ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ପାଳନ ପାଇଁ ଉଭୟ ଓଡିଶା ସରକାର ଓ ରାଜ୍ୟଶାଖା ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ଅବସରରେ ସାରା ରାଜ୍ୟରେ ଓଡିଶା ସରକାର ୭୫ଲକ୍ଷ ଚାରା ରୋପଣ କରି ପ୍ରଧାନମନ୍ତ୍ରୀଙ୍କୁ ସର୍ବଶ୍ରେଷ୍ଠ ଉପହାର ଦେବେ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଥିବାବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ୭୫ଲକ୍ଷ ଗଛ ଲଗାଇବାପାଇଁ କହିଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ମୋଦୀଜୀଙ୍କ ଜନ୍ମଦିବସ ସେପ୍ଟେମ୍ବର ୧୭ତାରିଖରେ ସମସ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାରା ରୋପଣ ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ତତ୍ପରତା ପ୍ରକାଶ ପାଇଛି । ଏହାଛଡା ଜିଲ୍ଲା ଓ ବ୍ଲକ ପ୍ରଶାସନ ମଧ୍ୟ ବହୁ ସ୍ଥଳରେ ଚାରା ରୋପଣ କାର୍ଯ୍ୟକ୍ରମ ହାତକୁ ନେବେ । ଏମିତିକି ସରକାରୀ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ବିଭିନ୍ନ ପଞ୍ଚାୟତ, ପୌରସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଗ୍ରାଧିକାର ଦିଆଯାଉଥିବା ଘେନି ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ ୭୫ଲକ୍ଷ ଚାରା ରୋପଣ ଘୋଷଣାକୁ ଆଖିଆଗରେ ରଖି ଜଙ୍ଗଲ ବିଭାଗ ପକ୍ଷରୁ ନର୍ସରୀ ମାଧ୍ୟମରେ ବିଭିନ୍ନ ଅଞ୍ଚଳରେ ବ୍ୟାପକ ସଂଖ୍ୟକ ଚାରା ପ୍ରସ୍ତୁତ କରାଯାଇଛି । କେବଳ ସେତିକି ନୁହେଁ ଚାରା ରୋପଣ ପରେ ଏଗୁଡିକର କିଭଳି ଯତ୍ନ ନିଆଯିବ ସେ ସଂକ୍ରାନ୍ତରେ ମଧ୍ୟ ବିଭାଗୀୟ ଅଧିକାରୀମାନେ ନୀଳ ନକ୍ସା ପ୍ରସ୍ତୁତ କରିଛନ୍ତି । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଠାରୁ ଆରମ୍ଭ କରି ନଦୀର ଉପରମୁଣ୍ଡ ଏମିତିକ ପାର୍ବତ୍ୟାଞ୍ଚଳରେ ବି ପରିବେଶ ସୁରକ୍ଷାକୁ ଆଖିରେ ରଖି ଏହି ଅବସରରେ ବ୍ୟାପକ ବୃକ୍ଷରୋପଣ କରାଯିବ । ପୂର୍ବରୁ ଗୋଟିଏ ଦିନରେ କେବେ ଓଡିଶାରେ ୭୫ଲକ୍ଷ ଚାରା ସରକାରଙ୍କ ପକ୍ଷରୁ ରୋପଣ କରାଯାଇନଥିଲା ।
ଦିଲ୍ଲୀ ଗସ୍ତରୁ ଫେରିବାପରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମବାର୍ଷିକ ପାଳନ ପାଇଁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ଅଞ୍ଚଳକୁ ଯେଭଳି ଏହି କାର୍ଯ୍ୟକ୍ରମରେ ଯୋଡାଯାଇ ପାରିବ ସେଥିଘେନି କ୍ଷେତ୍ରୀୟ କାର୍ଯ୍ୟକର୍ତ୍ତାମାନେ ପୂରା ଦମରେ ଲାଗିଛନ୍ତି । ଏହି ଅବସରରେ ବିଜେପି ପକ୍ଷରୁ ସାରା ରାଜ୍ୟରେ ରକ୍ତଦାନ ଶିବିର, ସଭା ସମିତି, ଶୋଭାଯାତ୍ରା ଅନ୍ୟାନ୍ୟ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ସହିତ ୭୫ଲକ୍ଷ ବୃକ୍ଷରୋପଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଯଦି ରାଜ୍ୟ ସରକାରଙ୍କ ୭୫ଲକ୍ଷ ଚାରା ରୋପଣ ପରେ ବିଜେପି ପକ୍ଷରୁ ଆଉ ୭୫ଲକ୍ଷ ଗଛ ଲଗାଯାଏ ତେବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଓଡିଶାରେ ଦେଢ କୋଟି ବୃକ୍ଷରୋପଣ ହେବାର ସମ୍ଭାବନା ରହିଛି ।
ମୋଦୀଜୀଙ୍କ ଜନ୍ମଦିନ ପାଳନକ ଢାଲ କରି ରାଜ୍ୟଶାଖା ବିଜେପି ପକ୍ଷରୁ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ପୃଥକ ପୃଥକ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ସଫଳତା ସଂକ୍ରାନ୍ତରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବ । ସେପ୍ଟେମ୍ବର ମାସରୁ ବିଜେପି ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ବିଗତ ବର୍ଷମାନଙ୍କ ଭଳି ବିଜୁ ଜନତାଦଳ ମଧ୍ୟ ଅକ୍ଟୋବର ୨ରୁ ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିବ । ତେବେ ଅକ୍ଟୋବର ୨ ଗାନ୍ଧୀଜୟନ୍ତୀରେ ଏବର୍ଷ ଦଶହରା ପଡୁଥିବାରୁ କାର୍ଯ୍ୟକ୍ରମର କ୍ୟାଲେଣ୍ଡରରେ ବିଜେଡି କିଛିଟା ପରିବର୍ତ୍ତନ ଆଣିପାରେ ବୋଲି ଦଳୀୟ ନେତାମାନେ କହୁଛନ୍ତି । ସେହିଭଳି ପ୍ରାୟ ୨୫ବର୍ଷ ଧରି ଓଡିଶାରେ କ୍ଷମତା ଅଳିନ୍ଦରୁ ବାହାରେ ଥିବା କଂଗ୍ରେସ ଦଳ ଯେଉଁ ଘର ସଜଡା ଅଭିଯାନ ଆରମ୍ଭ କରିଛି ସେଥିରେ ବି ଅକ୍ଟୋବର ମାସରେ ଏହି ଦଳ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହେବାର ଅଛି । ମୋଟାମୋଟି ଭାବେ ମୋଦୀଙ୍କ ଜୟନ୍ତୀ ଠାରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଓଡିଶାରେ ରାଜନୈତିକ ମାହୋଲ ସରଗରମ ରହିବ । (ତଥ୍ୟ)