Home General ଜାତୀୟ ଜଳମାର୍ଗ କାର୍ଯ୍ୟକ୍ଷମ କେବେ?

ଜାତୀୟ ଜଳମାର୍ଗ କାର୍ଯ୍ୟକ୍ଷମ କେବେ?

ଭୁବନେଶ୍ୱର : ଜଳପଥରେ ଯାତ୍ରୀ ଓ ପଣ୍ୟଦ୍ରବ୍ୟ ପରିବହନ ପାଇଁ ଓଡ଼ିଶାରେ ଅନ୍ୟୁନ ୬ଟି ଜଳପଥକୁ ଜାତୀୟ ଜଳମାର୍ଗ ଭାବେ ଘୋଷଣା କରାଯାଇଥିବା ବେଳେ ଏଥିରୁ କୌଣସି ଗୋଟିଏ ହେଲେ ଜଳମାର୍ଗ ସଂପୂର୍ଣ୍ଣରୂପେ କାର୍ଯ୍ୟକାରୀ ହୋଇପାରି ନାହିଁ ।

ମହାନଦୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ, ବିରୂପା, ଗେଙ୍ଗୁଟି, ଖରସୁଆଁ, କାଣୀ, ମତେଇ ଆଦି ନଦୀ, ଉପନଦୀ, ଶାଖାନଦୀ ଓ ଏହାର କେନାଲଗୁଡ଼ିକରେ ଜଳମାର୍ଗ ସୃଷ୍ଟି କରିବା ପାଇଁ ପ୍ରସ୍ତାବ ରହିଛି । ତାଳଚେରଠାରୁ ପଶ୍ଚିମବଙ୍ଗର ଜିଓଖାଲି ପର୍ଯ୍ୟନ୍ତ ଅଞ୍ଚଳରେ ଜଳପଥରେ ଯାତାୟାତ ପାଇଁ ପ୍ରାୟ ୫୮୮ କିଲୋମିଟର ଦୈର୍ଘ୍ୟର ଦୂରତାକୁ କେନ୍ଦ୍ର ସରକାର ତାଙ୍କ ୨୦୧୬ର ନୀତି ଅନୁଯାୟୀ ୫ନଂ ଜାତୀୟ ଜଳମାର୍ଗ ଭାବେ ଘୋଷଣା କରିଛନ୍ତି । ଏହା କାର୍ଯ୍ୟକାରୀ ହେଲେ ଧାମରା ଓ ପାରାଦୀପ ବନ୍ଦର ବିଶେଷ ଲାଭବାନ ହୋଇପାରିବ ।

ତାଳଚେର ନିକଟବର୍ତ୍ତୀ ପଙ୍କପାଳଠାରେ ଏହି ଜଳମାର୍ଗ ପାଇଁ ବ୍ରାହ୍ମଣୀ ନଦୀରେ ଏକ ଜେଟି ଟର୍ମିନାଲ୍‍ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ସେହିଭଳି ମଙ୍ଗଳାଗଡ଼ି, ଧାମରା, ହଂସୁଆ, ଲୁଣା, ଗୋବରୀ ନଦୀର ବିକାଶ କରି ଏହି ଜଳପଥକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରସ୍ତାବ ଥିବାବେଳେ ଏଥିଲାଗି ପ୍ରାୟ ୯୫ କୋଟି ଟଙ୍କା ଖର୍ଚ୍ଚ ସରିଲାଣି ଏବଂ ପଙ୍କପାଳଠାରେ ୧୧୫ ଏକର ଜମି ଅଧିଗ୍ରହଣ ପାଇଁ ମଧ୍ୟ କାର୍ଯ୍ୟ ଚାଲିଥିବା ଜଣାପଡିଛି ।

ଚୌଦ୍ୱାରର ବିରୂପା ନିକଟରୁ ବ୍ରାହ୍ମଣୀ ଓ ବିରୂପାର ସଂଗମସ୍ଥଳ କାଇପଡ଼ା ଓ ବ୍ରାହ୍ମଣୀ ନଦୀର କାଟଣା ପର୍ଯ୍ୟନ୍ତ ଅଞ୍ଚଳକୁ ବିକାଶିତ କରି ୧୫୬ କିଲୋମିଟର ଦୈର୍ଘ୍ୟର ଜାତୀୟ ଜଳମାର୍ଗ-୨୨ କାର୍ଯ୍ୟକ୍ଷମ ହେବ ବୋଲି ଆଶା ରହିଛି । ସରକାର ମଧ୍ୟ ବୈତରଣୀ ନଦୀରେ ଯାଜପୁର ଜିଲ୍ଲା ଦତ୍ତପୁରଠାରୁ ଧାମରା ଓ ବୈତରଣୀ ନଦୀର ମିଳନସ୍ଥଳ ପର୍ଯ୍ୟନ୍ତ ପାଖାପାଖି ୫୦ କିଲୋମିଟର ଅଞ୍ଚଳକୁ ଜାତୀୟ ଜଳମାର୍ଗ-୧୪ ଭାବେ ଘୋଷଣା କରାଯାଇଛି । ଏଥିଲାଗି ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ଚାଲିଛି ।

