ଭୁବନେଶ୍ୱର : ଓଡିଶାରେ ଆଇନ୍ ଅଦାଲତଗୁଡିକ ଉପରେ ମାମଲାର ବୋଝ ବଢି ଚାଲୁଥିବାବେଳେ ତ୍ୱରିତ ଫଏସଲା ପାଇଁ ରାଜ୍ୟ ମାମଲାନୀତିରେ ଥିବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାନଯିବା ଫଳରେ ଲକ୍ଷ ଲକ୍ଷ ମାମଲା ୧୦ ରୁ ୩୦ବର୍ଷ ଧରି ଗଡୁଛି । ଫଳରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକେ ନ୍ୟାୟ ପାଇବାରୁ ଅଧିକାଂଶ କ୍ଷେତ୍ରରେ ବଞ୍ଚିତ ହେଉଛନ୍ତି ।
ନେସନାଲ୍ ଜୁଡିସିଆଲ ଡାଟା ଗ୍ରିଡ୍ର ତଥ୍ୟ ମୁତାବକ ରାଜ୍ୟର ଆଇନ୍ ଅଦାଲତଗୁଡିକରେ ୧୦ବର୍ଷରୁ ପୁରୁଣା ୨,୧୬,୧୫୧ଟି ଅପରାଧିକ ମାମଲା ଗଡୁଥିବାବେଳେ ଏ କ୍ଷେତ୍ରରେ ପୁରୁଣା ଦେୱାନି ମାମଲା ସଂଖ୍ୟା ୨୭,୮୨୬ । ମୋଟାମୋଟି ଭାବେ ଯେତେସଂଖ୍ୟକ ମାମଲା ବିଚାରାଧିନ ରହିଛି ତାହାର ଅନ୍ୟୁନ ୧୪ ପ୍ରତିଶତ ୧୦ବର୍ଷରୁ ପୁରୁଣା । ଏମିତିକ ସ୍ଥଳ ବିଶେଷରେ ଜମିଜମା ମାମଲା ପୁରୁଷ ପୁରୁଷ ଧରି ଗଡୁଥିବାବେଳେ ଅପରାଧିକ ମାମଲା ବି ୨୦/୩୦ବର୍ଷ ଧରି ଗଡୁଛି ।
ଏନଜେଡିଜି ର ତଥ୍ୟ ମୁତାବକ ଆମ ରାଜ୍ୟରେ ବର୍ଷକରୁ ଅଧିକ ପୁରୁଣା ମାମଲା ସଂଖ୍ୟା ୧୭ଲକ୍ଷରୁ ଅଧିକ । ଏଥି ମଧ୍ୟରୁ ୧୪ଲକ୍ଷ ୪୦ହଜାରରୁ ଅଧିକ ଅପରାଧିକ ମାମଲା ହୋଇଥିବାବେଳେ ଦେୱାନି ମାମଲା ହେଉଛି ୨ଲକ୍ଷ ୬୫ହଜାରରୁ ଅଧିକ । ବର୍ଷକରୁ କମ୍ ଅବଧିର ମାମଲା ସଂଖ୍ୟା ଆମ ରାଜ୍ୟରେ ପ୍ରାୟ ୩ଲକ୍ଷ ୭୫ହଜାର । ଏଥି ମଧ୍ୟରୁ ୩ଲକ୍ଷ ୬୭ହଜାରରୁ ଅଧିକ ହେଉଛି ଅପରାଧିକ ମାମଲା । ମୋଟାମୋଟି ଭାବେ ମୋଟ୍ ବିଚାରାଧିନ ମାମଲାର ପ୍ରାୟ ୨୬ ପ୍ରତିଶତ ବର୍ଷକରୁ କମ୍ ଅବଧିର ହୋଇଥିବାବେଳେ ବର୍ଷେରୁ ତିନିବର୍ଷ ଧରି ଗଡୁଥିବା ମାମଲା ସଂଖ୍ୟା ହେଉଛି ୨୨ ପ୍ରତିଶତ ।
