Home Health ଟିକା ବୋଝ ୧୬୦୦ କୋଟି ଟପିଯିବ

ଟିକା ବୋଝ ୧୬୦୦ କୋଟି ଟପିଯିବ

ଭୁବନେଶ୍ୱର : କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କୁ ଯଦି ଟିକା କିଣିବାକୁ ପଡ଼େ ତେବେ ଓଡ଼ିଶା ରାଜକୋଷ ଉପରେ ପ୍ରାୟ ୧୬୦୦ କୋଟି ଟଙ୍କାର ଅଧିକ ବୋଝ ପଡ଼ିବ । ଗୋଟିଏ ପଟେ କରୋନାର ଦ୍ରୁତ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କୁ ବ୍ୟାପକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଅନ୍ୟପଟେ କରୋନା ମହାମାରୀ ଯୋଗୁ ଅର୍ଥନୀତି ଉପରେ ସାଂଘାତିକ ଛାଟ ବସୁଥିବା ପରିପ୍ରେକ୍ଷୀରେ ଏହା ଓଡ଼ିଶା ଭଳି ରାଜ୍ୟ ପାଇଁ ଏହା ବେଡ଼ି ଉପରେ କୋରଡ଼ାମାଡ଼ ଭଳି ହୋଇପାରେ ।

ଦେଶର ସମସ୍ତଙ୍କୁ କରୋନା ଟିକା ଦେବା ଲାଗି ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ତଦନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟାନ୍ୟ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ନାଗରିକ ଏବଂ ସାଂଘାତିକ ରୋଗରେ ଘାଣ୍ଟି ହେଉଥିବା ଲୋକଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ପରେ ଏହି ବୟସ ସୀମା ୪୫କୁ ଖସାଯାଇଛି । ଆସନ୍ତା ମଇ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଟିକାଦାନ ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ଏବେ ରାଜ୍ୟମାନେ ନିଜ ଖର୍ଚ୍ଚରେ ଟିକା ଦେଇପାରିବେ ଏବଂ ଘରୋଇ ହସ୍ପିଟାଲମାନଙ୍କୁ ମଧ୍ୟ ଟିକା କିଣିବା ପାଇଁ ଅନୁମତି ମିଳିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଭାରତ ବାୟୋଟେକ୍‍ ଦ୍ୱାରା ପ୍ରସ୍ତୁତ ଦେଶୀୟ ଟିକା କୋଭାକ୍ସିନ୍‍ ଏବଂ ଆଷ୍ଟ୍ରାଜେନିକାର କୋଭିସିଲ୍ଡ ଟିକା ଏବେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଯୋଗାଇ ଦେଉଛନ୍ତି ।

ସରକାରୀ ଟିକାଦାନ କେନ୍ଦ୍ରଗୁଡ଼ିକରେ ସମ୍ପୂର୍ଣ୍ଣ ମାଗଣାରେ ଓ ବେସରକାରୀ ହସ୍ପିଟାଲରେ ଜଣପିଛା କରି ୨୫୦ ଟଙ୍କା କରି ସର୍ଭିସ୍‍ ଚାର୍ଜରେ ଏବେ ରାଜ୍ୟରେ ଟିକାକରଣ ଚାଲିଛି । ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନା ଟିକା କିଣିବେ ବୋଲି କେନ୍ଦ୍ରର ଘୋଷଣା ପରେ ସିରମ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ପକ୍ଷରୁ ଟିକା ଦର ଘୋଷଣା କରାଯାଇଛି ।

କେନ୍ଦ୍ର ସରକାରଙ୍କୁ ଡୋଜ୍‍ ପିଛା ୧୫୦ ଟଙ୍କାରେ କୋଭିସିଲ୍ଡ ଟିକା ମିଳୁଥିବା ବେଳେ ସେହି ଟିକାକୁ ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କା ଓ ଘରୋଇ ଡାକ୍ତରଖାନାକୁ ଡୋଜ୍‍ ପିଛା ୬୦୦ ଟଙ୍କାରେ ବିକ୍ରି କରାଯିବ । ଏହାର ରକ୍ଷଣାବେକ୍ଷଣ, ପରିବହନ ଓ ବିତରଣ ଖର୍ଚ୍ଚ ପୁଣି ଅଛି । ଏଥିରୁ ଟିକା ଉତ୍ପାଦନକାରୀ କମ୍ପାନୀ ବେଶ୍‍ ଲାଭ ଉଠାଇବାକୁ ଯାଉଥିବା ବେଳେ ଓଡ଼ିଶା ଭଳି ରାଜ୍ୟମାନେ ଅତିରିକ୍ତ ବ୍ୟୟଭାର ମୁଣ୍ଡାଇବେ । ଏଠାରେ ଉଲ୍ଲେଖନୀୟ ଯେ ଦେଶରେ ଏଯାବତ୍‍ ପ୍ରାୟ ୧୪ କୋଟି ଟିକା ଦିଆଯାଇଥିବା ବେଳେ ଓଡ଼ିଶାରେ ପ୍ରାୟ ୫୫ ଲକ୍ଷ ଲୋକଙ୍କୁ ଟିକା ଦିଆସରିଛି ।

ଆମେରିକାରେ ମଡେର୍ଣ୍ଣା ଟିକା ମୂଲ୍ୟ ୨୫ରୁ ୩୭ ଡଲାର୍‍ ଥିବା ବେଳେ ଫାଇଜର୍‍ ଟିକାର ମୂଲ୍ୟ ପ୍ରାୟ ୨୦ ଡଲାର ରହିଛି । ସେହପରି ସ୍ପୁଟନିକ୍‍ ଏବଂ ଜନ୍‍ସନ୍‍ ଆଣ୍ଡ ଜନସନ୍‍ ଟିକାର ମୂଲ୍ୟ୧୦ ଡଲାର କରି ଥିବାବେଳେ ଭାରତରେ କୋଭାସ୍କିନ୍‍ ଟିକା ୨୦୦ ଟଙ୍କାରେ ଓ କୋଭିସିଲ୍ଡ ୧୫୦ ଟଙ୍କାରେ ସରକାରଙ୍କୁ ଉପଲବ୍ଧ ହେଉଛି । ଏବେ କେତେକ ବିଦେଶୀ କମ୍ପାନୀ ଭାରତକୁ ଟିକା ଯୋଗାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି କାରଣ ଜନସଂଖ୍ୟା ଦୃଷ୍ଟିରୁ ଏଠି ଏକ ବଡ଼ ବଜାର ରହିଛି । (ତଥ୍ୟ)