ଭୁବନେଶ୍ୱର : ବେସରକାରୀ ଆମ୍ବୁଲାନ୍ସଗୁଡିକୁ ସରକାରୀ ନିୟନ୍ତ୍ରଣକୁ ଆଣିବାରେ ବିଳମ୍ବ ହେଉଥିବାବେଳେ ଏମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷକରି ହସ୍ପିଟାଲ ନିକଟରେ ରହୁଥିବା ଆମ୍ବୁଲାନ୍ସଗୁଡିକ ସଂଘବଦ୍ଧ ହୋଇ ଅନ୍ୟ ଆମ୍ବୁଲାନ୍ସଗୁଡିକୁ ପୂରାଇ ଦେଉ ନାହାନ୍ତି । ଏହା ଫଳରେ ରୋଗୀଙ୍କ ସମ୍ପର୍କୀୟମାନେ କେବଳ ଶୋଷଣର ଶିକାର ହେଉନାହାନ୍ତି, କେତେକ ସ୍ଥାନରେ ଆକ୍ରମଣର ସମ୍ମୁଖୀନ ବି ହେଉଛନ୍ତି ।
ରାଜ୍ୟରେ ରୋଗୀ ପରିବହନ ପାଇଁ ସରକାରଙ୍କ ନିୟନ୍ତ୍ରଣାଧିନ ୧୦୮ ଆମ୍ବୁଲାନ୍ସ ରହିଥିବାବେଳେ ଏଗୁଡିକର ସଂଖ୍ୟା କମ୍ ଯୋଗୁଁ ବହୁ ରୋଗୀମାନେ ବେସରକାରୀ ଆମ୍ବୁଲାନ୍ସ ଉପରେ ନିର୍ଭରଶୀଳ ହେଉଛନ୍ତି । ବିଶେଷକରି ସହରାଞ୍ଚଳରେ ରୋଗୀମାନେ ଘରୋଇ ଆମ୍ବୁଲାନ୍ସକୁ ଅଧିକ ପସନ୍ଦ କରିଥାନ୍ତି । ଏଥିପାଇଁ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନା ନିକଟରେ ଆମ୍ବୁଲାନ୍ସ ଉପଲବ୍ଧ ରହିଥାଏ ।
ହେଲେ ଏହି ଆମ୍ବୁଲାନ୍ସଗୁଡିକ କେଉଁ ସ୍ଥାନକୁ କେତେ ଭଡା ନେବେ ତାହା ନିର୍ଦ୍ଧାରଣ ହୋଇପାରୁ ନାହିଁ । ତେଣୁ ରୋଗୀଙ୍କ ଅବସ୍ଥା ଦେଖି ଆମ୍ବୁଲାନ୍ସଗୁଡିକ ବ୍ୟବସ୍ଥା କରୁଛନ୍ତି । ସବୁଠାରୁ ବଡକଥା ହେଲା ଯଦି ରୋଗୀଙ୍କ ସମ୍ପର୍କୀୟମାନେ ଅନ୍ୟ ସ୍ଥାନରୁ ନିଜର ଚିହ୍ନା ପରିଚୟ ଥିବା ଆମ୍ବୁଲାନ୍ସକୁ ଡାକୁଛନ୍ତି ତେବେ ସେମାନଙ୍କୁ ରୋଗୀ ନେବାପାଇଁ ସ୍ଥାନୀୟ ଆମ୍ବୁଲାନ୍ସ ଚାଳକମାନେ ଦେଉ ନାହାନ୍ତି । ରାସ୍ତା ଅବରୋଧ କରି ରଖୁଛନ୍ତି । ରୋଗୀଙ୍କ ସମ୍ପର୍କୀୟଙ୍କୁ ନାଲିଆଖି ଦେଖାଇବାକୁ ପଛାଉ ନାହାନ୍ତି । ଫଳରେ ଲୋକେ ବାଧ୍ୟହୋଇ ସେଠାରେ ଥିବା ଆମ୍ବୁଲାନ୍ସରେ ହିଁ ରୋଗୀଙ୍କୁ ନେଉଛନ୍ତି ।
ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ‘ଓଡିଶା ଯାତ୍ରୀ’ ଆପ୍ରେ ଆମ୍ବୁଲାନ୍ସ ସେବାକୁ ସାମିଲ ପାଇଁ ବାରମ୍ବାର କୁହାଯାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ହୋଇପାରୁ ନାହିଁ । ଏହା ହେଲେ ଆମ୍ବୁଲାନ୍ସଗୁଡିକ ପାଇଁ ଦର ଧାର୍ଯ୍ୟ ହୋଇପାରନ୍ତା ଏବଂ ଲୋକେ ଆପ୍ ଜରିଆରେ ନିଜ ପସନ୍ଦର ଆମ୍ବୁଲାନ୍ସ ବୁକିଂ କରିପାରନ୍ତେ । କିନ୍ତୁ ‘ଓଡିଶା ଯାତ୍ରୀ’ ବେଶ୍ ସଫଳତା ପାଇବା ସହିତ ଅନ୍ୟ ପରିବହନ ଆପ୍ଗୁଡିକୁ ଟକ୍କର ଦେଉଥିବାବେଳେ ସରକାର ଘୋଷଣା ଅନୁଯାୟୀ ଆମ୍ବୁଲାନ୍ସଗୁଡିକୁ ଏଥିରେ କାହିଁକି ସାମିଲରେ ବିଳମ୍ବ କରୁଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଅଳ୍ପଦିନ ତଳେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଅନ୍ୟ ରାଜ୍ୟକୁ ମୃତଦେହ ନେବାପାଇଁ ମୃତକଙ୍କ ସମ୍ପର୍କୀୟମାନେ ବାହାରୁ ଶସ୍ତାରେ ଆମ୍ବୁଲାନ୍ସ ମଗାଇବାପରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ପୁଲିସ୍ ଏଥିରେ ହସ୍ତକ୍ଷେପ କରି ମୃତ ଦେହକୁ ତାଙ୍କ ରାଜ୍ୟକୁ ପଠାଇଥିଲା । ଏଭଳି ଛୋଟ ମୋଟ ଘଟଣା ରାଜଧାନୀର ଅନ୍ୟ ଚିକିତ୍ସାଳୟ ନିକଟରେ ଘଟୁଥିଲେ ମଧ୍ୟ ଚିକିତ୍ସାରେ ବ୍ୟସ୍ତ ଓ ମ୍ରିୟମାଣ ରୋଗୀଙ୍କ ସମ୍ପର୍କୀୟମାନେ ଝାମେଲାରେ ନପଶି ସେହିଠାରେ ଥିବା ଘରୋଇ ଆମ୍ବୁଲାନ୍ସର ସହାୟତା ନେଉଛନ୍ତି ।
ସ୍ଥିତି ଦିନକୁ ଦିନ ବିଗୁଡୁଥିବାରୁ ରାଜ୍ୟ ସରକାର ତୁରନ୍ତ ଘରୋଇ ଆମ୍ବୁଲାନ୍ସଗୁଡିକର ସ୍ଥିତି ଯାଞ୍ଚ ସହିତ ଏହାପାଇଁ ଦରଧାର୍ଯ୍ୟ କରିବା ଏବଂ ସରକାରୀ ଆପ୍ ‘ଓଡିଶା ଯାତ୍ରୀ’ ରେ ଏହି ସୁବିଧା ରଖିବାପାଇଁ ମତପ୍ରକାଶ ପାଉଛି । କାରଣ ନିକଟରେ ଜଗତ୍ସିଂହପୁର ଜିଲ୍ଲାରେ ଜଣେ ରୋଗୀଙ୍କୁ ନେଇ ଆମ୍ବୁଲାନ୍ସରେ ଅଧାବାଟରେ ଅମ୍ଳଜାନ ସରିଯିବାରୁ ମହିଳା ଯାତ୍ରୀଜଣଙ୍କ ଛଟପଟ ହୋଇ ପ୍ରାଣ ହରାଇଥିଲେ । ତେଣୁ ଘରୋଇ ଆମ୍ବୁଲାନ୍ସରେ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଜୀବନ ରକ୍ଷାକାରୀ ଉପକରଣ ସଠିକ୍ ଭବେ ରହୁଛି କି ନାହିଁ ତାହାର ଯାଞ୍ଚ ଅତ୍ୟନ୍ତ ଜରୁରୀ ହୋଇ ପଡିଛି । (ତଥ୍ୟ)