Home Health ଜେପି ହସ୍ପିଟାଲକୁ ଦିଆଯାଇଛି ୧୧୦ କୋଟି

ଜେପି ହସ୍ପିଟାଲକୁ ଦିଆଯାଇଛି ୧୧୦ କୋଟି

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରାଉରକେଲାର ଜେପି ହସ୍ପିଟାଲକଭ କରୋନା ରୋଗୀଙ୍କ ଚିକିତ୍ସା ବାବଦରେ ୧୧୦ କୋଟି ଟଙ୍କାରୁ ଅଧିକ ଅର୍ଥ ଯୋଗାଇ ଦିଆଯାଇଛି । ଏହି ଅର୍ଥ ଡିଏମଏଫ୍‍ ପାଣ୍ଠିରୁ ଯୋଗାଇ ଦିଆଯାଇଥିଲା । ଏହି ଡାକ୍ତରଖାନରେ ମୋଟ୍‍ ୧୮୭୯ ଜଣ ରୋଗୀ ଚିକିତ୍ସିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୯୮ ଜଣ ମୃତ୍ୟୁବରଣ କରିଥିଲେ ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ । ମନ୍ତ୍ରୀ ଦର୍ଶାଛନ୍ତି ଯେ ରାଉରକେଲାର ଜେପି ହସ୍ପିଟାଲକୁ କରୋନା ଚିକିତ୍ସା ପାଇଁ ଡିଏମ୍‍ଏଫ୍‍ ପାଣ୍ଠିରୁ ୧୧୦,୪୮,୨୨,୧୫୪ ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ଔଷଧ ବାବଦକୁ ନିଜସ୍ୱ ପାଣ୍ଠିରୁ ସରକାର ୨୧,୯୦,୪୩୩ ଟଙ୍କା ପ୍ରଦାନ କରିଥିଲେ ।

ଜେପି ହସ୍ପିଟାଲରେ ମୋଟ୍‍ ୧୮୭୯ ଜଣ କରୋନା ରୋଗୀଙ୍କର ଚିକିତ୍ସା ହୋଇଥିବାବେଳେ ସେମାନଙ୍କ ଠାରୁ ଚିକିତ୍ସା ବାବଦରେ କୌଣସି ଅର୍ଥ ଆଦାୟ ହୋଇନାହାିଁ । ଡାକ୍ତରଖାନାକୁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ୨୦ଲକ୍ଷ ଟଙ୍କାର ୫ଟି ଭେଣ୍ଟିଲେଟର ମେସିନ୍‍ ଯୋଗାଇ ଦେଇଥିଲେ । ତେବେ ଚିକିତ୍ସିତ ହୋଇଥିବା ରୋଗୀଙ୍କ ମଧ୍ୟରୁ ୧୨୮୧ ଜଣ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୫୯୮ ଜଣ ମୃତ୍ୟୁବରଣ କରିଥିଲେ ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଡିଏମଏଫ୍‍ ପାଣ୍ଠିରୁ ୨୦୨୦ ରୁ ୨୦୨୩ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ଅର୍ଥ ଯୋଗାଇ ଦିଆଯାଇଥିଲା । ୨୦୨୧ରେ ସର୍ବାଧିକ ୭୬ କୋଟି ୮୭ଲକ୍ଷ ଟଙ୍କା ଦିଆଯାଇଥିବାବଳେ ୨୦୨୩ରେ ୨କୋଟି ୭୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ସେହିଭଳି ଔଷଧ ପାଇଁ ରାଜ୍ୟ ସରକାର ୨୦୨୧ ବର୍ଷରେ ୧୫ଲକ୍ଷ ୩୦ହଜାର ଟଙ୍କା ଦେଇଥିବାବେଳେ ୨୦୨୨ରେ ୬ଲକ୍ଷ ୬୦ହଜାର ଟଙ୍କା ପ୍ରଦାନ କରିଥିଲେ ।