Home Health ଗୁଟ୍‍ଖା ବେପାରୀଙ୍କ ସୁରକ୍ଷିତ ସ୍ଥାନ ଓଡିଶା

ଗୁଟ୍‍ଖା ବେପାରୀଙ୍କ ସୁରକ୍ଷିତ ସ୍ଥାନ ଓଡିଶା

ଭୁବନେଶ୍ୱର : ଦେଶର ୧୫ରୁ ଅଧିକ ରାଜ୍ୟର ବ୍ୟବସାୟୀମାନେ ସେମାନଙ୍କର ଗୁଟ୍‍ଖା, ପାନମସଲା ଓ ତମାଖୁ ଆଦିକୁ ଓଡିଶା ବଜାରରେ ବେଧଡକ ଭାବେ ବିକ୍ରି କରୁଛନ୍ତି । ଯଦିଓ ଓଡିଶା ସରକାର ଓଡିଶାରେ ଏହାର ବିକ୍ରି ନିଷେଧ କରିଛନ୍ତି, କିନ୍ତୁ ସରକାରୀକଳର ନିଷ୍କ୍ରିୟତାରୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଓଡିଶାରେ ସେମାନଙ୍କର ବେପାର ଚଳାଇଥିବାବେଳେ ରାଜ୍ୟ ସରକାର ବି ଏହି ନିଷିଦ୍ଧ ସାମଗ୍ରୀରୁ ଟିକସ ଆଦାୟ କରିବାରେ ଲାଗିଛନ୍ତି ।

ଓଡିଶାରେ ଏବେ ସହର ଠାରୁ ଗାଁ ପର୍ଯ୍ୟନ୍ତ କର୍କଟ ସୃଷ୍ଟିକାରୀ ବିଭିନ୍ନ କିସମର ଗୁଟ୍‍ଖା ଠାରୁ ଆରମ୍ଭକରି ବିଭିନ୍ନ ରୋଗ ସୃଷ୍ଟିକାରୀ ପାନମସଲା ଓ ତମ୍ବାଖୁ ଆଦି ବହୁ ଭାବେ ବିକ୍ରି ହେଉଛି । ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଏହାକୁ ଖୋଲାଖୋଲି ଭାବେ ସେବନ କରୁଛନ୍ତି । ରାଜ୍ୟ ସରକାର କିନ୍ତୁ ୨୦୧୩ ମସିହାରୁ ଏହିସବୁ ସାମଗ୍ରିର ଉତ୍ପାଦନ, ମହଜୁଦ, ବିକ୍ରି ଆଦି ରାଜ୍ୟରେ ହୋଇପାରିବନାହିଁ ବୋଲି ଆଇନ୍‍ କରିଛନ୍ତି । ଯଦି କିଏ ଆଇନ୍‍ର ଉଲ୍ଲଙ୍ଘନ କରିବ ତେବେ ସିଏ ଦଣ୍ଡିତ ହେବ ।

ହେଲେ ସରକାରଙ୍କର ଏହି କଟକଣାକୁ ପ୍ରାୟତଃ କେହି ମାନୁ ନାହାନ୍ତି । ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିଆନା, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦିର ରାଜ୍ୟରୁ ଦୈନିକ ଟ୍ରକ ଟ୍ରକ ଗୁଟ୍‍ଖା ଓ ତମ୍ବାଖୁ ଆଦି ଓଡିଶା ବଜାରରେ ପ୍ରବେଶ କରୁଛି । ଏହିସବୁ ସାମଗ୍ରୀ ଓ ଏହାର ବ୍ୟବସାୟୀଙ୍କ ଉପରେ ଚଢଉ ହେଉନଥିବାରୁ ସେମାନେ ରାଜ୍ୟ ପ୍ରଶାସନକୁ ଭୟ କରୁନାହାନ୍ତି ।

ସବୁଠାରୁ ବଡ କଥା ହେଲା ଗୋଟିଏ ହାତରେ ରାଜ୍ୟ ସରକାର ଏହିସବୁ ସାମଗ୍ରୀକୁ ନିଷିଦ୍ଧ କରିଥିବାବେଳେ ଅନ୍ୟ ହାତରେ ତାହା ଉପରୁ ଟିକସ ଆଦାୟ କରୁଚନ୍ତି । ଗତ ୧୨ବର୍ଷ ମଧ୍ୟରେ ଏଥିରୁ ୫ହଜାର କୋଟି ଟଙ୍କାରୁ ଅଧିକ ଟିକସ ଆଦାୟ କରିସାରିଲେଣିା ୨୦୨୩-୨୪ ବର୍ଷରେ ଆଦାୟ ଟିକସର ପରିମାଣ ୧୦୧୨ କୋଟି ଟଙ୍କାକୁ ଟପିଯାଇଛି । ନିଷିଦ୍ଧ ସାମଗ୍ରୀ ଉପରୁ କିଭଳି ସରକାରୀକଳ ଟିକସ ଆଦାୟ କରୁଛି ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଯେହେତୁ ଅର୍ଥ ବିଭାଗ ଟିକସ ଆଦାୟ କରୁଛି, ତେଣୁ ଅନ୍ୟ ବିଭାଗ ଗୁଡିକ ଭୟରେ ଚଢଉ କରୁନଥିବା ଜଣାଯାଇଛି ।

ସରକାରଙ୍କର ଏଭଳି କୋହଳ ମନୋଭାବ ଦେଖି ଅନ୍ୟ ରାଜ୍ୟର ଗୁଟ୍‍ଖା ବ୍ୟବସାୟୀମାନେ ଏବେ ଓଡିଶାକୁ ସେମାନଙ୍କର ପ୍ରମୁଖ ବ୍ୟବସାୟସ୍ଥଳ ଭାବେ ବାଛି ନେଇଛନ୍ତି । ଏଥିଯୋଗୁଁ ଏବେ ଗାଁ ଗହଳର ପିଲାମାନେ ଗୁଟ୍‍ଖା ଅଭ୍ୟସ୍ତ ହେଉଛନ୍ତି ଓ ଅନେକ ବୟସ୍କଙ୍କ ଠାରେ ମୁଖଗହ୍ୱର କର୍କଟ ଚିହ୍ନଟ ହେବାରେ ଲାଗିଛି । ସେହିଭଳି କୋଟ୍‍ପା ଆଇନ୍‍ ଅନୁଯାୟୀ ଶିକ୍ଷାନୁଷ୍ଠାନ ନିକଟରେ ଗୁଟ୍‍ଖା ଓ ତମ୍ବାଖୁ ବିକ୍ରି ବେଆଇନ୍‍ ହୋଇଥିବାବେଳେ ତାହାକୁ ବି କେହି ମାନୁନାହାନ୍ତି । ବରଂ ଧିରେ ଧିରେ କେତେକ ଗୁଟ୍‍ଖା ଉତ୍ପାଦନ କମ୍ପାନୀ ନିଜ ସାମଗ୍ରୀର କାରବାର ବଢାଇବାପାଇଁ ଭିନ୍ନ ଭିନ୍ନ ଉପରେ ବିଜ୍ଞାପନ ଦେବାରେ ଲାଗିଛନ୍ତି । (ତଥ୍ୟ)