Home Forest ଚାରାରୋପଣରେ ବିଦ୍ୟାଳୟ ଛାତ୍ରଛାତ୍ରୀ ସାମିଲ ହେବେ

ଚାରାରୋପଣରେ ବିଦ୍ୟାଳୟ ଛାତ୍ରଛାତ୍ରୀ ସାମିଲ ହେବେ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସରେ ଓଡ଼ିଶା ୭୫ ଲକ୍ଷ ଚାରାରୋପଣ କରି ସେପ୍ଟେମ୍ବର ୧୭ ତାରିଖରେ ଏକ ବିରଳ ରେକର୍ଡ କରିବ ଓ ଏହା ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିବସର ଅନନ୍ୟ ଉପହାର ହେବ । ଏହି ବିଶାଳ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହେବେ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି ।

ଆଜି ଏ ସଂକ୍ରାନ୍ତୀୟ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ କହିଲେ ଯେ ଛାତ୍ରଛାତ୍ରୀମାନେ ସବୁଜ ଚେତନାର ଆଲୋକବର୍ତ୍ତିକା । ସେମାନଙ୍କର ସାମର୍ଥ୍ୟ, ଉତ୍ସାହ ଏବଂ ସାମୁହିକ ଶକ୍ତି ବଳରେ ଏହି ବିଶାଳ ଚାରାରୋପଣ ଅଭିଯାନ ପ୍ରକୃତରେ ସଫଳତା  ପାଇପାରିବ ଏବଂ ଦୀର୍ଘକାଳୀନ ପରିବେଶ ସୁରକ୍ଷା ସୁନିଶ୍ଚିତ ହୋଇ ପାରିବ । ପରିବେଶ ସୁରକ୍ଷା ଦିଗରେ ଛାତ୍ରଛାତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳର ଅନ୍ୟମାନଙ୍କୁ ବିଶାଳ ଚାରା ରୋପଣ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ପ୍ରେରଣା ଦେଇପାରିବେ। ସେମାନେ ଏହି ଉଦ୍ଦେଶ୍ୟ ପାଇଁ “ସବୁଜ ରାଷ୍ଟ୍ରଦୂତ” ଭାବରେ କାର୍ଯ୍ୟ କରିପାରିବେ। ୧୭ ସେପ୍ଟେମ୍ବରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କେବଳ ବୃକ୍ଷ ସଂଖ୍ୟା ବୃଦ୍ଧି କରିବା ବିଷୟରେ ନୁହେଁ; ଏହା ପରିବେଶ ସଂରକ୍ଷଣ ପାଇଁ ଏକ ବୃହତ ଜନ ଆନ୍ଦୋଳନ ଗଠନ କରିବା ବିଷୟରେ ମାର୍ଗଦର୍ଶକ ହେବ ।

ସମାଜର ସବୁଠାରୁ ସ୍ପନ୍ଦନଶୀଳ ବର୍ଗ ହୋଇଥିବାରୁ ଛାତ୍ରମାନେ ଏହି ମିଶନର କେନ୍ଦ୍ରବିନ୍ଦୁ । ଓଡିଶାରେ ସେପ୍ଟେମ୍ବର ୧୭ରେ ବିଶାଳ ଚାରାରୋପଣ କେବଳ ଏକ କାର୍ଯ୍ୟକ୍ରମ ନୁହେଁ – ଏହା ଏକ ସବୁଜ ବିପ୍ଳବ ଏବଂ ଏହି ବିପ୍ଳବର ମଶାଲବାହକ ହେଉଛନ୍ତି ଛାତ୍ରଛାତ୍ରୀ । ସେମାନଙ୍କର ଶକ୍ତି, ନିଷ୍ଠା ଏବଂ ଦାୟିତ୍ୱବୋଧ ସହିତ, ସେମାନେ ଏହି ଦିନିକିଆ କାର୍ଯ୍ୟକ୍ରମକୁ ଏକ ସବୁଜ, ସୁରକ୍ଷିତ ଏବଂ ସୁସ୍ଥ ଓଡ଼ିଶା ପାଇଁ ଏକ ଦୀର୍ଘସ୍ଥାୟୀ ଜନ ଆନ୍ଦୋଳନରେ ପରିଣତ କରିପାରିବେ ।

