Home News in Odia ତିନି ଦଳ ପାଇଁ ନୂଆପଡାରେ ଆହ୍ୱାନ

ତିନି ଦଳ ପାଇଁ ନୂଆପଡାରେ ଆହ୍ୱାନ

ଭୁବନେଶ୍ୱର : ରାଜ୍ୟର ସବୁ ରାଜନୈତିକ ଦଳଙ୍କ ପାଇଁ ନୂଆପଡା ବିଧାନସଭା ଉପର୍ନିବାଚନ ଏବେ ଏକ ଆହ୍ୱାନରେ ପରିଣତ ହେବାକୁ ଯାଉଛି । ବିଶେଷକରି ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ଏହା ସମ୍ମାନର ପ୍ରଶ୍ନବାଚୀ ଛିଡା କରିଛି ।

ପୂର୍ବତନ ମନ୍ତ୍ରୀ ତଥା ନୂଆପଡାର ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ମୃତ୍ୟୁର ୧୦ଦିନ ନବିତୁଣୁ ଏହି ଆସନ କେଉଁଦଳ ହାତେଇବ ସେଥିଘେନି ଚର୍ଚ୍ଚା ଚାଲିଥିବାବେଳେ ଓଡିଶା ବିଧାନସଭା ପକ୍ଷରୁ ନୂଆପଡା ବିଧାୟକ ଶ୍ରୀ ଢୋଲକିଆଙ୍କ ମୃତ୍ୟୁ ଜନିତ କାରଣରୁ ଏହି ଆସନ ଖାଲି ପଡିଥିବା ନିର୍ବାଚନ କମିଶନଙ୍କୁ ଜଣାଇ ଦିଆଯାଇଛି । ଅନ୍ୟ ପକ୍ଷରେ ଉପନିର୍ବାଚନକୁ ଆଖିଆଗରେ ରଖି ନୂଆପଡା ବିଧାନସଭା କ୍ଷେତ୍ରର ଭୋଟର ତାଲିକାରେ ସଂକ୍ଷିପ୍ତ ସଂଶୋଧନ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସଂଶୋଧନ ପରେ ଆସନ୍ତା ଅକ୍ଟୋବର ୯ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି କାର୍ଯ୍ୟସୂଚୀ ରହିଛି ।

ଗତ ନିର୍ବାଚନରେ ସ୍ୱର୍ଗତ ଢୋଲକିଆ ବିଜେଡି ଟିକଟରେ ଏଠାରୁ ପାଖାପାଖି ୬୨ହଜାର ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୪୫ହଜାରରୁ କମ୍‍ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେତେବେଳର ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏହି ଆସନରୁ ମାତ୍ର ୧୫,୫୦୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ଏହି ଆସନରୁ ବି ବହୁଜନ ସମାଜପାର୍ଟି, ସମାଜବାଦୀ ପାର୍ଟିର ପ୍ରାର୍ଥୀଙ୍କ ସମେତ ଆଉ ୨ଜଣ ସ୍ୱାଧୀନ ପ୍ରାର୍ଥୀ ଲଢିଥିଲେ ।

ଓଡିଶାରେ ବିଜେପି ଶାସନ କ୍ଷମତାକୁ ଆସିବାପରେ ଏହା ହେଉଛି ପ୍ରଥମ ଉପନିର୍ବାଚନ । ତେଣୁ ଏହି ଆସନ କବ୍‍ଜା କରିବା ବିଜେପି ପାଇଁ ମର୍ଯ୍ୟାଦାର ପ୍ରଶ୍ନ । ପୂର୍ବରୁ ବିଜେପିର ବରିଷ୍ଠ ନେତା ବସନ୍ତ କୁମାର ପଣ୍ଡା ଏକଦା ଏହି ଆସନରୁ ଜିଣିଥିଲେ । ତେବେ ତାଙ୍କୁ ଗାଦିଚ୍ୟୁତ କରି ରାଜେନ୍ଦ୍ର ଢୋଲକିଆ ନୂଆପଡା ଅକ୍ତିଆର କରିବା ସହ ରାଜ୍ୟ ମନ୍ତ୍ରୀମଣ୍ଡଳରେ ନବୀନ ପଟ୍ଟନାୟକଙ୍କ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ନୂଆପଡା ଆସନ ଦଖଲ କରିବା ଏକ ଆହ୍ୱାନ ହୋଇଥିବାବେଳେ ବିଜେଡି ମଧ୍ୟ ତାହାର ଏହି ଆସନଟି କିଭଳି ବଜାୟ ରଖିବ ସେଥିଲାଗି ପ୍ରୟାସ ଆରମ୍ଭ କରିଛି ।

ଅନ୍ୟ ପକ୍ଷରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଏକଦା ଅଗ୍ନିବର୍ଷି ନେତା ଥିବା ଭକ୍ତଚରଣ ଦାସ ପୂର୍ବରୁ ଭବାନୀପାଟଣା ବିଧାନସଭା ଓ ଲୋକସଭା କ୍ଷେତ୍ରରୁ ଏକାଧିକବାର ବିଜୟୀ ହୋଇ କେନ୍ଦ୍ରମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ । ଗତ ବିଧାନସଭା ନିର୍ବାଚନରେ ତାଙ୍କ ପୁଅ ବିଧାୟକ ଭାବେ ନିର୍ବାଚିତ ହୋଇପାରିଥିବାବେଳେ ଭକ୍ତ କିନ୍ତୁ ପରାଜୟବରଣ କରିଥିଲେ । ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ତାଙ୍କର ଯେଉଁ ପରିଚିତି ରହିଛି ଏବଂ ନବ ନିଯୁକ୍ତ ପ୍ରଦେଶ କଂଗ୍ରେସ ସଭାପତି ଭାବେ ସେ ପରବର୍ତ୍ତୀ ନିର୍ବାଚନରେ କଂଗ୍ରେସ ସରକାର ଗଢିବ ବୋଲି ଯେଉଁ ରଣହୁଙ୍କାର ଦେଉଛନ୍ତି ତାହାର ପ୍ରାଥମିକ ପରୀକ୍ଷା ନୂଆପଡା ଉପନିର୍ବାଚନରେ ହୋଇଯିବ ।

ତେବେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇନଥିଲେ ମଧ୍ୟ ଚଳିତବର୍ଷ ଶେଷସୁଦ୍ଧା ନୂଆପଡାରେ ଏହା ହୋଇପାରେ ବୋଲି ଆଶା କରାଯାଉଛି । ଏ ପରିପ୍ରେକ୍ଷୀରେ ସ୍ୱର୍ଗତ ଢୋଲକିଆଙ୍କ ସଂସ୍କାର କାର୍ଯ୍ୟକ୍ରମରେ ବ୍ୟାପକ ଜନ ସମାଗମ ହୋଇଥିବା ପରିପ୍ରେକ୍ଷୀରେ ସାରା ନିର୍ବାଚନମଣ୍ଡଳୀରେ ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ବିଜେପି ନେତା ବସନ୍ତ ପଣ୍ଡାଙ୍କ ପୁଅ ବିଜେପି ଟିକଟରେ ଲଢି ଗତଥର ହାରିଥିବାବେଳେ ଖୋଦ ପ୍ରଦେଶ କଂଗ୍ରେସ ସଭାପତିଙ୍କର ଏଠାରୁ ଶୋଚନୀୟ ପରାଜୟପରେ ଏବେ କଂଗ୍ରେସ ଓ ବିଜେପି ନିଜ ନିଜ ଦଖଲକୁ ଏହି ଆସନକୁ ନେଇ ରାଜନୈତିକ ପତିଆରା ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଅନ୍ୟ ପକ୍ଷରେ ସ୍ୱର୍ଗତ ଢୋଲକିଆ ଜଣେ ରାଜନେତା ଓ ସମାଜସେବୀ ଭାବେ ବେଶ୍‍ ଜନପ୍ରିୟ ଥିବା ଦୃଷ୍ଟିରୁ କେଉଁ ଦଳ ଏଠାରୁ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର । (ତଥ୍ୟ)