Home General ଶ୍ରୀମନ୍ଦିରରେ ଅଛି କେତେ ସୁନା, ରୁପା?

ଶ୍ରୀମନ୍ଦିରରେ ଅଛି କେତେ ସୁନା, ରୁପା?

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଏବଂ ଶ୍ରୀମନ୍ଦିର ନାମରେ ବ୍ୟାଙ୍କ ଲକ୍‍ରରେ କେତେ ପରିମାଣର ମୂଲ୍ୟବାନ ରତ୍ନ ଅଳଙ୍କାର ରହିଛି ତାହା ଜାଣିବା ଲାଗି ଏବେ ବି ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ଭରି ରହିଛି । ଗତ ସରକାର ସମୟରେ ରତ୍ନ ଭଣ୍ଡାରରେ ମହଜୁଦ ଥିବା ସଂପତ୍ତିର ଗଣତି ମଣତିକୁ ଏଡ଼ାଯାଇଥିବା ବେଳେ ବିଜେପି ସରକାରକୁ ଆସିଲେ ରତ୍ନଭଣ୍ଡାରରେ ମହଜୁଦ ଥିବା ସଂପତ୍ତିର ସଠିକ୍‍ ଗଣନା ସହ ସାର୍ବଜନୀନ କରାଯିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଇଥିଲା । ଇତିମଧ୍ୟରେ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠିତ ହେବାର ୧୫ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଗଣତି ମଣତି ଆରମ୍ଭ ହୋଇନାହିଁ ।

ରତ୍ନଭଣ୍ଡାର ପ୍ରସଂଗରେ ବିଜେଡି ସରକାର ସମୟରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଢ଼ାଯାଇଥିଲା । ବିଜେପି ସରକାର ସମୟରେ ଏହି କମିଟିର ପୁନର୍ଗଠନ କରାଯାଇ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିଶ୍ୱନାଥ ରଥଙ୍କୁ ଦାୟିତ୍ୱ ଦିଆଯାଇଛି । ନୂଆ କମିଟି ରତ୍ନଭଣ୍ଡାର ଗୃହ ପରିଦର୍ଶନ କରିବା ସହ ବୈଷୟିକ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ ରତ୍ନଭଣ୍ଡାର ଗୃହ ବିପଦ ସଂକୁଳ ଅବସ୍ଥାରେ ଥିବାରୁ ଏହାର ମରାମତି ଉପରେ ଗୁରୁତ୍ୱାରୋପ କରିଥିଲା । ଏଥିପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥାର ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯିବା ପରେ ଭିତର ରତ୍ନଭଣ୍ଡାରରେ ମହଜୁଦ ଥିବା ସାମଗ୍ରୀଗୁଡ଼ିକୁ କଡ଼ା ନିରାପତ୍ତା ମଧ୍ୟରେ ଏକ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‍କୁ ସ୍ଥାନାନ୍ତର କରାଯାଇଥିଲା । ଇତିମଧ୍ୟରେ ରତ୍ନଭଣ୍ଡାରର ମରାମତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଛି ।

କୁହାଯାଉଛି ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‍ରୁ ମୂଲ୍ୟବାନ ସାମଗ୍ରୀଗୁଡ଼ିକ ରତ୍ନଭଣ୍ଡାରକୁ ଆଣି ସେଠାରେ ଗଣତି ମଣତି କାର୍ଯ୍ୟ ଠିକଣା ସମୟରେ ଆରମ୍ଭ କରାଯିବ । ଏଥିଲାଗି ରିଜର୍ଭ ବ୍ୟାଙ୍କର ସହାୟତା ଲୋଡ଼ା ଯାଇଛି । କମିଟିର ସଦସ୍ୟମାନଙ୍କ ସହିତ ରିଜର୍ଭ ବ୍ୟାଙ୍କର ଦୁଇଜଣ ପ୍ରତିନିଧି ଏବଂ ବୈଷୟିକ ବିଶେଷଜ୍ଞମାନଙ୍କ ଉପସ୍ଥିତିରେ ଏହି ଗଣତି ମଣତି କାର୍ଯ୍ୟ ହେବ । ତେବେ କେଉଁଦିନ ସୁଦ୍ଧା ଗଣତି ମଣତି ଆରମ୍ଭ ହେବ ଓ ତାହା କେବେ ସରିବ ଏବଂ ଏ ସଂକ୍ରାନ୍ତୀୟ ତଥ୍ୟ କେବେ ସାର୍ବଜନୀନ କରାଯିବ ସେ ସଂକ୍ରାନ୍ତରେ କିନ୍ତୁ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ ।

