଉଁସବୁ ନଦୀର ଜଳ ସିଧାସଳଖ ପାନୀୟ ଅନୁପଯୁକ୍ତ ସେହିସବୁ ନଦୀଗୁଡିକ ମଧ୍ୟରେ ରହିଛି ବୈତରଣୀ, ଋଷିକୂଲ୍ୟା, ନାଗାବଳୀ, ସୁବର୍ଣର୍ରେଖା, ବୁଢାବଳଙ୍ଗ, କୋଲାବ, ବଂଶଧରା, ଇନ୍ଦ୍ରାବତୀ ଓ ବାହୁଡା । ଏହିସବୁ ନଦୀର ଜଳକୁ ଚଳିତ ବର୍ଷ ଜାନୁୟାରୀ ରୁ ଜୁଲାଇ ମଧ୍ୟରେ ନିୟମିତ ପରୀକ୍ଷା କରାଯାଇଥିଲା ।
ସେହିଭଳି ମହାନଦୀର ଶାଖା ଓ ପ୍ର।।ଖା ନଦୀର ୫୫ଟି ସ୍ଥାନରେ ଜଳନମୂନା ପରୀକ୍ଷଣ କରାଯାଇଥାଏ । ଏହି ୫୫ ସ୍ଥାନରୁ ୪୩ଟି ସ୍ଥାନରେ ଜଳର ଗୁଣବତ୍ତା ‘ଗ’ ଶ୍ରେଣୀ ମଧ୍ୟରେ ରହୁଛି ଏବଂ ୧୨ଟି ସ୍ଥାନରେ ଜଳର ଗୁରବତ୍ତା ଏହାଠାରୁ ଉପରେ ରହୁଛି । ବ୍ରାହ୍ମଣୀ ନଦୀର ୪୧ଟି ସ୍ଥାନର ନମୂନା ପରୀକ୍ଷଣ ମଧ୍ୟରୁ ୩୭ଟି ସ୍ଥାନରେ ଜଳର ମାନ ‘ଗ’ ଶ୍ରେଣୀରେ ରହୁଛି । ଏହିସବ ପରୀକ୍ଷଣରୁ ନଦୀ ଜଳରେ କୃଷି କାର୍ଯ୍ୟରେ ବ୍ୟବହୃତ କୀଟନାଶକ ଓ ରସାୟନିକ ସାରର ପରିମାଣ ଉଦ୍ଦିଷ୍ଟ ମାନ ଠାରୁ ନିମ୍ନରେ ଥିବା ଦେଖିବାକୁ ମିଳିଛି ।
ପ୍ରଦୂଷିତ ସ୍ଥାନଗୁଡିକରେ ନଦୀ ଜଳ ପ୍ରଦୂଷଣ ମୁଖ୍ୟତଃ ସହରାଞ୍ଚଳର ବର୍ଜ୍ୟଜଳ ନିଷ୍କାସନ ତଥା ନଦୀ ଜଳର ଇନ୍ ଷ୍ଟ୍ରିମ୍ ବ୍ୟବହାର ଯୋଗୁଁ ଘଟୁଥିବା ଆକଳନ କରାଯାଏ । ଏହି ଅବବାହିକାତରେ ଜଳ ପ୍ରଦୂଷଣ ରୋକିବାପାଇଁ ବୋର୍ଡ ଏବଂ ସରକାରଙ୍କ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି । ସେଥି ମଧ୍ୟରେ ନଦୀ ଜଳର ମାନ ସଂକ୍ରାନ୍ତର ସମ୍ପୃକ୍ତ ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିୟମିତ ଭାବେ ଅବଗତ କରାଯିବା ସହିତ ବିହିତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଉଛି ।
ଜଳ ପ୍ରଦୂଷଣ ରୋକିବାପାଇଁ ୨୦୨୩ ମସିହାରୁ ବର୍ଜ୍ୟ ଜଳ ପରିଚାଳନା ପାଇଁ ଅନୁଗୁଳ, ବାଲେଶ୍ୱର, ବରଗଡ, ଛତ୍ରପୁର, ଢେଙ୍କାନାଳ, ହିଞ୍ଜିଳିକାଟୁ, ଜଟଣୀ, ଯାଜପୁର, କେନ୍ଦୁଝର, କୋରାପୁଟ ଓ ନୟାଗଡରେ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହା ପର୍ଯ୍ୟାୟକ୍ରମେ ଅନ୍ୟ ସହରଗୁଡିକରେ କାର୍ଯ୍ୟକାରୀ ହେବ । (ତଥ୍ୟ)