ବର୍ଷେରୁ ତିନି ବର୍ଷର ପୁରୁଣା ମାମଲା ସଂଖ୍ୟା ୩ଲକ୍ଷ ୭୧ ହଜାରରୁ ଅଧିକ ହୋଇଥିବାବେଳେ ଏଥିରୁ ଅପରାଧିକ ମାମଲା ସଂଖ୍ୟା ପ୍ରାୟ ୩ଲକ୍ଷ ୮ହଜାର । ସେହିପରି ମୋଟ୍ ମାମଲାର ୧୪ ପ୍ରତିଶତ ହେଉଛି ୩ ରୁ ୫ବର୍ଷର ପୁରୁଣା । ଏହାର ସଂଖ୍ୟା ବି ୨ଲକ୍ଷ ୩୭ହଜାରରୁ ଅଧିକ । ଏଥିରୁ ପ୍ରାୟ ୨ଲକ୍ଷ ୫ହଜାର ହେଉଛି ଅପରାଧିକ ମାମଲା ।
ଏହି ତଥ୍ୟ ମୁତାବକ ଓଡିଶାରେ ଯେତେ ବିଚାରାଧିନ ମାମଲା ରହିଛି ସେଥିରୁ ୨୪ପ୍ରତିଶତ ହେଉଛି ୫ରୁ ୧୦ବର୍ଷର ପୁରୁଣା । ଏହି ଅବଧିର ମାମଲା ସଂଖ୍ୟା ୪ଲକ୍ଷରୁ ଅଧିକ ଥିବାବେଳେ ସେଥିରୁ ଅପରାଧିକ ମାମଲା ସଂଖ୍ୟା ପାଖାପାଖି ୩ଲକ୍ଷ ୪୫ହଜାର । ବିଳମ୍ବିତ ନ୍ୟାୟକୁ ବିଡମ୍ବିତ ନ୍ୟାୟ ବୋଲି କୁହାଯାଏ । ମାମଲା ଫଏସଲାରେ ବିଳମ୍ବ ଯୋଗୁଁ ମାମଲାରେ ଛନ୍ଦି ହେଉଥିବା ନ୍ୟାୟ ପ୍ରତ୍ୟଶିମାନଙ୍କ ଦୁଃଖ ମା’ ମରିବା ଦୁଃଖ ଠାରୁ ବଳି ପଡୁଛି ବୋଲି ଅଭିଜ୍ଞ ଆଇନ୍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି ।
ସାଧାରଣ ଲୋକଙ୍କ ଅଭିଯୋଗର ସମାଧାନ ପାଇଁ ସରକାରୀକଳ ତ୍ୱରିତ ପଦକ୍ଷେପ ଗ୍ରହଣ କରିପାରୁନଥିବାରୁ ଜମିଜମା ସମେତ ଅନ୍ୟ ଦେୱାନି ମାମଲା ସଂଖ୍ୟା ବଢୁଛି । ଆଇନ୍ ବ୍ୟବସ୍ଥାରେ ନ୍ୟାୟ ପାଇବାଲାଗି ପୁରୁଷ ପୁରୁଷ ବିତିଯାଉଥିବାବେଳେ ଅନେକ କ୍ଷେତ୍ରରେ କ୍ଷତିଗ୍ରସ୍ତ ଲୋକେ ନିଜ ହାତକୁ ଆଇନକୁ ନେବା ଫଳରେ ଅପରାଧିକ ମାମଲା ମଧ୍ୟ ବୃଦ୍ଧି ପାଉଛି ।
ଆଇନ୍ଜୀବୀ, ଅବସରପ୍ରାପ୍ତ ବିଚାରପତି ଓ ଅବସରପ୍ରାପ୍ତ ପୁଲିସ୍ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ ନିଶାର ପ୍ରସାର ସମେତ ସାଂସ୍କୃତି ଓ ନୈତିକ ବ୍ୟବସ୍ଥାର ଅବକ୍ଷୟ, ମାମଲା ତଦନ୍ତରେ ତ୍ରୁଟି ବିଚ୍ୟୁତି, ଠିକଣା ଭାବେ ମାମଲା ପରିଚାଳନା କରାନଯିବା, ବିଳମ୍ବିତ ବ୍ୟବସ୍ଥା ଯୋଗୁଁ ସାକ୍ଷ୍ୟ ପ୍ରମାଣ ନଷ୍ଟହେବା ଏବଂ ସର୍ବୋପରି ରାଜନୀତିର ଅପରାଧିକରଣ ସହିତ ଅପରାଧର ରାଜନୀତିକରଣ ଯୋଗୁଁ ମାମଲା ସଂଖ୍ୟା ବଢୁଛି । (ତଥ୍ୟ)