ଭୁବନେଶ୍ୱର : ଆଇନ୍ ଅଦାଲତଙ୍କ ନିର୍ଦ୍ଦେଶକୁ ଠିକଣା ଭାବେ ଅନୁପାଳନ କରୁନଥିବା ଅଧିକାରୀମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବା ବେଳେ ଆଇନ୍ ଅଦାଲତଙ୍କୁ ସହଯୋଗ କରିବା ପରିବର୍ତ୍ତେ ସରକାର କିନ୍ତୁ ଅଦାଲତ ଅବମାନନା ମାମଲାର ଅଭିଯୁକ୍ତମାନଙ୍କ ପକ୍ଷ ସମର୍ଥନ କରୁଛନ୍ତି । ଏହା ଏକ ଖରାପ ପରମ୍ପରା ସୃଷ୍ଟି କରୁଛି ବୋଲି ଅଭିଜ୍ଞ ଆଇନ୍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି ।
କେବଳ ଓଡ଼ିଶା ହାଇକୋର୍ଟରେ ଏବେ ପ୍ରାୟ ୧୧ ହଜାର ଅଦାଲତ ଅବମାନନା ମାମଲା ବିଚାରାଧୀନ ରହିଛି, ଯେଉଁଥିରୁ ଅଧିକାଂଶରେ ଅଭିଯୁକ୍ତ ହେଉଛନ୍ତି ବରିଷ୍ଠ ସରକାରୀ ଅଧିକାରୀମାନେ । ଆଇନଗତ ବ୍ୟବସ୍ଥା ଅନୁଯାୟୀ ଅଦାଲତ ଅବମାନନା ମାମଲାରେ ଅଭିଯୁକ୍ତଙ୍କ ପ୍ରତି ଜେଲ୍ ଓ ଜରିମାନା ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି । ଏହାଛଡ଼ା ଆଇନ୍ ଅଦାଲତ ଚାହିଁଲେ ସେମାନଙ୍କ ଚାକିରି ଉପରେ ବି ଆଞ୍ଚ ଆଣିପାରିବେ । କେବଳ ସେତିକି ନୁହେଁ, ଯେଉଁ ଅଧିକାରୀମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲୁଛି ସେମାନଙ୍କୁ ସରକାରୀ ଓକିଲମାନେ ସହାୟତା ଦେବା କଥା ନୁହେଁ । ଏଭଳି ମାମଲାରେ ସରକାରୀ ଓକିଲମାନେ ଅଦାଲତଙ୍କୁ ସହାୟତା କରିବା କଥା । କିନ୍ତୁ ସଂଖ୍ୟାଧିକ ମାମଲାରେ ଏଭଳି ଅଭିଯୁକ୍ତ ଅଧିକାରୀମାନେ ନିଜ ପାଇଁ ବ୍ୟକ୍ତିଗତ ଓକିଲ ନିଯୁକ୍ତ ନକରି ସରକାରୀ ପ୍ୟାନେଲ୍ର ଓକିଲମାନଙ୍କ ସହାୟତାରେ ମାମଲା ଲଢ଼ୁଛନ୍ତି ।
ଯେଉଁ ମାମଲାରେ ନିମ୍ନ ଅଦାଲତ ଓ ଉଚ୍ଚ ନ୍ୟାୟାଳୟର ରାୟ ସରକାର ପ୍ରତିପାଳନ କରିପାରିବେ ନାହିଁ ସେ କ୍ଷେତ୍ରରେ ଏହା ବିରୋଧରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉପର ଅଦାଲତରେ ଅପିଲ କରିବାର ବ୍ୟବସ୍ଥା ରହିଛି । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଆଇନ୍ ଅଦାଲତଙ୍କ ରାୟକୁ ଅଣଦେଖା କରି ସରକାରଙ୍କ ପକ୍ଷରୁ ଉଚ୍ଚ ଫୋରମ୍ରେ ଅପିଲ କରାଯାଉ ନାହିଁ କିମ୍ବା ନିର୍ଦ୍ଦେଶର ବି ଠିକଣା ଅନୁପାଳନ କରାଯାଉ ନାହିଁ ।
