ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଏଯାବତ୍ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଏ ସଂକ୍ରାନ୍ତୀୟ ପ୍ରସ୍ତାବ ସରକାରଙ୍କର ସକ୍ରିୟ ବିଚାରାଧୀନ ଥିବାରୁ ଯଦି ସକରାତ୍ମକ ନିଷ୍ପତ୍ତି ହୁଏ ତେବେ ଚଳିତ ମାସରେ ଯେ କୌଣସି ସମୟରେ ଏ ସଂକ୍ରାନ୍ତୀୟ ଘୋଷଣା ପ୍ରକାଶ ପାଇବାର ସମ୍ଭାବନା ଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଶାୟୀ ପ୍ରାର୍ଥୀ ଏବଂ ରାଜନୈତିକ ଦଳଗୁଡ଼ିକର ଛାତ୍ର ସଂଗଠନମାନେ ବିଶେଷ ତତ୍ପରତା ପ୍ରକାଶ କରୁଛନ୍ତି ।
ଦୁର୍ଗା ପୂଜା ପାଇଁ ଚଳିତ ମାସର ଶେଷ ଆଡକୁ ଛୁଟି ହୋଇଯିବ । ତେଣୁ ଦୁର୍ଗା ପୂଜା ଛୁଟି ହେବା ଆଗରୁ ଛାତ୍ର ସଂସଦ ନିର୍ବାଚନ କରାଯିବାର ସମ୍ଭାବନା ରହିଛି । ଏଥିପାଇଁ କଲେଜ୍ଗୁଡ଼ିକୁ ପ୍ରସ୍ତୁତ ଲାଗି ଅନ୍ତତଃପକ୍ଷେ ୧୦ଦିନ ସମୟ ଦରକାର । ତାହାରି ଭିତରେ କଲେଜ୍ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଦିନରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରି ସେଥିରେ ପ୍ରାର୍ଥୀପତ୍ର ଦାଖଲ, ଯାଞ୍ଚ, ପ୍ରତ୍ୟାହାର, ପ୍ରାର୍ଥୀମାନଙ୍କ ବକ୍ତବ୍ୟ ପ୍ରଦାନ, ଭୋଟ ଗ୍ରହଣ, ଭୋଟ ଗଣନା, ଫଳାଫଳ ଘୋଷଣା ଏବଂ ନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମର ସମୟ ସାରଣୀ ଘୋଷଣା କରିବେ । ଅବଶ୍ୟ ରାଜ୍ୟ ସରକାର ଯେଉଁ ସମୟ ନିର୍ଘଣ୍ଟ ସ୍ଥିର କରିବେ ତଦନୁଯାୟୀ କଲେଜ୍ କର୍ତ୍ତୃପକ୍ଷ ନିଜ ନିଜ ଶିକ୍ଷାନୁଷ୍ଠାନରେ ବିଜ୍ଞପ୍ତି ଜାରି କରିବେ ।
ବିଭିନ୍ନ ପ୍ରସଂଗକୁ ନେଇ ଏବେ ବହୁ ଶିକ୍ଷାନୁଷ୍ଠାନରେ ସରଗରମ ପରିସ୍ଥିତି ରହିଛି । ଏହାକୁ ନିୟନ୍ତ୍ରଣ କରିବା ଲାଗି କଲେଜ୍ଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ନାହାନ୍ତି ଏବଂ ଅଧିକାଂଶ କଲେଜ୍ରେ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀରେ ନିୟମିତ ନିଯୁକ୍ତି ହୋଇନଥିବାରୁ ଭାରପ୍ରାପ୍ତ ବ୍ୟବସ୍ଥାରେ ଚାଲିଛି । ନିୟମିତ ଶିକ୍ଷକମାନଙ୍କୁ ଛାତ୍ର ସଂସଦ ନିର୍ବାଚନର ବିଭିନ୍ନ ଦାୟିତ୍ୱରେ ରଖାଯିବ । ତେବେ ଅତିଥି ଅଧ୍ୟାପକମାନେ ଏହି ବ୍ୟାପାରରେ ମୁଣ୍ଡ ଖେଳାଇବେ ନାହିଁ । ଏ ପରିପ୍ରେକ୍ଷୀରେ ଆଗୁଆ ତାରିଖ ଘୋଷଣା କରାନଗଲେ ତାହା କଲେଜ୍ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ ବୋଲି ଅନେକ ଅଭିଜ୍ଞ ଅଧ୍ୟାପକ କହୁଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ ପଞ୍ଚାୟତ, ପୌର, ସମବାୟ, ବିଧାନସଭା ଓ ସଂସଦ ପାଇଁ ନିର୍ବାଚନ ହେଉଥିବା ବେଳେ ବର୍ଷବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ହେଉନାହିଁ । ଯୁବକ ସଂଘ, ମହିଳା ସମିତି, କର୍ମଚାରୀ ଓ ଶ୍ରମିକ ସଂଘ ଆଦିରେ ନିର୍ବାଚନ ହୋଇପାରୁଥିବା ବେଳେ ଛାତ୍ର ସଂସଦ ନିର୍ବାଚନକୁ କିନ୍ତୁ ବିଭିନ୍ନ ଆଳ ଦେଖାଇ କରାଇ ଦିଆଯାଉ ନାହିଁ । ବିଜେଡି ସରକାର ସମୟରେ ପ୍ରାୟ ୫ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାବେଳେ ୨୦୨୪ ଜୁନ୍ ମାସରେ ଓଡ଼ିଶାରେ ବିଜେପି ସରକାର ଗଢ଼ାଯାଇଥିଲେ ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିବୃତି ସତ୍ତ୍ୱେ ଗତବର୍ଷ ନିର୍ବାଚନ ହୋଇନଥିଲା । ଏବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ହେବ ବୋଲି କୁହାଯାଉଥିଲେ ବି ଏଯାବତ୍ ସରକାରୀ ସ୍ତରରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନାହିଁ । ତେବେ ଉଚ୍ଚଶିକ୍ଷା ବିଭାଗ ନିର୍ବାଚନ ସପକ୍ଷରେ ମତ ଦେଇଥିବା ଜଣାପଡିଛି ।
କ୍ଷମତାକୁ ଆସିବା ପରେ ବିଜେପି ସରକାର ଅମଳରେ ଛାତ୍ର ସଂସଦଗୁଡ଼ିକରେ କେଉଁ ଦଳର ଅଧିକ ପତିଆରା ରହିବ ତାହାକୁ ନେଇ ରାଜ୍ୟ ରାଜଧାନୀରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସରଗରମ ରାଜନୀତି ଚାଲିଛି । ସଂଖ୍ୟାଧିକ କ୍ଷେତ୍ରରେ ଛାତ୍ର ସଂସଦ ଦଖଲ କରିବା ବିଜେପି ପାଇଁ ମର୍ଯ୍ୟାଦାର ପ୍ରଶ୍ନ ହୋଇଥିବା ବେଳେ ବିଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳ ସମର୍ଥିତ ଛାତ୍ର ସଂଗଠନଗୁଡ଼ିକ ବି ନିଜ ନିଜର ଲୋକପ୍ରିୟତା ପ୍ରମାଣିତ କରିବା ପାଇଁ ପୂରା ଦମ୍ରେ ଲାଗିଛନ୍ତି । ଗ୍ରୀଷ୍ମାବକାଶ ପରେ କଲେଜ୍ଗୁଡ଼ିକ ଖୋଲିବା ଓ ତାହା ପରେ ପରେ ନବାଗତ ଛାତ୍ରଛାତ୍ରୀଙ୍କ ନାମାଙ୍କନ ସମୟରୁ ପିଲାମାନଙ୍କୁ ନିଜ ପକ୍ଷକୁ ଟାଣିବା ପାଇଁ ଛାତ୍ର ସଂଗଠନଗୁଡ଼ିକ ଆପ୍ରାଣ ଉଦ୍ୟମ ଜାରି ରଖିଥିବା ବେଳେ ସମସ୍ତଙ୍କ ନଜର ଏ ସଂକ୍ରାନ୍ତୀୟ ସରକାରୀ ନିଷ୍ପତ୍ତି ଉପରେ ରହିଛି । (ତଥ୍ୟ)