Home General ନୂଆ କୁକୁଡା ନୀତି ପାଇଁ ପ୍ରସ୍ତାବ ଦେଲା ସଂଘ

ନୂଆ କୁକୁଡା ନୀତି ପାଇଁ ପ୍ରସ୍ତାବ ଦେଲା ସଂଘ

ଭୁବନେଶ୍ୱର : ରାଜ୍ୟ ସରକାର ଦଶ ବର୍ଷ ପରେ ନୂତନ କୁକୁଡା ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଏଥିରେ ଗାଁ ଗହଳରେ ଥିବା କୁକୁଡା ବ୍ୟବସାୟୀଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବାକୁ ପ୍ରସ୍ତାବ ଦିଆଯାଇଛି । ଓଡିଶା କୁକୁଡା ବ୍ୟବସାୟୀ ସଂଘ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିବାଛି ।

ରାଜ୍ୟ ପଶୁ ସମ୍ପଦ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆପିକଲ ଓ କୁକୁଡା ଚାଷ ଓ ବ୍ୟବସାୟ ସହିତ ଜଡିତ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଓଡିଶା କୁକୁଡା ବ୍ୟବସାୟ ସଂଘର ସମ୍ପାଦକ ଜ୍ୟୋତି କାନ୍ତ ମହାପାତ୍ର ଦେଇଥିବା ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି ଯେ କୁକୁଡା ବ୍ୟବସାୟର ମେରୁଦଣ୍ଡ କୁହାଯାଉଥିବା ଦୋକାନଗୁଡିକ ସହର ଠାରୁ ଗାଁ ଗହଳ ପର୍ଯ୍ୟନ୍ତ ରହିଛି । ସହରରେ ଯଦିଓ କିଛି ଦୋକାନୀ ବ୍ୟବସ୍ଥିତଭାବେ ରହିଛନ୍ତି କିନ୍ତୁ ଲକ୍ଷାଧିକ ଦୋକାନି ଅତ୍ୟନ୍ତ ଅବ୍ୟବସ୍ଥିତ ଭାବେ ଅଛନ୍ତି । ଏହିସବୁ ଦୋକାନୀମାନଙ୍କର କୌଣସି ସ୍ଥାୟୀ ଠିକଣା ନାହିଁ ।

ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ କୁକୁଡା ବ୍ୟବସାୟ ହେଉଥିବାବେଳେ ଏମାନଙ୍କ ପାଇଁ ଜମି ଯୋଗାଇ ଦେବାକୁ ସଂଘ ପକ୍ଷରୁ କୁହାଯାଇଛି । ସ୍ଥାନୀୟ ରାଜସ୍ୱ ଅଧିକାରୀମାନେ ଜମି ଚିହ୍ନଟ କରି ଏମାନଙ୍କୁ ଦୋକାନଘର ପାଇଁ ଯୋଗାଇଦେଲେ କୁକୁଡା ବ୍ୟବସାୟ ବ୍ୟବସ୍ଥିତ ଭାବେ ହେବା ସହିତ ସରକାର ମଧ୍ୟ ରାଜସ୍ୱ ପାଇବେ । ଏଥି ସହିତ କୁକୁଡା ଦୋକାନ ଯୋଗୁଁ ପରିବେଶ ଉପରେ ଯେଭଳି ପ୍ରତିକୂଳ ପ୍ରଭାବ ପଡୁଛି ତାହାକୁ ଏଡାଇ ଦିଆଯାଇ ପାରିବ ।

ରାଜ୍ୟ ସରକାର ଓମଫେଡ୍‍, ଓପଲଫେଡ୍‍ ଆଦିକୁ ଯେଭଳି ସହରାଞ୍ଚଳରେ ବ୍ୟବସାୟ ପାଇଁ ଜମି ଯୋଗାଇଛନ୍ତି ଏବଂ ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂଜୋନ କରିଛନ୍ତି ଅନୁରୂପଭାବେ ରାଜ୍ୟର କୁକୁଡା ଦୋକାନୀମାନଙ୍କ ପାଇଁ ଏଭଳି ବ୍ୟବସ୍ଥା କରାଯାଇ ପାରିଲେ ଏ କ୍ଷେତ୍ରରେ କର୍ମନିଯୁକ୍ତିର ସୁଯୋଗ ବଢିବା ସହିତ ଲୋକେ ମଧ୍ୟ ଉନ୍ନତମାନର କୁକୁଡାମାଂସ ପାଇପାରିବେ ।

ସେହିଭଳି ଆରଏମସିଗୁଡିକ ଦ୍ୱାରା କୁକୁଡା ବ୍ୟବସାୟୀମାନେ ଯେଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାକୁ ଦୂରକରିବାପାଇଁ ମହାସଂଘ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । କୁକୁଡା ଚାଷ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଅଧିନରେ ଥିବାବେଳେ ଆରଏମସିଗୁଡିକ ସମବାୟ ବିଭାଗ ଅଧିନରେ ରହିଛି । ହେଲେ ଆରଏମସି କର୍ତ୍ତୃପକ୍ଷ ରାସ୍ତାଘାଟରେ କୁକୁଡା ପରିବହନ ଗାଡି ଉପରେ ଯେଭଳି ଜୁଲମ କରୁଛନ୍ତି ଓ ଏହାକୁ ନେଇ ଆଇନ୍‍ ଅଦାଲତରେ ମାମଲା ଚାଲୁଛି ତାହାର ପ୍ରତିକୂଳ ପ୍ରଭାବ ରାଜ୍ୟର କୁକୁଡା ବ୍ୟବସାୟ ଉପରେ ପଡୁଛି । ତେଣୁ ସ୍ୱତନ୍ତ୍ର ନୀତି ଆଣି ସମବାୟ ବିଭାଗ ଓ ପଶୁ ସମ୍ପଦ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାଲାଗି ସଂଘ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।

ଉଲ୍ଲେଖନୀୟ ଯେ ଓଡିଶାରେ ୪୦ହଜାର ଛୋଟ ବଡ କୁକୁଡାଚାଷୀ ଥିବାବେଳେ କୁକୁଡାମାଂସ ଉତ୍ପାଦନରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ପାଲଟିଛି । ଓଡିଶାରୁ ଉତ୍ପାଦିତ କୁକୁଡା ରାଜ୍ୟ ଭିତରେ ବିକ୍ରିବଟା ହେବା ସହିତ ରାଜ୍ୟ ବାହାରକୁ ବ୍ୟାପକ ଭାବେ ରପ୍ତାନି ହେଉଛି । ଗାଁ ଗହଳରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିଥିବା କୁକୁଡାଚାଷକୁ ଅଧିକ ସୁବ୍ୟବସ୍ଥିତ କରିବା ସହିତ ପ୍ରସ୍ତୁତ ହେବାକୁ ଯାଉଥିବା ନୂତନ ନୀତିରେ ପ୍ରସ୍ତାବଗୁଡିକୁ ସ୍ଥାନ ଦେବାପାଇଁ ଶ୍ରୀ ମହାପାତ୍ର ମତ ଦେଇଛନ୍ତି । (ତଥ୍ୟ)