Home Judiciary ଅନୁକମ୍ପା ନିଯୁକ୍ତି ପ୍ରସଙ୍ଗରେ ସରକାର ଅପଦସ୍ତ

ଅନୁକମ୍ପା ନିଯୁକ୍ତି ପ୍ରସଙ୍ଗରେ ସରକାର ଅପଦସ୍ତ

ଭୁବନେଶ୍ୱର : ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତରେ ବହୁ କ୍ଷେତ୍ରରେ ରାଜ୍ୟ ସରକାର ନିଜ ସଂଶୋଧିତ ଆଇନ୍‍ ଓ ଅଦାଲତଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରି ଓଲଟା ମାମଲା ରୁଜୁକରି ଅପଦସ୍ତ ହେଉଛନ୍ତି । ଏଥିଯୋଗୁଁ ହାଇକାର୍ଟରେ ବହୁ ସମୟ ନଷ୍ଟ ହେଉଥିବାବେଳେ ସରକାର ମଧ୍ୟ ହରଡଘଣାରେ ପଡୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ପରିବାରରୁ ଜଣେ ଉତ୍ତରାଧିକାରୀଙ୍କୁ ଆର୍ଥିକ ଦୁଃସ୍ଥିତି ଆଧାରରେ ତୃତୀୟ କିମ୍ବା ଚତୁର୍ଥଶ୍ରେଣୀ ପାହ୍ୟାରେ ଯୋଗ୍ୟତା ଅନୁସାରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାପାଇଁ ୧୯୯୦ ମସିହାରେ ରାଜ୍ୟ ସରକାର ବିଧିବଦ୍ଧ ଆଇନ୍‍ ପ୍ରଣୟନ କରିଥିଲେ । ଏହା ପୂର୍ବରୁ ଶ୍ରମ ବିଭାଗର ଏକ ଚିଠି ଆଧାରରେ ଏଭଳି ନିଯୁକ୍ତି ଦିଆଯାଉଥିଲା ।

ତେବେ ୨୦୧୬ ମସିହାରେ ରାଜ୍ୟ ସରକାର ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‍ରେ ପ୍ରଥମେ କେତେକ ସଂଶୋଧନ ଆଣିଥିଲେ । ପରବର୍ତ୍ତୀ ସମୟରେ ୨୦୨୦ ମସିହାରେ ଏହି ଆଇନ୍‍ରେ ଯେଉଁ ନୂତନ ବ୍ୟବସ୍ଥା ଖଞ୍ଜାଗଲା ସେଥିରେ ଅନୁକମ୍ପାମୂଳକ ନିଯୁକ୍ତି ପାଇବା ଏକ ପ୍ରକାର କଷ୍ଟସାଧ୍ୟ ବ୍ୟାପାର ହୋଇଗଲା । ଏହି ସଂଶୋଧିତ ଆଇନ୍‍ରେ ଏକଥା ମଧ୍ୟ ଉଲ୍ଲେଖ କରାଗଲା ଯେ ପୂର୍ବରୁ ୧୯୯୦ ଓ ୨୦୧୬ର ସଂଶୋଧିତ ଆଇନ୍‍ ଆଧାରରେ ଯେତେ ସଂଖ୍ୟକ ଆବେଦନପତ୍ର ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ପଡି ରହିଛି ସେସବୁକୁ ୨୦୨୦ର ନୂଆଆଇନ୍‍ ଆଧାରରେ ବିଚାର କରାଯିବ ।

