ଭୁବନେଶ୍ୱର : ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଓଡିଶାରେ ଗତବର୍ଷ ଆଦର୍ଶ ଆଚରଣବିଧି ବଳବତ୍ତର ଥିବାବେଳେ ଜଣେ ଶାସନ ସଚିବ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଉଲ୍ଲଙ୍ଘନକରି କିପରି ସରକାରୀ ଚାକିରିରେ ପଦୋନ୍ନତି ଓ ଆସନ ସଂରକ୍ଷଣ ସଂକ୍ରାନ୍ତରେ ନୀତିଗତ ନିଷ୍ପତ୍ତି ଗ୍ରହଣ କଲେ ସେ ପ୍ରସଙ୍ଗ ଓଡିଶା ହାଇକୋର୍ଟରେ ଉଠିଛି । ଏହାକୁ କେନ୍ଦ୍ରକରି ବିଭିନ୍ନ ବିଭାଗର ଅନେକ କର୍ମଚାରୀ ମାଳ ମାଳ ମାମଲା ରୁଜୁ କରିଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ କ’ଣ ଯୁକ୍ତି ଉପସ୍ଥାପନ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।
ଏଠାରେ ଉଲ୍ଲେଖନୀୟ ଯେ ପଦୋନ୍ନତି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପ୍ରସଙ୍ଗକୁ ଆଖିଆଗରେ ରଖି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଶାସନ ସଚିବ ୨୦୨୪ ମଇ ୬ତାରିଖରେ ଏକ ସ୍ପଷ୍ଟିକରଣ ସମସ୍ତ ବିଭାଗକୁ ପଠାଇଥିଲେ । ଏହା ପରେ ପରେ ଏହି ସ୍ପଷ୍ଟିକରଣକୁ ସେ ନିଜେ ୨୦୨୪ ଜୁନ୍ ୧୩ ତାରିଖରେ ପ୍ରତ୍ୟାହାର କରିନେବାପରେ ତାଙ୍କ ପରବର୍ତ୍ତୀ ବିଭାଗୀୟ ପ୍ରମୁଖ ଶାସନ ସଚିବ ୨୦୨୫ ଫେବୃୟାରୀ ୨୭ ତାରିଖରେ ପୂର୍ବ ସ୍ପଷ୍ଟିକରଣ କାଏମ ରହିଛି ବୋଲି ଅନ୍ୟଏକ ବିଜ୍ଞପ୍ତି ଜାରି କରିଥିଲେ ।
ନିର୍ବାଚନ ପରେ ନୂଆ ସରକାର ୨୦୨୪ ଜୁନ୍ ୧୨ତାରିଖରେ ଦାୟିତ୍ୱ ଗ୍ରହଣ କଲେ । ସେ ପର୍ଯ୍ୟନ୍ତ ନିର୍ବାଚନୀ କଟକଣା ବଳବତ୍ତର ଥିବାବେଳେ କିଭଳି ଆଇନ୍ ବିଭାଗ ଏ ପ୍ରସଙ୍ଗରେ ମତ ଦେଲେ ଓ ତାହା ଏସସି ଏସଟି ଉନ୍ନୟନ ବିଭାଗ କାର୍ଯ୍ୟକାରୀ କଲେ ସେଥିଘେନି ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି । ପ୍ରତ୍ୟାହୃତ ହୋଇଥିବା ଏହି ସ୍ପଷ୍ଟିକରଣ ପୁଣି କିଭଳି ଜାରି ରହିଲା ଏବଂ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଆଇନ୍ ଥିବାବେଳେ ଏଭଳି ସ୍ପଷ୍ଟିକରଣ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଙ୍ଘନ କରୁଛି କି ନାହିଁ, ତାହା ଉପରେ ହାଇକୋର୍ଟରେ ଆଇନ୍ଗତ ଲଢେଇ ଚାଲିଛି ।
ଅନ୍ୟତମ ବିଚାରପତି ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠରେ ଏ ସଂକ୍ରନ୍ତୀୟ ଅନେକଗୁଡିଏ ମାମଲା ଉଠିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରିବେ ବୋଲି କୋର୍ଟରେ ଅତିରିକ୍ତ ସରକାରୀ ଓକିଲ ମଧ୍ୟ ସୂଚନା ଦେଇଥିଲେ । ଏ ସଂକ୍ରାନ୍ତରେ ଆଜି କେତେକ ଆବେଦନକାରୀଙ୍କ ପକ୍ଷରୁ କୋର୍ଟ ଯୁକ୍ତି ଶୁଣିଛନ୍ତି । ଆଡଭୋକେଟ ଜେନେରାଲଙ୍କର ଯୁକ୍ତି ଶୁଣିବାପରେ ପ୍ରତିପକ୍ଷ ଓକିଲମାନଙ୍କୁ ସେମାନଙ୍କ ପକ୍ଷ ରଖିବାର ସୁଯୋଗ ଦିଆଯିବ ବୋଲି ଖୋଲା ଅଦାଲତରେ ବିଚାରପତି କହିଛନ୍ତି ।
ଆଜି ଏହି ମାମଲାରେ ଆବେଦନକାରୀ ଓ ବେସରକାରୀ ପ୍ରତିପକ୍ଷମାନଙ୍କ ତରଫରୁ ଅନ୍ୟତମ ଓକିଲ ସର୍ବଶ୍ରୀ ବୁଦ୍ଧଦେବ ରାଉତରାୟ, ମନୋଜ ମିଶ୍ର, ପୂର୍ବତନ ଆଡଭୋକେଟ ଜେନେରାଲ ଅଶୋକ ମହାନ୍ତି, ପ୍ରହଲାଦ କୁମାର ସିଂହ, ଅମୀୟ ଛାଟୋଇ, ସୁଦିପ ପାଲିତ୍, ବିଶ୍ୱବିହାରୀ ମହାନ୍ତି, ପମି ରଥ ପ୍ରମୁଖ ଉପସ୍ଥିତ ଥିଲେ ।
ଏଠାରେ ଉଲ୍ଲେଖନୀୟ ଯେ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗକୁ କେନ୍ଦ୍ରକରି ହାଇକୋର୍ଟରେ ଅନେକଗୁଡିଏ ମାମଲା ଭିନ୍ନ ଭିନ୍ନ ବିଭାଗର ଅନେକ କର୍ମଚାରୀ ରୁଜୁ କରିବା ଫଳରେ ପଦୋନ୍ନତି କ୍ଷେତ୍ରରେ ପ୍ରାୟ ୬ମାସ ଧରି ଅନିଶ୍ଚିତତା ଲାଗି ରହିଛି । ଏମିତିକି ବିଭାଗୀୟ ପଦୋନ୍ନତି କମିଟିର ସୁପାରିଶ୍ ସତ୍ୱେ ବହୁ ବିଭାଗରେ ଖାଲି ପଡିଥିବା ପଦ ପଦବୀ ସବୁ ପୂରଣ କରାଯାଇ ପାରୁନଥିବାରୁ ତଳ ପାହ୍ୟାରୁ ଉପର ପଦବୀକୁ ମଧ୍ୟ ପଦୋନ୍ନତି ଏକ ପ୍ରକାର ବନ୍ଦହୋଇ ଯାଇଛି । ଏଥିଯୋଗୁଁ ପ୍ରତ୍ୟକ୍ଷ ନିଯୁକ୍ତି ଉପରେ ବି ପ୍ରତିକୂଳ ପ୍ରଭାବ ପଡୁଛି ।(ତଥ୍ୟ)