ଆଇନ୍‍ ବିଭାଗରେ ଉପଲବ୍ଧ ତଥ୍ୟ ମୁତାବକ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍‍ ମନ୍ତ୍ରୀ ଥିବାବେଳେ ନୀଳମଣି ରାଉତରାୟଙ୍କ ସରକାର ଅମଳରେ ଶେଷଥର ପାଇଁ ରତ୍ନଭଣ୍ଡାର ସଂପତ୍ତିର ଗଣତି ମଣତି କରାଯାଇଥିଲା । ସେତେବେଳେ ଏହି କାମ ପାଇଁ ଅନ୍ୟୁନ ୭୨ଦିନ ସମୟ ଲାଗିଥିଲା । ୧୯୭୮ରେ ମଇ ୧୩ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ଭିତର ଓ ବାହାର ରତ୍ନଭଣ୍ଡାର ସାମଗ୍ରୀର ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ ହୋଇଥିଲା । ସେତେବେଳେ ରତ୍ନଭଣ୍ଡାରରେ ପ୍ରାୟ ୧୪୯ କିଲୋ ସୁନା ଓ ୨୫୮ କିଲୋ ରୁପା ସାମଗ୍ରୀ ଥିବା ହିସାବ କରାଯାଇଥିଲା । ଏହାଛଡ଼ା ଆଉ ୧୪ଟି ସୁନା ଓ ରୁପା ଜିନିଷ ବିଭିନ୍ନ କାରଣରୁ ଓଜନ କରାଯାଇପାରିନଥିଲା ।

ଇତିମଧ୍ୟରେ ୪୭ବର୍ଷ ଅତିକ୍ରମ କରିଗଲାଣି । ଏହି ସମୟ ମଧ୍ୟରେ ଅନେକ ଭକ୍ତ ଶ୍ରୀମନ୍ଦିର ପାଇଁ ନିଶ୍ଚିତ ଭାବେ ମୂଲ୍ୟବାନ ଅଳଙ୍କାରମାନ ପ୍ରଦାନ କରିଛନ୍ତି । ସେ ସବୁ ରତ୍ନଭଣ୍ଡାରରେ ରହିଛି କି ବ୍ୟାଙ୍କ ଲକ୍‍ର କିମ୍ବା ଅନ୍ୟ କୌଣସି ସ୍ଥାନରେ ଅଛି ତାହାର ନିର୍ଦ୍ଦିଷ୍ଟ ଖବର ବି ସାର୍ବଜନୀନ ହେଉନାହିଁ । ସଂଯୋଗକ୍ରମେ ଏବେ ବିଶ୍ୱଭୂଷଣଙ୍କ ପୁତ୍ର ପୃଥ୍ୱୀରାଜ ହରିଚନ୍ଦନ ଆଇନ୍‍ ବିଭାଗର ମନ୍ତ୍ରୀ ରହିଛନ୍ତି । ୧୯୭୮ରେ ପ୍ରବଳ ଚାପ ଓ ପ୍ରତିକୂଳ ପରସ୍ଥିତିକୁ ଖାତିର ନକରି ସେତେବେଳେର ସରକାର ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ସହଯୋଗ କ୍ରମେ ଗଣତି ମଣତି କାର୍ଯ୍ୟ କରିଥିଲେ । ତେବେ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେଇ ପ୍ରତିଶ୍ରୁତି ମୁତାବକ ଗଣତି ମଣତି ହେବ ବୋଲି କୁହାଯାଇଛି ।(ତଥ୍ୟ)