ଭୁବନେଶ୍ୱର : ଓଡିଶା କଙ୍କଡା ଚାଷୀଙ୍କ ବହୁ ଦିନର ସ୍ୱପ୍ନ ହେବାକୁ ଯାଉଛି ସାକାର । ପାରାଦ୍ୱୀପରେ ୨ କୋଟି ୮୧ ଲକ୍ଷ ଟଙ୍କା ବ୍ୟୟ କରାଯାଇ ୫ ଲକ୍ଷ ଉତ୍ପାଦନ କ୍ଷମତା ସମ୍ପନ୍ନ ରାଜ୍ୟର ପ୍ରଥମ କଙ୍କଡ଼ା ଜାଆଁଳ ଉତ୍ପାଦନ କେନ୍ଦ୍ରର ହେବ ନିର୍ମାଣ ।
ଏହା ଫଳରେ ଓଡ଼ିଶାର କଙ୍କଡା ଚାଷୀଙ୍କୁ ଆଉ କଙ୍କଡ଼ା ଜାଆଁଳ ପାଇଁ ଚେନ୍ନାଇସ୍ଥିତ ରାଜୀବ ଗାନ୍ଧୀ ଜଳଜୀବ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡିବ ନାହିଁ । ସୁଦୂର ଚେନ୍ନାଇରୁ କଙ୍କଡା ଜାଆଁଳ ଆମଦାନୀ ହେତୁ ଚାଷୀ ମାନଙ୍କର ହେଉଥିବା ଅର୍ଥ ଓ ସମୟର ଅପଚୟ ବହୁମାତ୍ରାରେ କମିଯିବ । ସେମାନଙ୍କର ଆର୍ଥିକ ମାନଦଣ୍ଡରେ ଆଖିଦୃଶିଆ ଉନ୍ନତି ଆସିବ । ତାହା ସହିତ କଙ୍କଡା ଚାଷ ପ୍ରତି
ଆମ ଲୋକଙ୍କ ଆଗ୍ରହ ବୃଦ୍ଧି ପାଇବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମିକ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏହି ବହୁ ଆକାଂକ୍ଷିତ ପ୍ରକଳ୍ପର ଚୁକ୍ତିନାମା ସ୍ଵାକ୍ଷରକୁ ଅନୁମୋଦନ କରି ପ୍ରକାଶ କରିଛନ୍ତି ।
ବିଭାଗୀୟ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆଙ୍କ ଅନୁମୋଦନ କ୍ରମେ କଙ୍କଡ଼ା ଜାଆଁଳ ଉତ୍ପାଦନ କେନ୍ଦ୍ର ସ୍ଥାପନ ନେଇ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧିନସ୍ଥ ECRICC -GCF ଓଡିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ଏବଂ ରାଜୀବ ଗାନ୍ଧୀ ଜଳଜୀବ କେନ୍ଦ୍ର ମଧ୍ୟରେ ଖୁବ ଶୀଘ୍ର ଏକ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହେବାକୁ ଯାଉଛି । ଏହି ଚୁକ୍ତିନାମା ଅନୁଯାୟୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆର୍ଥିକ ସହାୟତା ପ୍ରଦାନ କରୁଥିବା ବେଳେ ରାଜୀବ ଗାନ୍ଧୀ ଜଳଜୀବ କେନ୍ଦ୍ର ପ୍ରଦାନ କରିବ ବୈଷୟିକ ସହାୟତା ଏବଂ ମତ୍ସ୍ୟ ନିର୍ଦ୍ଦେଶାଳୟ କରିବ ଏହାର କାର୍ଯ୍ୟାନ୍ବୟନ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଡବଲ ଇଂଜିନର ସରକାର ଓଡ଼ିଶାକୁ ସ୍ୱୟଂ ସମ୍ପନ୍ନ ଓ ସ୍ୱୟଂ ସମୃଦ୍ଧ ପାଇଁ ସଂକଳ୍ପବଦ୍ଧ, ଏହାର ଏକ ବାସ୍ତବ ପ୍ରମାଣ ହେଉଛି ପାରାଦ୍ବୀପରେ କଙ୍କଡ଼ା ଜାଆଁଳ ଉତ୍ପାଦନ କେନ୍ଦ୍ର ସ୍ଥାପନ । କଙ୍କଡ଼ା ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଗଲା ପରେ ଓଡ଼ିଶାର କଙ୍କଡ଼ା ଚାଷୀଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆସିବା ସହିତ ଓଡିଶା ସାଜିବ କଙ୍କଡ଼ା ଜାଆଁଳ ଉତ୍ପାଦନର ପ୍ରାଣକେନ୍ଦ୍ର ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଆଶାବ୍ୟକ୍ତ କରିଛନ୍ତି ।
