କଟକ : ସଡ଼କ ଦୁର୍ଘଟଣାରେ ପରିବାର ଉଜୁଡିଯାଇଥାନ୍ତା, ଜୀବନ ଚାଲିଯାଇଥାନ୍ତା। କିନ୍ତୁ ମଥାରେହେଲମେଟ୍ ଥିଲା ବୋଲି ଜୀବନ ରକ୍ଷା ପାଇଗଲା । ନୂଆ ଜୀବନ ମିଳିଲା । ହେଲମେଟ୍ ପିନ୍ଧିନଥିବାରୁ ରାଜ୍ୟରେ ଗତତିନି ବର୍ଷରେ୫୧୬୦ଜୀବନ ଯାଇଥିବାର ତଥ୍ୟ ସାମ୍ନାକୁ ଆସିଥିଲା।
ଏବେ ଦୁର୍ଘଟଣା ସମୀକ୍ଷାରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ତାହା ହେଉଛି ହେଲମେଟ୍ ପିନ୍ଧିଥିବାରୁ ଦୁର୍ଘଟଣା ସତ୍ତ୍ୱେ ଗତ ତିନି ବର୍ଷରେ୫୫୨୭ ଜୀବନରକ୍ଷା ପାଇଯାଇଛି ।ସଡ଼କ ସୁରକ୍ଷା ନିୟମ ପାଳନ ଯୋଗୁଁ କିଭଳି ଜୀବନ ରକ୍ଷା ହୋଇପାରେ ଏହା ଏକ ସକରାତ୍ମକ ଉଦାହରଣ ଭାବରେ ସାମ୍ନାକୁ ଆସିଛି ।
କେବଳ ୨୦୨୪ ରେ ୨୩୯୭ ଜଣ ଏମିତି ଦୁଇଚକିଆ ବ୍ୟବହାରକାରୀଙ୍କ ତଥ୍ୟ ସାମ୍ନାକୁ ଆସିଛି, ଯେଉଁମାନେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେଲେ, ଆହତ ବି ହେଲେ କିନ୍ତୁ ହେଲମେଟ୍ ପିନ୍ଧିଥିବାରୁ ମଥା ରକ୍ଷା ପାଇଗଲା । ସେମାନଙ୍କ ଜୀବନ ବି ରକ୍ଷା ପାଇଗଲା । ୨୦୨୩ରେ ଏହି ସଂଖ୍ୟା ହେଉଛି ୨୩୯୭ ଓ ୨୦୨୨ରେ ଏହି ସଂଖ୍ୟା ହେଉଛି ୧୬୮୮। ଜୀବନ ରକ୍ଷାର ଏହି ସଂଖ୍ୟା ଆହୁରି ଅଧିକ ହେବାର ମଧ୍ୟ ସମ୍ଭାବନା ରହିଛି ।
ଦୁର୍ଘଟଣା କାହାକୁ କହିକି ଆସେନି। ଅଚାନକ୍ ଆସେ, ସବୁ ଉଜାଡ଼ିଦିଏ । କିନ୍ତୁ ଅନେକ ନିଜର ସାବଧାନତା ଓ ସଚେତନତା ପାଇ ନିଜ ଜୀବନ ରକ୍ଷା କରିବାରେ ସକ୍ଷମ ହେଉଛନ୍ତି । ନିଜ ପରିବାରକୁ ଉଜାଡ଼ି ଦେବାରୁ ରକ୍ଷା କରିପାରୁଛନ୍ତି ।
ଦୁର୍ଘଟଣାର ଶିକାର ହୋଇଥିବା ରଶ୍ମିତା ନାୟକ କହିଛନ୍ତି ମୁଁ ସ୍କୁଟିରେ ଯିବାବେଳେ ଭୁବନେଶ୍ୱରରେ ଦୁର୍ଘଟଣାର ଶିକାର ହେଲି । ଦୁର୍ଘଟଣା ଏମିତି ଥିଲା ଯେ, ମୋର ଜୀବନ ଚିଲାଯିବାର ବି ଆଶଙ୍କା ଥିଲା । ଗୁରୁତର ଆଘାତ ପାଇଲି । କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ହେଲମେଟ୍ ପିନ୍ଧିଥିବାରୁ ଜୀବନ ରକ୍ଷାପାଇଗଲା ।
ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଅମିୟବାଳା ପରିଡା କହିଛନ୍ତି ଏହା ମୋର ପୂରା ପରିବାରକୁ ଉଜାଡ଼ି ଦେଇଛି । ମୋଠାରୁ ମୋ ପୁଅକୁ ଛଡ଼ାଇ ନେଇଛି । ସେଦିନ ଯଦି ମୋ ପୁଅ ହେଲମେଟ୍ ପିନ୍ଧିଥାନ୍ତା ତେବେ ଆଜି ହୁଏତ ମୋ ସହ ଥାନ୍ତା । ମୋର ଅନୁରୋଧ, ଦୁଇ ଚକିଆରେ ଗଲେ ହେଲମେଟ୍ ନିଶ୍ଚୟ ପିନ୍ଧନ୍ତୁ ।