ରାଜ୍ୟର ୨ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନେତୃତ୍ୱରେ ପ୍ରାୟ ୪୦ ହଜାର ବିଦ୍ୟାଳୟର ୧୫ ଲକ୍ଷ ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୭ ତାରିଖ ଦିନ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ଚାରାରୋପଣ କରିବେ । ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦିଗ୍‌ଦର୍ଶନରେ ଏହି କାର୍ଯ୍ୟକ୍ରମ ସମାହିତ ହେବ । ଏଥିରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍‌ ଶିକ୍ଷା ଅଧିକାରୀ ଓ ବିଦ୍ୟାଳୟଗୁଡ଼ିକର ପ୍ରଧାନଶିକ୍ଷକମାନେ ଜଡ଼ିତ ରହିବେ ବୋଲି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ପ୍ରକାଶ କରିଥିଲେ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ କହିଲେ ଯେ, ଚାରାରୋପଣ ଅଭିଯାନ ଏବଂ ବୃକ୍ଷ ସଂରକ୍ଷଣ କାର୍ଯ୍ୟକଳାପରେ ଛାତ୍ରଛାତ୍ରୀମାନେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଛାତ୍ରଛାତ୍ରୀମାନେ ଗାଁ, ସହର, ବିଦ୍ୟାଳୟଗୁଡ଼ିକରେ ବୃକ୍ଷରୋପଣ ଅଭିଯାନରେ ଅଂଶଗ୍ରହଣ କରିପାରିବେ। ସେମାନେ ନିଜର ବ୍ୟକ୍ତିଗତ ଦାୟିତ୍ୱ ଭାବରେ ଏକ ଗଛକୁ ପୋଷଣ କରିପାରିବେ ଏବଂ ତାହାର ଯତ୍ନ ନେଇପାରିବେ। ଚାରା ଲଗାଇବା ଯଥେଷ୍ଟ ନୁହେଁ – ଛାତ୍ରମାନେ ଗଛକୁ ପାଣି ଦେବା, ସୁରକ୍ଷା ଦେବା ଏବଂ ଗଛ ବଢିବା ପର୍ଯ୍ୟନ୍ତ ଗଛର ଯତ୍ନ ନେବା ଦାୟିତ୍ୱ ନେଇପାରିବେ ।

ଉଦ୍ୟାନ କୃଷି ବିଭାଗ ସେପ୍ଟେମ୍ବର ୧୭ର ଏହି କାର୍ଯ୍ୟକ୍ରମ ପାଇଁ ଦେଶୀ କଲମୀ ଫଳଗଛ ଚାରା ମାଗଣାରେ  ଯୋଗାଇ ଦେବ । କେବଳ ଚାରାରୋପଣ ନୁହେଁ, ଆଗାମୀ ତିନିବର୍ଷ ପର୍ଯ୍ୟନ୍ତ ସେଗୁଡ଼ିକର ରକ୍ଷଣାବେକ୍ଷଣ ଜରୁରୀ । ବୃକ୍ଷରୋପଣର ଉପାଦେୟତା ଓ ପରିବେଶ ସଂରକ୍ଷଣ ଆଦି ପ୍ରସଙ୍ଗଗୁଡ଼ିକ ଉପରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯିବା ଓ ସେପ୍ଟେମ୍ବର ୧୭ ତାରିଖ ଦିନ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏହା ପରିବେଶ ସୁରକ୍ଷା ପାଇଁ ସମୁଚିତ ବାର୍ତ୍ତା ଦେବ ବୋଲି ଡ. ପାଢ଼ୀ ମତବ୍ୟକ୍ତ କରିଥିଲେ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ କହିଲେ ଯେ, କେଉଁ ବିଦ୍ୟାଳୟର ପିଲା କେଉଁ ସ୍ଥାନରେ ଗଛ ଲଗାଇବେ ତାହା ପୂର୍ବରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଶିକ୍ଷା ଅଧିକାରୀମାନେ ସ୍ଥିର କରିବେ ।

ପଞ୍ଚାୟତିରାଜ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରିଶ ଏସ୍‌.ଏନ୍‌ କହିଲେ ଯେ, ସାରା ରାଜ୍ୟରେ ପଞ୍ଚାୟତ ସ୍ତରରେ ଚାରା ରୋପଣ ପାଇଁ ୩୭ ହଜାର ସ୍ଥାନ ସ୍ଥିର ହୋଇସାରିଛି । ସେ ସବୁ ସ୍ଥାନରେ ବ୍ୟାନର ଲଗାଯିବ । ବିଦ୍ୟାଳୟ କର୍ତ୍ତୃପକ୍ଷ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଲକ୍‌ ଉନ୍ନୟନ ଅଧିକାରୀଙ୍କୁ ପୂର୍ବରୁ ଯୋଗାଯୋଗ କରି ଚାରାରୋପଣର ସ୍ଥାନ ସମ୍ବନ୍ଧରେ ଅବଗତ ହେବେ । ସେପ୍ଟେମ୍ବର ୧୭ ତାରିଖ ଦିନ ସକାଳ ୫ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ଚାରାରୋପଣ କାର୍ଯ୍ୟ ସମାହିତ ହେବ । ମେରୀ ଲାଇଫ୍‌ ପୋର୍ଟାଲରେ ଚାରା ରୋପଣର ଫଟୋ ଅପ୍‌ଲୋଡ୍‌ ହେବ । ସେପ୍ଟେମ୍ବର ୧୧ ତାରିଖ ଦିନ ୧୧ଟା ସମୟରେ ଏହି ଫଟୋ ଅପ୍‌ଲୋଡ୍‌ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ଏହି ଉଚ୍ଚସ୍ତରୀୟ ବୈଠକରେ କାମ୍ପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଜି. ରାଜେଶ ପାୱାର ପଏଣ୍ଟ ଯୋଗେ ଏକ ପେଡ୍‌ ମା’ କେ ନାମ୍‌ ୨.୦ର ଅଂଶ ବିଶେଷଭାବେ ସେପ୍ଟେମ୍ବର ୧୭ ଦିନ ଚାରାରୋପଣର ସବିଶେଷ ତଥ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ଓ ପରିବେଶ ନିର୍ଦ୍ଦେଶକ ଶ୍ରୀ କେ. ଏସ. ପ୍ରଦୀପ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀମାନେ ଆଭାସିଯୋଗେ ଯୋଗ ଦେଇ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ରଖିଥିଲେ ।