ଭୁବନେଶ୍ୱର : ଗୋ ମାଫିଆଙ୍କର ଆତଙ୍କରାଜ ଯୋଗୁଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏବେ ସଙ୍କଟରେ । ଚାଷୀମାନେ ବହୁ ଆଗ୍ରହର ସହିତ ଏହି ଯୋଜନାକୁ ଆପଣେଇ ନେଇଛନ୍ତି । ଏହି ଯୋଜନା ଅନୁଯାୟୀ ଜଣେ ଚାଷୀ ବାହାର ରାଜ୍ୟରୁ ଉନ୍ନତ ଧରଣର ଦୁଧିଆଳି ଗାଈ ଆଣି ଦୁଗ୍ଧ ଉତ୍ପାଦନ କଲେ ଆବଶ୍ୟକ ସରକାରୀ ସବ୍ସିଡ୍ ପାଇପାରବ ଏବଂ ତାକୁ ଅନ୍ୟାନ୍ୟ ସହାୟତା ମିଳିପାରିବ । କିନ୍ତୁ ଦୁଃଖ ଓ ପରିତାପର କଥା ଓଡ଼ିଶାର ଏହି କାମଧେନୁ ଯୋଜନାରେ ଲାଭାନ୍ୱିତ ହେଉଥିବା ଚାଷୀମାନେ ଯେତେବେଳେ ଆନ୍ଧ୍ର, ତେଲେଙ୍ଗାନା ଆଦି ରାଜ୍ୟର ଉନ୍ନତଧରଣର ଦୁଧିଆଳି ଗାଈ ଆଣି ଓଡ଼ିଶା ଆସୁଛନ୍ତି, ସମସ୍ତ କାଗଜପତ୍ର ଠିକ୍ ଥିବା ସତ୍ତ୍ୱେ ସେମାନେ ଗୋ ମାଫିଆମାନଙ୍କର ରକ୍ତାକ୍ତ ଆକ୍ରମଣର ଶିକାର ହେଉଥିବା କହିଛନ୍ତି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ଅଧ୍ୟକ୍ଷ ରବି ବେହେରା ।
ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ୨୮ ତାରିଖ ଦିନ ରାତି ୯ଟା ବେଳେ ଆନ୍ଧ୍ରରୁ ଗାଈ ନେଇ ଆସୁଥିବା ଦୁଗ୍ଧଚାଷୀମାନଙ୍କ ଉପରେ ଗୋ-ମାଫିଆ ମାନଙ୍କର ରକ୍ତାକ୍ତ ଆକ୍ରମଣ । ଖଣ୍ଡଗିରି ଥାନା ପୋଲିସ୍ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ ସୁଦ୍ଧା ଆକ୍ରମଣକାରୀଙ୍କ କବଳରୁ ଦୁଗ୍ଧଚାଷୀମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲା । ଗୋମାଫିଆମାନଙ୍କ ଭିତରୁ ତିନିଦିନ ବିତିଯାଇଥିଲେ ସୁଦ୍ଧା ମାତ୍ର ୩ଜଣଙ୍କୁ ପୋଲିସ୍ ଗିରଫ କରି ଗତକାଲି ଜେଲ୍ ପଠାଇଛି । ଆହୁରି ୫୦ରୁ ୬୦ ଗୋ ମାଫିଆ ଖୋଲାଖୋଲି ବୁଲୁଛନ୍ତି ଏବଂ ଚାଷୀମାନଙ୍କୁ ଧମକ୍ଚମକ୍ ଦେଉଛନ୍ତି ବୋଲି ଆଜିର ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ, ଦୁଗ୍ଧ ଉତ୍ପାଦନକାରୀ ସଂଘ, ଭୁବନେଶ୍ୱର, ଅଲ୍ ଓଡ଼ିଶା ଗୋପାଳ ସମାଜ ଓ ଅଲ୍ ଓଡ଼ିଶା ଗୋପାଳ ଯାଦବ ମହାସଂଘ ସମେତ ବହୁ ଦୁଗ୍ଧଚାଷୀ ଅଭିଯୋଗ କରିଛନ୍ତି ।
ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଗତ ସପ୍ତାହରେ ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗର ଯୋଜନା ଉପରେ ମୂଲ୍ୟାୟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୈନିକ କ୍ଷୀର ଉତ୍ପାଦନ ୬୫ଲକ୍ଷ ଲିଟରରୁ ୧୩୦ ଲକ୍ଷ ଲିଟରକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଜରିଆରେ ହିତାଧିକାରୀମାନଙ୍କୁ ସବ୍ସିଡ୍ରେ ଦୁଇଟି ଲେଖାଏ ଗାଈ ଦେଇ ଏହି ଯୋଜନାର ସଫଳ ରୂପାୟନ କିଭଳି କରାଯାଇପାରିବ, ସେ ଦିଗରେ ସବୁ ପଦକ୍ଷେପ ନେବାପାଇଁ ପ୍ରଶାସନକୁ ସତର୍କ କରାଇ ଦେଇଛନ୍ତି ।
କିନ୍ତୁ ଦୁଃଖର କଥା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ହିତାଧିକାରୀମାନେ ଯେତେବେଳେ ଆନ୍ଧ୍ରପ୍ରଦେଶରୁ ଗାଈ କିଣି ଓଡ଼ିଶା ଫେରୁଥିଲେ, ସେତିକିବେଳେ ଗତ ୨୮ ତାରିଖ ରାତି ପାଖାପାଖି ୯ ଘଟିକା ସମୟରେ ୭୦ ରୁ ୮୦ ଜଣ ଗୋମାଫିଆ ଏହି ଗାଈ ଟ୍ରକ ଗୁଡ଼ିକୁ ବରମୁଣ୍ଡା ଓଭରବ୍ରିଜ୍ ଉପରେ ଘେରିଯାଇ ‘ଜୟ ଶ୍ରୀରାମ’ ନାରାଦେଇ ଏହି ଦୁଗ୍ଧଚାଷୀ ଓ ଟ୍ରକ ଗୁଡ଼ିକ ଉପରେ ଆକ୍ରମଣ କରିଥିଲେ ।
ଫଳରେ ସେହି ଜାଗାରେ ୪ଜଣ ଚାଷୀ ଆହତ ହେବା ସହିତ ୩ଟି ପିକ୍ପ୍ ଭ୍ୟାନ୍ ଭାଙ୍ଗିରୁଜି ଯାଇଥିଲା ଓ ଘଟଣାସ୍ଥଳରେ ଗୋଟିଏ କଅଁଳା ବାଛୁରୀର ମୃତ୍ୟୁ ମଧ୍ୟ ଘଟିଥିଲା । ବଜରଙ୍ଗ ଦଳର ତଥାକଥିତ ଏହି ଗୋମାଫିଆ କବଳରୁ ଘଟଣାସ୍ଥଳରେ ଯାଇ ତତ୍କାଳନ ପହଞ୍ôଚଥିବା ଖଣ୍ଡଗିରି ପୋଲିସ୍ ଦୁଗ୍ଧଚାଷୀମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ମାତ୍ର ଦେଇପାରିନଥିଲେ । ଗୋମାଫିଆ ମାନେ ଚାଷୀମାନଙ୍କଠାରୁ ୭୦ ହଜାର ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ପୋଲିସ୍କୁ ନାଲି ଆଖି ଦେଖାଇ ଚମ୍ପଟ୍ ମାରିଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ଗୋମାଫିଆଙ୍କୁ ଗିରଫ କରିବାରେ ଖଣ୍ଡଗିରି ପୋଲିସ୍ ସକ୍ଷମ ହୋଇଥିଲା । ଆଜି ସେମାନଙ୍କୁ ଜେଲ୍ ହାଜତକୁ ଚାଲାଣ କରାଯାଇଛି ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ କରାଯାଇଛି ।