ଓଡ଼ିଶାର ଚାରିଟି ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଗଞ୍ଜାମ, ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ କାର୍ଯ୍ୟ କରୁଛି ECRICC ପ୍ରକଳ୍ପ । ଜୁଲାଇ ମାସରେ MPEDA ଦ୍ୱାରା ଆୟୋଜିତ ‘ସିଫୁଡ୍ ଏକ୍ସପୋ ଭାରତ ୨୦୨୫’ (SEB-25) ରେ ଓଡ଼ିଶାର ଜଳବାୟୁ-ଅନୁକୂଳ ଜଳୀୟ କୃଷି ଏବଂ ଏହି ସଂକ୍ରାନ୍ତୀୟ ବିକାଶକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ECRICC ପ୍ରକଳ୍ପକୁ ସରକାରୀ ବିଭାଗରେ ପ୍ରଥମ ପୁରସ୍କାର ମିଳିପାରିଛି ।
ECRICC ପ୍ରକଳ୍ପ ଅଧୀନରେ ଆଇ.ଆଇ.ଟି., ଭୁବନେଶ୍ବରର ବୈଷୟିକ ସହାୟତାରେ ‘ଓଡିଶା ଉପକୂଳର ଜୈବ ବିବିଧତାର ସୁରକ୍ଷା ଓ ସମୃଦ୍ଧି ପାଇଁ ସମୁଦ୍ର ଘାସଶଯ୍ୟା ଏବଂ ଲୁଣ ଜଳାଶୟ ପୁନରୁଦ୍ଧାର ଉପରେ ଉପରେ ବିଶେଷ ଗୁରୁତ୍ଵାରୋପ କରାଯାଉଛି। ମୋଟ ୨୪୪୬ ହେକ୍ଟର ଲୁଣା ଜଙ୍ଗଲର ପୁନରୁଦ୍ଧାର ସହିତ ଗୋଷ୍ଠୀ ସହାୟତା ଭିତ୍ତିକ କାର୍ଯ୍ୟକ୍ରମ ଯଥା; ଲୁଣା ଜଙ୍ଗଲର ବନୀକରଣ, କ୍ରୀକ ଗଭୀରତା ଏବଂ ଫିସ ବୋନ ଚ୍ୟାନେଲ୍ ନିର୍ମାଣ କରାଯାଉଛି। ଏହାବ୍ୟତୀତ ଭାରତ ସରକାରଙ୍କ ଏମପିଇଡିଏ ର ବୈଷୟିକ ସହାୟତାରେ ୬୭ଟି ୟୁନିଟରେ ପାଇଲଟ୍ ଭିତ୍ତିରେ କଙ୍କଡା ଚାଷ ଏବଂ ବଜ଼ାର ସଞ୍ଜୋଜିକରଣକୁ ସୁଗମ କରିଛି ECRICC । ସିଫର ବୈଷୟିକ ସହାୟତାରେ ସମୁଦ୍ରତଟୀୟ ସମୁଦାୟଙ୍କ ଜୀବିକାରେ ଆଶାତୀତ ଉନ୍ନତି ପାଇଁ ECRICC ପ୍ରକଳ୍ପ ଦ୍ୱାରା ୪୫ ୟୁନିଟ ରଙ୍ଗୀନ ମାଛ ଚାଷ ଆରମ୍ଭ କରାଯାଇଛି ।
କେବଳ ଏତିକି ନୁହେଁ, ECRICC ପ୍ରକଳ୍ପ ଦ୍ଵାରା ସମୁଦ୍ରତଟ ଅଞ୍ଚଳର ଲୋକମାନଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ୭୦ ଜଣ କୃଷକଙ୍କୁ ସାମୁଦ୍ରିକ ଶୈବାଳ ଚାଷ ପାଇଁ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ସେହିପରି ଏହି ପ୍ରକଳ୍ପ ଦ୍ଵାରା ୨୮୨୦୧ ଜଣ ଚାଷୀଙ୍କୁ SRI ପଦ୍ଧତିରେ ଚାଷ ନିମନ୍ତେ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ମହିଳା ସଶକ୍ତିକରଣ ଦିଗରେ ମଧ୍ୟ ଅନେକ କାମ କରୁଛି ECRICC । ଏହି ପ୍ରକଳ୍ପ ଦ୍ଵାରା ନିୟୋଜିତ ୩୦୪ ଜଣ ମହିଳା ଜଳବାୟୁ ଚ୍ୟାମ୍ପିଅନ୍ ଗ୍ରାମ୍ୟସ୍ତରରେ ଜନ ସଚେତନତା ବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ।