Home Covid ଅକ୍ସିଜେନ୍‍ ଯୋଗାଣ ପାଇଁ ସ୍ୱତନ୍ତ୍ର ସେଲ୍‍

ଅକ୍ସିଜେନ୍‍ ଯୋଗାଣ ପାଇଁ ସ୍ୱତନ୍ତ୍ର ସେଲ୍‍

ଭୁବନେଶ୍ୱର : ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି ।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ଜିଲ୍ଲାର ସମସ୍ତ ଏସ୍‌ପି/ଡିସିପି/ରେଂଜ ଡିଆଇଜି/ଆଇଜିଏବଂ ପୋଲିସ୍ କମିଶନର ନିଜ ନିଜ ଅଂଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଗତ ୨୪ ଘଂଟା ମଧ୍ୟରେ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୧୫ଟି ଟ୍ୟାଙ୍କର୍ ଯୋଗେ ୨୫୦ ଟନ୍‌ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା ଏବଂ ଯାଜପୁର ଜିଲ୍ଲାରୁ ବିଶାଖାପାଟଣା(ଆନ୍ଧ୍ରପ୍ରଦେଶ), ହାଇଦ୍ରାବାଦ୍‌(ତେଲେଙ୍ଗାନା), ଇନ୍ଦୋର( ମଧ୍ୟପ୍ରଦେଶ), ପୁନେ, ମୁମ୍ବାଇ ଓ ନାଗପୁର( ମହାରାଷ୍ଟ୍ର)କୁ ଅକ୍ସିଜେନ୍ ପଠାଯାଇଛି ।

ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି । ପ୍ରକାଶ ଥାଉ କି, ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ୨ଟି ଟ୍ୟାଙ୍କର୍ ଅନୁଗୁଳରୁ ବିଶାଖାପାଟଣା ଏବଂ ଯାଜପୁରରୁ ଗାଜିଆବାଦ୍ ଏବଂ ବିଶାଖାପାଟଣାକୁ ଅକ୍ସିଜେନ୍ ପଠାଯିବାର ବ୍ୟବସ୍ଥା କରାଯାଇଛି । ଅକ୍ସିଜେନ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକରେ ଟ୍ୟାଙ୍କର୍‌କୁ ସୁରକ୍ଷିତ ଭାବେ ନିର୍ଦ୍ଧାରିତ ସ୍ଥାନରେ ପହଁଚାଇବାକୁ ରାଜ୍ୟ ପୋଲିସ୍ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି