Home Excise ପ୍ରତ୍ୟେକ ଜିଲ୍ଲାରେ ହେବ ମଡେଲ ନିଶା ନିବାରଣ କେନ୍ଦ୍ର

ପ୍ରତ୍ୟେକ ଜିଲ୍ଲାରେ ହେବ ମଡେଲ ନିଶା ନିବାରଣ କେନ୍ଦ୍ର

ଭୁବନେଶ୍ୱର : ରାଜଧାନୀ ସମେତ ରାଜ୍ୟର ସମସ୍ତ ସହରରେ ଡ୍ରଗ୍ସ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ, ଚୋରାଚାଲାଣ ଏବଂ ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ  ସ୍ୱତନ୍ତ୍ର ଅଭିଯାନ ସଂପର୍କରେ ଆଜି ରାଜ୍ୟ ଆଇନ୍ ,  ପୂର୍ତ୍ତ ତଥା ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ  ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ସମେତ ପୁଲିସ୍ ପ୍ରଶାସନ, ଅବକାରୀ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଏବଂ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଅଧିକାରୀମାନେ ଯୋଗଦେଇ  ଏହି  ବୈଠକରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବେଆଇନ୍ ମାଦକ ଦ୍ରବ୍ୟ ବିକ୍ରି, ଚୋରାଚାଲାଣରେ ଅଙ୍କୁଶ ଲଗାଇବା ପାଇଁ ସେପ୍ଟେମ୍ବର ୧  ତାରିଖରୁ  ସମ୍ପୃକ୍ତ ସବୁ ବିଭାଗମାନଙ୍କର ମିଳିତ ସମନ୍ୱୟରେ ଭୁବନେଶ୍ୱର ସହର ତଥା ରାଜ୍ୟର ସବୁ ଜିଲ୍ଲାମାନଙ୍କରେ  ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ବିଭିନ୍ନ ନିଶା ଦ୍ରବ୍ୟ ଚୋରାଚାଲାଣ ଗ୍ରୁପ୍ ଗୁଡ଼ିକୁ ଧରିବା  ଏବଂ ଏସବୁର ପ୍ରଚ୍ଛଦ ପଟରେ ଥିବା ଚାଲାଣକାରୀଙ୍କୁ ମଧ୍ୟ ବନ୍ଧାଯିବାକୁ ନିର୍ଦ୍ଦେଶ ଦିଆଯାଇଛି  ।

ସ୍ପେଶାଲ ଟାକ୍ସ ଫୋର୍ସ–ଅବକାରୀ-ଏନସିବି-ବିଏମସି ମିଳିତ ଭାବେ  ଭୁବନେଶ୍ୱରକୁ ଏକ ନିଶାମୁକ୍ତ ସହର କରିବାକୁ କାର୍ଯ୍ୟ କରିବେ । ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ୍) ଦ୍ୱାରା  “ଅପରେସର ପ୍ରହାର” ଆରମ୍ଭ କରାଯିବ ।  ପେଶାଦାର ଅପରାଧୀମାନଙ୍କୁ ବାନ୍ଧିବା ପାଇଁ ମାଦକ ଦ୍ରବ୍ୟ ଏବଂ ମାନସିକ ସ୍ନାୟବିକ କ୍ଷତିକାରକ ତଥା ବ୍ୟବହାରିକ  କୁପ୍ରଭାବ ପକାଉଥିବା  ପଦାର୍ଥର ଅବୈଧ ଚାଲାଣ ପ୍ରତିରୋଧ ଅଧିନିୟମ ( ପିଆଇଟି-ଏନଡିପିଏସ୍) ଧାରା ଏବଂ ସିଆରପିସି ୧୧୦ ( ବିଏନଏସଏସ-୧୨୯) ଧାରା ଲଗାଯିବ । ନିଶା ନିବାରଣ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଅନ୍ତତଃ ଗୋଟିଏ ଲେଖାଏଁ ମଡେଲ ନିଶା ନିବାରଣ କେନ୍ଦ୍ର ରାଜ୍ୟ ସରକାର ସ୍ଥାପନ କରିବେ ।

 ଶିକ୍ଷା ନଗରୀ ଭୁବନେଶ୍ୱରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରରେ ଚଢାଉ ବ୍ୟାପକ କରାଯିବ । ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ, ଡ୍ରଗ୍ସ, ନିଶା ଦ୍ରବ୍ୟ ସେବନ କରିବା ଦ୍ୱାରା ବିଭିନ୍ନ କ୍ରିମିନାଲ କାର୍ଯ୍ୟକଳାପ ବଢ଼ୁଛି ।  ସେଥିପାଇଁ ବ୍ୟାପକ ଚଢାଉର ଆବଶ୍ୟକତା ରହିଛି । ମାନ୍ୟବର ମନ୍ତ୍ରୀ ସମସ୍ତ ବିଭାଗ ମୁଖ୍ୟମାନଙ୍କୁ ପୂର୍ଣ୍ଣ ପ୍ରୟାସ ଦ୍ୱାରା ନିଶା ନିବାରଣ କରିବା ଏବଂ ନିଶା ବେପାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର  ରଣକୌଶଳ ଅବଲମ୍ବନ ତଥା  ଟେକ୍ନୋଲେଜି ବ୍ୟବହାର  କରିବା ପାଇଁ ଆହ୍ୱାନ ଦେଇଛନ୍ତି ।  ବିଭିନ୍ନ ପଥ ଦେଇ  ମାଦକ ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ବିସ୍ତୃତ ଆଲୋଚନା କରାଯାଇଥିଲା । 

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ବେଆଇନ୍ ମାଦ୍ରକ ଦ୍ରବ୍ୟ ଚୋରାଚାଲାଣ ଓ ନିଶାଦ୍ରବ ବ୍ୟବହାର ବିଭିନ୍ନ ଅପରାଧର କାରଣ ହେଉଥିବା ଏବଂ ଏହା ସମାଜ ପ୍ରତି କ୍ଷତିର କାରଣ ହେଉଥିବାରୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଆଇଜି-ସିଆଇଡି-ସିବି (ସ୍ୱତନ୍ତ୍ର ଟାକ୍ସ ଫୋର୍ସ) ଡଃ. ସାର୍ଥକ ଷଡ଼ଙ୍ଗୀ , ଅବକାରୀ କମିଶନର,ଓଡ଼ିଶା ଶ୍ରୀମତୀ ପି.ଅନ୍ୱେଷା ରେଡ୍ଡୀ, ଏନସିବିର  ଆଂଚଳିକ ନିର୍ଦ୍ଦେଶକ, ଶ୍ରୀ କୁଳଦୀପ ଶର୍ମା,  ଭୁବନେଶ୍ୱର-କଟକ ଏସିପି ଶ୍ରୀ ନରସିଂହ ଭୋଳଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର  ବରିଷ୍ଠ ପଦାଧିକାରୀ ମାନେ  ଉପସ୍ଥିତ ଥିଲେ ।