Home Health ଭୂତଳ ଜଳଭଣ୍ଡାର ସୁରକ୍ଷିତ ତ ?

ଭୂତଳ ଜଳଭଣ୍ଡାର ସୁରକ୍ଷିତ ତ ?

ଭୁବନେଶ୍ୱର : ରାଜଧାନୀରେ ଜଳ ଯୋଗାଣ ପାଇଁ ଶତାଧିକ ଭୂତଳ ଜଳଭଣ୍ଡାର ନିର୍ମାଣ ହୋଇଥିବାବେଳେ ଏଗୁଡିକର ସୁରକ୍ଷା ଉପରେ ସେଭଳି ଧ୍ୟାନ ଦିଆଯାଉ ନାହିଁ । ବିଶେଷକରି ଏହାର ଚାରିପାଖରେ ନିଷିଦ୍ଧାଞ୍ଚଳ ଜାରି ହୋଇଥିବାବେଳେ ଏକାଧିକ ଲୋକେ ବସବାସ କରୁଥିବା ଦେଖିବାକୁ ମିଳୁଛି ।

ସହରବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ରାଜଧାନୀରେ ୨୮୦ଟି ଭୂତଳ ଜଳଭଣ୍ଡାର ଓ ୮୬ଟି ଉଚ୍ଚ ଜଳଭଣ୍ଡାର ରହିଛି । ବିଭିନ୍ନ ଉତ୍ସରୁ ପ୍ରଥମେ ଜଳ ଆସି ଭୂତଳ ଜଳଭଣ୍ଡାରରେ ଗଚ୍ଛିତ ହୋଇ ରହିବାପରେ ତାହାକୁ ମୋଟର ଯୋଗେ ଉଚ୍ଚ ଟାଙ୍କିକୁ ଉଠାଯାଇଥାଏ ଏବଂ ସେଠାରୁ ଆବଶ୍ୟକ ମୁତାବକ ଜଳ ବିଭିନ୍ନ ଅଞ୍ଚଳକୁ ପଠାଯାଇଥାଏ । ଅଭିଜ୍ଞ କର୍ମଚାରୀମାନେ ଜଳ ଆବଶ୍ୟକତା ଓ ଚାପକୁ ଦେଖି ସମୟ ଅନୁଯାୟୀ ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି । ଏହି ଜଳ ସିଧାସଳଖ ଲୋକଙ୍କ ଘରେ ପହଞ୍ଚିଥାଏ ।

ତେବେ ଯେଉଁସବୁ ସ୍ଥାନରେ ଭୂତଳ ଜଳଭଣ୍ଡାର ସ୍ଥାପନ ହୋଇଛି ସୁରକ୍ଷା ଦୃଷ୍ଟିରୁ ତାହାକୁ କର୍ତ୍ତୃପକ୍ଷ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି । ଅର୍ଥାତ୍‍ ଏହାର ଆଖପାଖରେ ବସବାସ କରିବା ଏପରିକି ବେଆଇନ୍‍ ଭାବେ ଚଳପ୍ରଚଳ ବି ମନା । କାରଣ ଲୋକେ ବସବାସ କଲେ ଏହି ଭୂତଳ ଜଳଭଣ୍ଡାର ନିକଟରେ ଶୌଚାଳୟ ନିର୍ମାଣ କରିବେ ଏବଂ ଶୌଚାଳୟର ଜଳ ଭୂତଳ ଜଳଭଣ୍ଡାରରେ ମିଶିବାର ଆଶଙ୍କା ରହିଛି । ଏହାବାଦ୍‍ ଯଦି ବାହାର ଲୋକେ ଏଠାରୁ ଅନଧିକାର ପ୍ରବେଶ କରିବେ ତେବେ ଭୂତଳ ଜଳଭଣ୍ଡାରରେ ବିଷାକ୍ତ ସାମଗ୍ରୀ ପକାଇଦେବାର ବି ଭୟ ରହିଛି ।

ତେଣୁ ଯେଉଁଠାରେ ଭୂତଳ ଜଳଭଣ୍ଡାର ରହିଛି ସେଠାରେ ତାହାର ଚାରିପଟେ ସୁଉଚ୍ଚ ପାଚେରୀ ସହିତ ତାରବାଡ ଘେରାଯାଇଛି । ଏହାର ସାମ୍ନାରେ ଏହି ଅଞ୍ଚଳଟି ନିଷିଦ୍ଧ ଅଞ୍ଚଳ ବୋଲି ବୋର୍ଡରେ ଲେଖି ମରାଯାଇଛି । ହେଲେ ଏବେ ରାଜଧାନୀର ଏହି ନିଷିଦ୍ଧାଞ୍ଚଳରେ ପରିସ୍ଥିତି କିନ୍ତୁ ଭିନ୍ନ । ଭୂତଳ ଜଳଭଣ୍ଡାରର ଏହି ନିଷିଦ୍ଧାଞ୍ଚଳରେ ମାଳ ମାଳ ଲୋକେ ଘରଦ୍ୱାର ତିଆରି କରି ବସବାସ କରୁଛନ୍ତି । ଶୌଚାଳୟ ନିର୍ମାଣ କରିଛନ୍ତି । ପାଇଖାନା, ଗାଧୁଆଘର, ରୋଷେଇଘର ପାଣିକୁ ଭୂତଳ ଜଳଭଣ୍ଡାର ନିକଟରେ ଛାଡି ଦେଉଛନ୍ତି । ଯେହେତୁ ଏହି ସ୍ଥାନକୁ ସ୍ୱରେଜ ଲାଇନ୍‍ ପକାଇବା ବେଆଇନ୍‍ ତେଣୁ ଶୌଚାଳୟର ପାଣି ଭୂତଳ ଜଳଭଣ୍ଡାର ନିକଟରେ ହିଁ ମାଟି ଭିତରକୁ ଯାଉଛି ।

ସହର ଭିତରେ ଥିବା ଏକାଧିକ ଭୂତଳ ଜଳଭଣ୍ଡାରରୋ ଏଭଳି ସ୍ଥିତି । ସମସ୍ତେ ଦେଖୁଛନ୍ତି, ହେଲେ କେହି କିଛି ପଦକ୍ଷେପ ନେଉ ନାହାନ୍ତି । ଇତି ମଧ୍ୟରେ କେତେକ ନିଷିଦ୍ଧାଞ୍ଚଳ ଭିତରେ ଜଳଯୋଗାଣ ଯନ୍ତ୍ରୀମାନଙ୍କ ପାଇଁ ଦପ୍ତର ନିର୍ମାଣ ହୋଇଛି । ସେମାନେ ପ୍ରତିଦିନ ଆସି ଏଭଳି ବେଆଇନ୍‍ ବସବାସକୁ ଦେଖୁଥିଲେ ମଧ୍ୟ ମୁହଁ ଖୋଲୁ ନାହାନ୍ତି । ନିଷିଦ୍ଧାଞ୍ଚଳରେ କିଏ ଘର କରି ରହୁଛି ଓ କିଏ ଏହି ଘରର ଭଡା ଆଦାୟ କରୁଛି ସେ ସଂକ୍ରାନ୍ତରେ ସମସ୍ତେ ନିରବ । ତେବେ ଯେତେବେଳେ କିଛି ଗୋଟେ ବଡ ଅଘଟଣ ଘଟିବ ସେତେବେଳେ ସମସ୍ତଙ୍କ ନିଦ ଭାଙ୍ଗି ବୋଲି ଏବେ ସ୍ଥାନୀୟ ଲୋକେ ମତଦେବା ଆରମ୍ଭ କରିଛନ୍ତି । (ତଥ୍ୟ)