Home Education ୧୫ଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି ନିୟମିତ କୁଳପତି

୧୫ଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି ନିୟମିତ କୁଳପତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ବିଶ୍ୱବିଦ୍ୟାଳୟଗୁଡ଼ିକ ଭିତରୁ ଏବେ ଅନ୍ୟୁନ ୧୫ଟିରେ ନିୟମିତ କୁଳପତି ନାହାନ୍ତି । ୧୦ଦିନ ଭିତରେ ଓୟୁଏଟି ଓ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ସରିଥିବା ବେଳେ ରାଜ୍ୟ ସରକାର ଓୟୁଏଟି କୁଳପତିଙ୍କ କାର୍ଯ୍ୟକାଳ ଆଉ ୩ବର୍ଷ ବଢାଇଛନ୍ତି । ଅନ୍ୟ ମାନଙ୍କ ସ୍ଥାନରେ ନିୟମିତ ନୂଆ କୁଳପତି ନିଯୁକ୍ତି ହୋଇନାହାନ୍ତି ।

ସାକ୍ଷୀଗୋପାଳସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ସବିତା ପ୍ରଧାନଙ୍କ କାର୍ଯ୍ୟକାଳ ଗତ ଅଗଷ୍ଟ ୩୧ ତାରିଖରୁ ସରିଯାଇଛି । ଇତିମଧ୍ୟରେ ପ୍ରଫେସର ପ୍ରଧାନ ସାକ୍ଷୀଗୋପାଳ ଛାଡ଼ି ତାଙ୍କ ପୂର୍ବ କାର୍ଯ୍ୟସ୍ଥଳୀ ଶାନ୍ତି ନିକେତନର ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟକୁ ଫେରିଯାଇ ସେଠାରେ ଶିକ୍ଷାଦାନ କରୁଛନ୍ତି । କୁଳପତିଙ୍କ କାର୍ଯ୍ୟକାଳ କେବେ ସରିବ ସେ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷ ଅବହିତ ଥିଲେ ମଧ୍ୟ ନୂଆ କୁଳପତି ଚୟନ ପ୍ରକ୍ରିୟା ସାରି କୁଳାଧିପତିଙ୍କ ଦ୍ୱାରା ନୂଆ କୁଳପତି ନିଯୁକ୍ତ କରିବାରେ ସକ୍ଷମ ହୋଇ ନାହାନ୍ତି ।

ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଡ଼ିଆ ଅସ୍ମିତାର ବାର୍ତ୍ତାବହ ବୋଲି କୁହାଯାଉଥିବା ବେଳେ ଦୁଇବର୍ଷ ଭିତରେ ଏହି ସଂସ୍ଥା ଝୁଣ୍ଟିଛି । ଏହାର କୁଳପତି ପଦବୀ କେବେ ପୂରଣ ହେବ ସେ ସଂକ୍ରାନ୍ତରେ କାହା ପାଖରେ କିଛି ଖବର ନାହିଁ । କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ଓ ଜୟପୁରର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଆରମ୍ଭ ହେବାଠାରୁ କୁଳପତି ଦେଖିନାହିଁ । ଏଠାରେ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀଙ୍କ ଦ୍ୱାରା କାମ ଚଳା ଯାଉଛି । ଏହି ଅଧିକାରୀମାନଙ୍କ କାର୍ଯ୍ୟକାଳ ଗତମାସରେ ପୂରିଥିବା ବେଳେ ପୁଣି ସେଠାରେ ଅସ୍ଥାୟୀ ବ୍ୟବସ୍ଥା ବଳବତ୍ତର ରହିଛି ।

୨୦୨୪ ମସିହାରୁ ଉତ୍କଳ ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟ ଆଦିର କୁଳପତିମାନଙ୍କ କାର୍ଯ୍ୟକାଳ ସରିଯାଇଛି । ଏହାଛଡ଼ା ଭବାନୀପାଟଣାର ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଦେହାନ୍ତ ଯୋଗୁ ସେଠିବି ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଛି । ଏଗୁଡ଼ିକ ଏବେ ଭାରପ୍ରାପ୍ତ କୁଳପତିମାନଙ୍କ ଦ୍ୱାରା ପରିଚାଳିତ ହେଉଛି ।

ସେହିଭଳି ଚଳିତବର୍ଷରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ସରିଯାଇଥିବାରୁ ଏଗୁଡ଼ିକରେ ବି କାମଚଳା ବ୍ୟବସ୍ଥା ଆପଣାଯାଇଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅନ୍ୟୁନ ୧୪ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ ସଂଶୋଧିତ ଆଇନ୍‍ ଅନୁଯାୟୀ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ଏଯାବତ୍‍ ପ୍ରାର୍ଥୀ ଚୟନ ଲାଗି ସାକ୍ଷାତକାର ହୋଇନାହିଁ । ସେହିଭଳି କୃଷି ବିଭାଗ ପକ୍ଷରୁ ଓୟୁଏଟି ପାଇଁ ନୂଆ କୁଳପତି ନିଯୁକ୍ତି ଲାଗି ପ୍ରାଥମିକ କାର୍ଯ୍ୟକ୍ରମ ବି ଆରମ୍ଭ ହୋଇନଥିବା କୁହାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ୪୩ଟି ବିଶ୍ୱବିଦ୍ୟାଳୟ ଥିବାବେଳେ ଏଥିରୁ ୨୫ଟି ହେଉଛି ସରକାରୀ ବିଶ୍ୱବିଦ୍ୟାଳୟ । ସଦ୍ୟ ପ୍ରକାଶିତ ଏନ୍‍ଆଇଆରଏଫ୍‍ ରାଙ୍କିଙ୍ଗରେ ଉଚ୍ଚ ଶିକ୍ଷା ବିଭାଗର ଗୋଟିଏ ହେଲେ ବିଶ୍ୱବିଦ୍ୟାଳୟ ଦେଶର ପ୍ରଥମ ୪୦ଟି ମଧ୍ୟରେ ସ୍ଥାନ ପାଇନାହିଁ । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକରେ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ମଧ୍ୟ ବର୍ଷବର୍ଷ ଧରି ଖାଲି ପଡିଛି । (ତଥ୍ୟ)