ଏଠାରେ ଉଲ୍ଲେଖଥାଉକି, ଗତ ୨ମାସ ତଳେ ଗାଁରୁ ଗାଈ କିଣି ଫେରୁଥିବା ବେଳେ ଭୁବନେଶ୍ୱର ସାଇମନ୍ଦିର ଛକରେ ଗୋମାଫିଆ ମାନେ ଦୁଇଜଣ ଦୁଗ୍ଧଚାଷୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ସେହିଭଳି ଗଜ ଜୁନ୍ ମାସରେ ଗଞ୍ଜାମ ଜିଲ୍ଲାର ଧରାକୋଟଠାରେ ତିନିଜଣ ଦଳିତ ଯୁବକଙ୍କୁ ଗୋ ମାଫିଆମାନେ ଆକ୍ରମଣ କରି ଲଣ୍ଡା କରି ନଦ୍ଦର୍ମା ପାଣି ପେଇବାକୁ ପଛାଇ ନଥିଲେ । ଗୋ ସୁରକ୍ଷାକୁ ଆଳ କରି ଗୋ ମାଫିଆମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହା ଉପରେ ଯଦି ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତାହେଲେ “ମୁଖ୍ୟମନ୍ତ୍ରି କାମଧେନୁ ଯୋଜନା” ଆବଶ୍ୟକୀୟ ସୁରକ୍ଷା ଅଭାବରୁ ବିଫଳ ହେବ ଓ ଦୁଗ୍ଧଚାଷୀମାନଙ୍କର ଅର୍ଥନୈତିକ ମେରୁଦଣ୍ଡ ଦୋହଲିଯିବ । ତେଣୁ ସରକାର ତୁରନ୍ତ ନିମ୍ନଲିଖିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମ୍ଭେ ଦାବି କରୁଛୁ ।
ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ଅଧ୍ୟକ୍ଷ ଶ୍ରୀ ବେହେରାଙ୍କ ସମେତ ଦୁଗ୍ଧ ଉତ୍ପାଦନକାରୀ ସଂଘ, ଭୁବନେଶ୍ୱରର ସମ୍ପାଦକ ନୃସିଂହ ଚରଣ ବେହେରା, ଅଲ୍ ଓଡ଼ିଶା ଗୋପାଳ ସମାଜର ସମ୍ପାଦକ ନାରାୟଣ ଡାଳୁଆ, ଅଲ୍ ଓଡ଼ିଶା ଗୋପାଳ ଯାଦବ ମହାସଂଘ ସଭାପତି ନାରାୟଣ ବେହେରା ଓ ସମ୍ପାଦିକା ସ୍ୱର୍ଣ୍ଣଲତା ବେହେରା ଙ୍କ ସମେତ ଗୋ ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିବା ଦୁଗ୍ଧଚାଷୀ ଦାମୋଦର ଦାସ, ମାୟାଧର ସେନାପତି, ସଞ୍ଜୟ କାଠୁଆ, ଶରତ କାଠୁଆ, ପବିତ୍ର ଦାସ, ଅଶ୍ୱିନୀ ବାରିକ, ନିରଞ୍ଜନ ବେହେରା, ସଂଜୟ ବେହେରା, ବାବାଜୀ ବେହେରା ଓ ଗାଡ଼ି ମାଲିକ ସତ୍ୟବ୍ରତ ଦାସ ପ୍ରମୁଖ ଉପସ୍ଥିତ ରହି ଆକ୍ରମଣକାରୀଙ୍କର ଗୁଣ୍ଡାରାଜ ଉପରେ ସବିଶେଷ ବିବରଣୀ ବର୍ଣ୍ଣନା କରିଥିଲେ ।
ଯଦି ଏକ ସପ୍ତାହ ଭିତରେ ସରକାର ଆକ୍ରମଣକାରୀ ଗୋ-ମାଫିଆ ମାନଙ୍କୁ ଗିରଫ ନ କରନ୍ତି ଓ ଚାଷୀମାନଙ୍କୁ କ୍ଷତିପୂରଣ ନ ଦିଅନ୍ତି, ତାହେଲେ ଆସନ୍ତା ବିଧାନସଭା ଅଧିବେଶନ ସମୟରେ ଜୋର୍ଦାର ଆନ୍ଦୋଳନ କରାଯିବ ବୋଲି ଏହି ନେତାମାନେ ସରକାରଙ୍କୁ ଚେତାଇ ଦେଇଛନ୍ତି ।