ନୂଆ ଆଇନ୍‍ ଆସିବାପରେ ପୁରୁଣା ଦରଖାସ୍ତଗୁଡିକୁ କର୍ତ୍ତୃପକ୍ଷ ଆଖିବୁଜା ନାକଚ କରିଦେବାରୁ ଓଡିଶା ହାଇକୋର୍ଟରେ ଏ ସଂକ୍ରାନ୍ତରେ ଶହ ଶହ ମାମଲା ରୁଜୁ ହେଲା । ହାଇକୋର୍ଟଙ୍କ ବିଭିନ୍ନ ଜଣିକିଆ ଖଣ୍ଡପୀଠ ସ୍ପଷ୍ଟ ରାୟ ଦେଇ ପୁରୁଣା ଆବେଦନପତ୍ରଗୁଡିକୁ ନୂଆ ଆଇନ୍‍ ଆଧାରରେ ବିଚାର କରାଯାଇ ପାରିବନାହିଁ ବୋଲି ଉଲ୍ଲେଖ କରିବା ସହିତ ପୁରୁଣା ଆଇନ୍‍କୁ ଏଥିଲାଗି ଲାଗୁ କରିବାକୁ କହିଥିଲେ ।
ଏ ସଂକ୍ରାନ୍ତୀୟ ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା ଏବଂ ମଳୟାନନ୍ଦ ସେଠୀ ମାମଲାରେ ସୁପ୍ରିମ୍‍କୋର୍ଟ ସ୍ପଷ୍ଟ କରିଦେଇଥିଲେ ଯେ ସରକାରୀକଳର ବିଳମ୍ବ ଯୋଗୁଁ ପୁରୁଣା ଆଇନ୍‍ ଆଧାରରେ ତୁରନ୍ତ ନିଯୁକ୍ତି ଦିଆଯାଇନଥିବା ପରିପ୍ରେକ୍ଷୀରେ ଯେଉଁ କ୍ଷେତ୍ରରେ କର୍ମଚାରୀଙ୍କର ମୃତ୍ୟୁ ନୂଆ ଆଇନ୍‍ ଆସିବା ପୂର୍ବରୁ ହୋଇଛି ସେ କ୍ଷେତ୍ରରେ ପୂର୍ବରୁ ବଳବତ୍ତର ଥିବା ପୁରୁଣା ଆଇନ୍‍ ଅନୁଯାୟୀ ନିଯୁକ୍ତି ଦିଆଯିବ ।

ନୂଆ ସରକାର ଆସିବାପରେ ଚଳିତବର୍ଷ ପୁଣି ଥରେ ଏହି ଆଇନ୍‍ରେ ସଂଶୋଧନ ଆଣି ୨୦୨୦ ର ଆଇନ୍‍ ପୂର୍ବରୁ ଯେଉଁ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ସେମାନଙ୍କର ଉତ୍ତରାଧିକାରୀଙ୍କୁ ପୁରୁଣା ଆଇନ୍‍ ଆଧାରରେ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯିବ । ଏ ପରିପ୍ରେକ୍ଷୀରେ ସୁପ୍ରିମ୍‍କୋର୍ଟରେ ରାଜ୍ୟ ସରକାରଙ୍କର ବହୁ ମାମଲା ଫଏସଲା ହୋଇଥିଲା । ଓଡିଶା ହାଇକୋର୍ଟ ମଧ୍ୟ ସୁପ୍ରିମକୋର୍ଟଙ୍କୁ ଅନୁସରଣ କରି ପୁରୁଣା ଆଇନ୍‍ ଆଧାରରେ ନିଯୁକ୍ତି ଲାଗି ବିଚାର କରିବାକୁ ଆଦେଶ ଦେଉଥିଲେ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ ମାମଲାରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ରିଟ୍‍ ଅପିଲମାନ କରାଯାଉଛି ।

ପରବର୍ତ୍ତୀ ସମୟରେ ଏଭଳି ବହୁ ମାମଲାରେ ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ରିଟ୍‍ ଅପିଲ୍‍ଗୁଡିକ ଫଏସଲା କରି ସୁପ୍ରିମକୋର୍ଟଙ୍କ ରାୟ ଏବଂ ୨୦୨୫ର ସଂଶୋଧିତ ଆଇନ୍‍ ଆଧାରରେ ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତରେ ବିଚାର କରି ବିଭାଗୀୟ କର୍ତ୍ତୃପକ୍ଷ ସୀମିତ ସମୟ ମଧ୍ୟରେ ନିଷ୍ପତ୍ତି ନେବାକୁ କହୁଛନ୍ତି । ଏଥିରେ ତ୍ରୁଟି ବିଚ୍ୟୁତି ହେଲେ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଅର୍ଥ ତଣ୍ଡ ଆଦାୟ ହେବବୋଲି ହଇକୋର୍ଟ ମଧ୍ୟ ଇତି ମଧ୍ୟରେ କେତେକ ମାମଲାରେ ନିଦେର୍ଦଶ ଦେଲେଣି । ତେବେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ନିଜ ଆଇନ୍‍ର ନିଜେ ଅନୁପାଳନ ନକରି ଯେପରି ରିଟ୍‍ ଅପିଲମାନ ରୁଜୁ କରୁଛନ୍ତି ତାହା କେତେଦୂର ପ୍ରାସଙ୍ଗିକ (ତଥ୍ୟ)