ଓଏଏସ୍ ନିଯୁକ୍ତି ମାମଲାରେ ଆଇନ୍ ବ୍ୟବସ୍ଥାର ଉଲ୍ଲଂଘନ କରାଯାଇ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗରୁ ବଞ୍ôଚତ କରାଯାଇଥିଲା । ୨୦୧୭ ବ୍ୟାଚ୍ର ଏହି ପ୍ରାର୍ଥୀ ଜଣକ ୨୦୧୯ ମସିହାରେ ଅନ୍ୟମାନଙ୍କ ସହ ନିଯୁକ୍ତି ପାଇବା କଥା । କିନ୍ତୁ ଓଡ଼ିଶା ଲୋକସେବା ଆୟୋଗଙ୍କ ତ୍ରୁଟି ବିଚ୍ୟୁତି ଯୋଗୁ ଏହି ପ୍ରାର୍ଥୀଙ୍କ ନାମ ଯୋଗ୍ୟତା ତାଲିକାରୁ ବାଦ୍ ପଡ଼ିଥିଲା । ଏ ପ୍ରସଂଗରେ ମୁଖ୍ୟ ଶାସନ ସଚିବ ଓ ସାଧାରଣ ପ୍ରଶାସନ ବିଭାଗ ଆୟୋଗଙ୍କୁ ବାରମ୍ବାର ଚିଠି ଲେଖିଲେ ବି କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ହାଇକୋର୍ଟରେ ମାମଲା ଲଢ଼ି ଏହି ବଞ୍ôଚତ ପ୍ରାର୍ଥୀ ଜଣକ ୫ବର୍ଷ ପରେ ନ୍ୟାୟ ପାଇଲେ । ତାଙ୍କ ନାମ ଯୋଗ୍ୟତା ତାଲିକାରେ ସ୍ଥାନିତ କରିବା ସହ ନିଯୁକ୍ତି, ବରିଷ୍ଠତା ଓ କନିଷ୍ଠଙ୍କ ତୁଳନାରେ ବେତନ ଓ ପଦୋନ୍ନତି ଦେବା ଲାଗି ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ତାଙ୍କୁ ୫ବର୍ଷର ବେତନ ନଦେଇ ୧ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସଂଗେ ସଂଗେ ହାଇକୋର୍ଟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କହିଥିଲେ ।
ଆଇନ୍ ବିଭାଗ, ଅର୍ଥ ବିଭାଗ, ସାଧାରଣ ପ୍ରଶାସନ ବିଭାଗ, ରାଜସ୍ୱ ବିଭାଗ ଏବଂ ଓପିଏସ୍ସି ଏହି ରାୟକୁ ମାନି ନେବାରୁ ପ୍ରାୟ ବର୍ଷେ ତଳେ ଉକ୍ତ ବଞ୍ôଚତ ପ୍ରାର୍ଥୀ ଜଣକ ନିଯୁକ୍ତି ପାଇଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତାଙ୍କୁ ୧ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିନାହିଁ । ସାଧାରଣ ପ୍ରଶାସନ ବିଭାଗ ଏହି ପ୍ରାର୍ଥୀଙ୍କୁ ୧ଲକ୍ଷ ଟଙ୍କା ଦେବା ଲାଗି ଆୟୋଗଙ୍କୁ ଚିଠି ଲେଖିଥିଲେ ମଧ୍ୟ ତାହା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ କିମ୍ବା କୋର୍ଟରେ ଅନୁପାଳନ ରିପୋର୍ଟ ଦାଖଲ କରାଯାଉ ନାହିଁ । ଅଦାଲତ ଅବମାନନା ମାମଲାକୁ ଭୟ ନଥିବାରୁ କିଛି ଅଧିକାରୀ ନିଜକୁ ସର୍ବେସର୍ବା ଭାବି ଆଇନ୍ ବହିର୍ଭୂତ କାର୍ଯ୍ୟ କରୁଥିବାରୁ ଏଭଳି ଘଟୁଛି । ଯେଉଁ ଅଧିକାରୀମାନେ ଆଇନ୍ ଅଦାଲତଙ୍କ ରାୟ ପ୍ରତିପାଳନ କରିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଉଭୟ ଶୃଙ୍ଖଳାଗତ ଓ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅଭିଜ୍ଞ ଆଇନ୍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)