Home Judiciary ଏସ୍‍ସି,ଏସ୍‍ଟି ଅପରାଧ ମାମଲାରେ ଦଣ୍ଡବିଧାନ ହାର କମ୍‍

ଏସ୍‍ସି,ଏସ୍‍ଟି ଅପରାଧ ମାମଲାରେ ଦଣ୍ଡବିଧାନ ହାର କମ୍‍

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ପ୍ରତି ଯେତେ ସଂଖ୍ୟକ ଅପରାଧ ଘଟୁଛି ସେହି ମାମଲାଗୁଡ଼ିକରେ ଓଡ଼ିଶାରେ ଦଣ୍ଡ ବିଧାନ ହାର ଜାତୀୟ ହାରଠାରୁ ଢେର କମ୍‍ ରହୁଛି । କେବଳ ସେତିକି ନୁହେଁ, ଏଭଳି ସମ୍ବେଦନଶୀଳ ଯେତେ ମାମଲା ବିଚାର ପାଇଁ ରହିଛି ତାହାର ଦୁଇ ପ୍ରତିଶତ ମଧ୍ୟ ବର୍ଷକରେ ଫଇସଲା ହୋଇପାରୁ ନାହିଁ । ଭାରତ ସରକାରଙ୍କ ଏନ୍‍ସିଆରବି ପକ୍ଷରୁ ୨୦୨୩ ଡିସେମ୍ବର ମାସରେ ପ୍ରକାଶିତ କ୍ରାଇମ୍‍ ଇନ୍‍ ଇଣ୍ଡିଆ ରିପୋର୍ଟର ତଥ୍ୟରୁ ଏହା ଜଣାପଡିଛି ।

୨୦୨୩ ପରଠାରୁ ଆଉ ଏନ୍‍ସିଆରବିର କ୍ରାଇମ୍‍ ଇନ୍‍ ଇଣ୍ଡିଆ ରିପୋର୍ଟ ସାର୍ବଜନୀନ ହୋଇନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ଏସ୍‍ସି ଓ ଏସ୍‍ଟିମାନଙ୍କ ପ୍ରତି ବିଚାରାଧୀନ ଅପରାଧିକ ମାମଲା ସଂଖ୍ୟା ସାଢ଼େ ୩ଲକ୍ଷରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଥିବା ବେଳେ ଓଡ଼ିଶାରେ ଏଭଳି କିସମର ମାମଲା ସଂଖ୍ୟା ପାଖାପାଖି ୩୦ ହଜାର ହେବ ବୋଲି ଅନୁମାନ କରାଯାଉଛି ।

ଏହି ରିପୋର୍ଟର ପରିସଂଖ୍ୟାନ ଅନୁଯାୟୀ ୨୦୨୨ ବର୍ଷରେ ସାରା ଦେଶରେ ଏସ୍‍ଟିମାନଙ୍କ ପ୍ରତି ଥିବା ମାମଲାରୁ ମାତ୍ର ୮,୦୬୨ଟିର ବିଚାର ହୋଇଥିବା ବେଳେ ସେଥିରୁ ୩,୨୩୪ଟି ଫଇସଲା ହୋଇଥିଲା ଏବଂ ଏଥିମଧ୍ୟରୁ ମାତ୍ର ୯୦୨ଟିରେ ଦଣ୍ଡ ବିଧାନ ହୋଇଥିଲା । ସେହିଭଳି ଏସ୍‍ସିମାନଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲାରୁ ୪୫,୮୨୭ଟି ମାମଲା ବିଚାର ପାଇଁ ଯାଇଥିବା ବେଳେ ସେଥିରୁ ମାତ୍ର ୧୬,୭୧୪ଟି ଫଇସଲା ହୋଇଥିଲା ଯେଉଁଥିରେ ମୋଟ ୫୬୨୯ଟି ମାମଲାରେ ଦଣ୍ଡବିଧାନ କରାଯାଇଥିଲା ।

ଏହି ରିପୋର୍ଟର ତଥ୍ୟ ମୁତାବକ ଉକ୍ତ ବର୍ଷରେ ଏସ୍‍ସିମାନଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲାରୁ ମାତ୍ର ୩୪ ପ୍ରତିଶତରେ ଦଣ୍ଡବିଧାନ ହୋଇଥିବା ବେଳେ ଏସ୍‍ଟିମାନଙ୍କ ପ୍ରତି ଘଟିଥିବା ଅପରାଧ ସଂକ୍ରାନ୍ତୀୟ ମାମଲାରୁ ୨୮ ପ୍ରତିଶତରେ ଆସାମୀଙ୍କ ପ୍ରତି ଦଣ୍ଡାଦେଶ ହୋଇଥିଲା । ମୋଟାମୋଟି ଭାବେ ସାରା ଦେଶରେ ବିଚାର ପ୍ରତୀକ୍ଷାରେ ଥିବା ଏହି କିସମର ଅପରାଧିକ ମାମଲାଗୁଡ଼ିକ ଭିତରୁ ୬ ପ୍ରତିଶତରୁ କମ୍‍ ଫଇସଲା ହୋଇଥିବା ବେଳେ ୯୩ ପ୍ରତିଶତରୁ ଅଧିକା ବାକିଆ ମାମଲା ଭାବେ ପରବର୍ତ୍ତୀ ବର୍ଷକୁ ଗଡ଼ିଥିଲା ।