ସମ୍ବଲପୁରରୁ ପାରାଦୀପ ପର୍ଯ୍ୟନ୍ତ ମହାନଦୀ ବକ୍ଷରେ ୪୨୫ କିଲୋମିଟର ଦୈର୍ଘ୍ୟ ଅଞ୍ଚଳକୁ ଜାତୀୟ ଜଳମାର୍ଗ-୬୪ର ମାନ୍ୟତା ଦିଆଯାଇଥିବା ବେଳେ ଭାରତୀୟ ଜଳମାର୍ଗ ପ୍ରାଧିକରଣ ଏହାର ପ୍ରୋଜେକ୍ଟ ରିପୋର୍ଟର ଅନୁଧ୍ୟାନ କରୁଛନ୍ତି । ସେହିପରି ଝାଡ଼ଖଣ୍ଡର ଚାନ୍ଦିଲି ନଦୀବନ୍ଧଠାରୁ ବଙ୍ଗୋପସାଗରରେ ସୁବର୍ଣ୍ଣରେଖା ମିଶିଥିବା ଅଞ୍ଚଳ ପର୍ଯ୍ୟନ୍ତ ପ୍ରାୟ ୩୧୫ କିଲୋମିଟର ଦୈର୍ଘ୍ୟ ନଦୀପଥକୁ କେନ୍ଦ୍ର ସରକାର ଜାତୀୟ ଜଳମାର୍ଗ-୯୬ ଭାବେ ଘୋଷଣା କରିଛନ୍ତି । ଏହାର ପ୍ରକଳ୍ପ ରିପୋର୍ଟ ବି ଭାରତୀୟ ଜଳମାର୍ଗ ପ୍ରାଧିକରଣ ଯାଞ୍ଚ କରୁଛି । ଏହାଛଡ଼ା ବୁଢ଼ାବଳଙ୍ଗ ନଦୀର ମୟୂରଭଞ୍ଜ ଜିଲ୍ଲାରେ ଥିବା ଆନିକଟଠାରୁ ବାଲେଶ୍ୱରର ଚାନ୍ଦିପୁରଠାରେ ଏହି ନଦୀ ବଙ୍ଗୋପସାଗରରେ ଯେଉଁଠି ମିଶିଛି ସେ ପର୍ଯ୍ୟନ୍ତ ପ୍ରାୟ ୬୦ କିଲୋମିଟର ଦୈର୍ଘ୍ୟର ନଦୀପଥକୁ ଜାତୀୟ ଜଳମାର୍ଗ-୨୩ ଭାବେ ଘୋଷଣା କରାଯାଇଛି । ଏହି ପ୍ରକଳ୍ପ ସଂକ୍ରନ୍ତରେ ମଧ୍ୟ ଅନୁଧ୍ୟାନ ଚାଲିଛି ।

ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଏକତରଫା ଭାବେ ବନ୍ଧମାନ ନିର୍ମାଣ କରି ଜଳସ୍ରୋତକୁ ରୋକିଥିବା ପରିପ୍ରେକ୍ଷୀରେ ବର୍ଷାଦିନ ବ୍ୟତୀତ ଅନ୍ୟ ସମୟରେ ମହାନଦୀର ଶଯ୍ୟା ଶୁଖିଲା ପଡୁଛି । ଏ ପରିପ୍ରେକ୍ଷୀରେ ମହାନଦୀରେ ଜାତୀୟ ଜଳମାର୍ଗ କାର୍ଯ୍ୟକ୍ଷମ ହେବା ଘେନି ପରିବେଶବିତ୍‍ମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବିରୂପା, ଗେଙ୍ଗୁଟି, ଖରସୁଆଁ ଆଦି ନଦୀଗୁଡ଼ିକ ବହୁମାତ୍ରାରେ ପ୍ରଦୂଷିତ ହୋଇଥିବା ସହ ନଦୀଗୁଡ଼ିକର ଗତିପଥ ପରିବର୍ତ୍ତନ ଏବଂ ମୃର୍ତ୍ତିକା କ୍ଷୟ, ଜଳବାୟୁ ପରିବର୍ତ୍ତନ, ବୃଷ୍ଟିପାତର ଅନିୟମିତତା ଆଦି ବିଭିନ୍ନ କାରଣରୁ ଓଡ଼ିଶାର ନଦୀଗୁଡ଼ିକର ଜଳଧାରଣା କ୍ଷମତା ହ୍ରାସ ପାଇବାରେ ଲାଗିଛି । ନଦୀଗୁଡ଼ିକରେ ଜଳଧାରଣ କ୍ଷମତା ବର୍ଷତମାମ ବୃଦ୍ଧି ପାଇଲେ ଜଳପଥରେ ଯାତ୍ରୀ ଓ ଜିନିଷ ପରିବହନ ସହଜରେ ଓ ଶସ୍ତାରେ ହୋଇପାରିବ ବୋଲି ଆଶା କରାଯାଉଛି । (ତଥ୍ୟ)