ଭୁବନେଶ୍ୱର : କେନ୍ଦ୍ର ସରକାର ସାରା ଦେଶରେ ନୂଆକରି ଲାଗୁ କରିଥିବା ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍)କୁ ଓଡିଶାରେ ଠିକଣା ଭାବେ ଅନୁପାଳନ କରାଯାଉଥିବା ଏବଂ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହା ଉପରେ ପ୍ରତ୍ୟକ୍ଷ ନଜର ରଖିଥିବାରୁ ରାଜ୍ୟରେ ଅପରାଧିକ ମାମଲାର ତ୍ୱରିତ ଫଏସଲା ସହ ଦଣ୍ଡବିଧାନ ହାର ବଢୁଛି ।
ମିଳିଥିବା ସୂଚନା ମୁତାବକ କେବଳ ଗତ ଜୁନ୍ ମାସରେ ଓଡିଶାରେ ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ସର୍ବକାଳୀନ ରେକର୍ଡ ୬୨ ପ୍ରତିଶତ ହୋଇଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୨୪ ଜୁଲାଇ ପହିଲାରୁ ଆମ ଦେଶରେ ବିଏନଏସ୍ ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସ୍ଏ) ଲାଗୁ ହୋଇଛି ।
ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ ମାମଲା ରୁଜୁ ହେବାର ୧୦୦ ଦିନ ମଧ୍ୟରେ ୨୬ଟି ମାମଲାର ବିଚାର ହୋଇଛି । ସେହିଭଳି ୧୦୧ ରୁ ୨୦୦ ଦିନ ମଧ୍ୟରେ ୫୫ଟି, ୨୦୧ ରୁ ୩୦୦ ଦିନ ମଧ୍ୟରେ ୨୬ଟି ଏବଂ ୩୦୧ ରୁ ୪୦୦ ଦିନ ମଧ୍ୟରେ ୬ଟି ମାମଲାରେ ଦଣ୍ଡବିଧାନ ହୋଇଛି । ମୋଟାମୋଟି ଭାବେ ୨୦୦ ଦିନ ମଧ୍ୟରେ ୮୧ଟି ମାମଲାରେ ଦଣ୍ଡବିଧାନ ହୋଇଥିବା ଉଲ୍ଲେଖଯୋଗ୍ୟ ।
ଏବେ ପ୍ରାୟ ପ୍ରତିଦିନ ମହିଳା ଓ ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧରେ ଦଣ୍ଡବିଧାନ ହେଉଥିବା ସମ୍ବାଦ ଗଣମାଧ୍ୟମରେ ପ୍ରକାଶ ପାଉଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୨୩ରେ ପ୍ରକାଶିତ ଭାରତ ସରକାରଙ୍କ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ର କ୍ରାଇମ୍ ଇନ୍ ଇଣ୍ଡିଆ ରିପୋର୍ଟରେ ୨୦୨୨ ବର୍ଷରେ ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ଦଣ୍ଡବିଧାନ ହାର ୧୦ ପ୍ରତିଶତରୁ କମ୍ ଥିବାବେଳେ ବର୍ଷରେ ଫଏସଲା ହାର ୫ ପ୍ରତିଶତରୁ କମ୍ ରେକର୍ଡ କରାଯାଇଥିଲା । ବିଏନଏସ୍ ଓ ବିଏସ୍ଏ ଲାଗୁହେବା ପରେ ଏ କ୍ଷେତ୍ରରେ ଉଲ୍ଲେଖନୀୟ ଯେ ଅଗ୍ରଗତି ଘଟିଛି ।
ନୂଆ ଆଇନ୍ର କାର୍ଯ୍ୟକାରିତା ଘେନି ଗୃହମନ୍ତ୍ରୀ ଅମିତ୍ ଶାହା ବାରମ୍ବାର ସମୀକ୍ଷା ବୈଠକମାନ କରୁଛନ୍ତି ଏବଂ ରାଜ୍ୟ ସରକାରମାନେ ନୂଆ ଆଇନ୍ର ଫାଇଦା ନେଇ ଅପରାଧ ନିୟନ୍ତ୍ରଣ ଲାଗି ଅପରାଧିକ ମାମଲାଗୁଡିକର ତ୍ୱରିତ ଫଏସଲା ଓ ଦଣ୍ଡବିଧାନ ହାର ବୃଦ୍ଧି ଉପରେ ଗୁରୁତ୍ୱଦେଇ ଆସୁଛନ୍ତି ।
ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ହାତରେ ଓଡିଶାର ଗୃହ ବିଭାଗ ରହିଛି । ସେ ମଧ୍ୟ ପ୍ରତି ମାସରେ ରାଜ୍ୟର ଆଇନ୍ଶୃଙ୍ଖଳା ସ୍ଥିତି ସହିତ ଅପରାଧିକ ମାମଲାଗୁଡିକର ପରିଚାଳନା ଏବଂ ନୂଆ ଆଇନ୍ର ଶତ ପ୍ରତିଶତ କାର୍ଯ୍ୟକାରିତା ସଂକ୍ରାନ୍ତରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ପୁଲିସ୍ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ମଧ୍ୟ ଏ ସଂକ୍ରାନ୍ତରେ ପ୍ରତି ସପ୍ତାହରେ ସମୀକ୍ଷା କରୁଛନ୍ତି ।
ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୁଲିସ୍ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ବିଶେଷକରି ମହିଳା ଓ ଶିଶୁମାନଙ୍କ ପ୍ରତି ଅପରାଧ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଆଚରଣ କରିବା ସଂଗେ ସଂଗେ କିଭଳି ସେମାନଙ୍କୁ ତ୍ୱରିତ ନ୍ୟାୟ ମିଳିବ ତାହା ଉପରେ ମୁଖ୍ୟମନ୍ତ୍ରୀ ବାରମ୍ବାର ସତର୍କ କରାଉଛନ୍ତି । ଏହାଛଡା ରାଜ୍ୟ ସରକାର ମଧ୍ୟ ପୁଲିସ୍ ବାହିନୀରେ ଖାଲି ପଡିଥିବା ସହସ୍ରାଧିକ ପଦ ପଦବୀ ପୂରଣ କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ଏବେ ପ୍ରାୟ ୨୨ଲକ୍ଷ ମାମଲା ବିଚାରାଧିନ ରହିଥିବାବେଳେ ସେଥି ମଧ୍ୟରୁ ୧୪ଲକ୍ଷରୁ ଅଧିକ ଅପରାଧିକ ମାମଲା । ଓଡିଶା ହାଇକୋର୍ଟରେ ପ୍ରାୟ ଦେଢ ଲକ୍ଷ ମାମଲା ଥିବାବେଳେ ସେଥିରୁ ପ୍ରାୟ ୧୧ହଜାର ଅଦାଲତ ଅବମାନନା ମାମଲା ରହିଛି । (ତଥ୍ୟ)