ଏସ୍‍ସି ଓ ଏସ୍‍ଟିଙ୍କ ପ୍ରତି ଅପରାଧିକ ମାମଲାଗୁଡିକ ମଧ୍ୟରେ ଦଣ୍ଡବିଧାନ ଓ ଫଇସଲା ହାର ଓଡ଼ିଶାରେ ଢେର କମ୍‍ ରହୁଛି । ଏସ୍‍ସିଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାରୁ ୨୦୨୨ ବର୍ଷରେ ମାତ୍ର ୧.୩ ପ୍ରତିଶତ ଆମ ରାଜ୍ୟରେ ଫଇସଲା ହୋଇଥିବାବେଳେ ଏଥିରେ ଦଣ୍ଡବିଧାନ ହାର ୧୬.୧ ପ୍ରତିଶତ ଥିବା ଏନ୍‍ସିଆରବି ରିପୋର୍ଟ କହୁଛି । ସେହିଭଳି ଏସ୍‍ଟିଙ୍କ ପ୍ରତି ଘଟିଥିବା ଅପରାଧ ସଂକ୍ରାନ୍ତୀୟ ମାମଲାଗୁଡ଼ିକ ମଧ୍ୟରୁ ଉକ୍ତ ବର୍ଷରେ ମାତ୍ର ୦.୭ ପ୍ରତିଶତ ଫଇସଲା ହୋଇଥିବାବେଳେ ଦଣ୍ଡବିଧାନ ହାର ୧୬.୬ ପ୍ରତିଶତ ଥିଲା । ମୋଟାମୋଟି ଭାବେ ଏସ୍‍ସିଙ୍କ ପ୍ରତି ଅପରାଧିକ ମାମଲାରୁ ଉକ୍ତ ବର୍ଷରେ ଓଡ଼ିଶାରେ ମାତ୍ର ୪୦ଟି ଘଟଣାରେ ଦଣ୍ଡବିଧାନ ହୋଇଥିବାବେଳେ ଏସ୍‍ଟିଙ୍କ ପ୍ରତି ଅପରାଧିକ ମାମଲାରେ ମାତ୍ର ୯ଟିରେ ଆସାମୀଙ୍କ ପ୍ରତି ଦଣ୍ଡାଦେଶ ଶୁଣାଯାଇଥିଲା ।

୧୯୫୦ ମସିହାରେ ଦେଶର ସମ୍ବିଧାନ ଲାଗୁ ହେଲା ଏବଂ ଏଥିରେ ସମାନତାର ଅଧିକାର ଦିଆଯିବା ସହିତ ୧୭ ଧାରାରେ ଅସ୍ଫୃଶ୍ୟତା ଉଚ୍ଛେଦ ହେଲା ବୋଲି ଘୋଷଣା କରାଯାଇଥିବାବେଳେ ଏବେ ବି ଆମ ରାଜ୍ୟ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଜାତିପ୍ରଥାର କୁତ୍ସିତ ରୂପ ରହିଛି । ହଜାର ହଜାର ବର୍ଷ ଧରି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଅସ୍ଫୃଶ୍ୟ କହି ଶୋଷଣ ଓ ଅତ୍ୟାଚାର ମୁହଁକୁ ଠେଲି ଦିଆଯାଇଥିବା ବେଳେ ଏବେ ବି ସେହି ବ୍ୟାଧି ସଂପୂର୍ଣ୍ଣ ଭାବେ ନିବାରିତ ହୋଇପାରି ନାହିଁ । ଏସ୍‍ସି ଓ ଏସ୍‍ଟି ବର୍ଗଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ଲାଗି ସମ୍ବିଧାନରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରଖାଯାଇଥିବା ବେଳେ ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ଅମଲାତନ୍ତ୍ରର ତ୍ରୁଟି ବିଚ୍ୟୁତି ଯୋଗୁ ଆଇନ୍‍ ଅଦାଲତରେ ସଂରକ୍ଷଣ ମାମଲା ସଂଖ୍ୟା ବଢ଼ୁଥିବା ପରିପ୍ରେକ୍ଷୀରେ ଏହି ବର୍ଗର ବହୁ ଆଶାୟୀ ପ୍ରାର୍ଥୀ ବର୍ଷବର୍ଷ ଧରି ନ୍ୟାୟ ପ୍ରତୀକ୍ଷାରେ ରହୁଥିବା ବିଧି ବିଶେଷଜ୍ଞମାନେ କହୁଛନ୍ତି । (ତଥ୍ୟ)