ଭୁବନେଶ୍ୱର : ୭୧ ବର୍ଷ ଭିତରେ ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିବା ବେଳେ ଏଯାବତ୍ ଏଥିରେ ଓଡ଼ିଶାର କୌଣସି ନାମ ସ୍ଥାନ ପାଇନାହିଁ । ଭାରତ ରତ୍ନ ସମ୍ମାନ ପାଇଁ ଓଡ଼ିଶାର ଦାବି ତାଲିକା ବେଶ୍ ଲମ୍ବା ହୋଇଥିଲେ ବି ୧୯୫୪ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ବ୍ୟକ୍ତିଙ୍କୁ ଜୀବିତ କିମ୍ବା ମରଣୋତ୍ତର ଅବସ୍ଥାରେ ଏହି ସମ୍ମାନ କାହିଁକି ପ୍ରଦାନ କରାଯାଉ ନାହିଁ ସେଥିଘେନି ଅସ୍ମିତାକୁ ନେଇ ଗର୍ବ କରୁଥିବା ଓଡ଼ିଆଙ୍କ ମଧ୍ୟରେ କ୍ଷୋଭ ରହିବା ସ୍ୱାଭାବିକ ।
ଏଠାରେ ଉଲ୍ଲେଖନୀୟ ଯେ ୧୯୫୪ ମସିହାରେ ଭାରତ ସରକାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାବେ ‘ଭାରତ ରତ୍ନ’ ଆରମ୍ଭ କରିଥିଲେ । ପ୍ରଥମ ବର୍ଷରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ, ସର୍ବପଲ୍ଳୀ ରାଧକ୍ରିଷ୍ଣନ୍ ଓ ସି.ଭି. ରମନ୍ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏହାପରେ ୫୦ ଦଶକରେ ଭଗବାନ ଦାସ, ଏମ୍. ବିଶ୍ୱେସରାୟ, ପଣ୍ଡିତ ଜବାହରଲାଲ ନେହରୁ, ଗୋବିନ୍ଦ ବଲ୍ଲଭ ପନ୍ଥ ଓ ବି.କେ. କାର୍ଭେଙ୍କୁ ଭାରତ ରତ୍ନ ମିଳିଥିଲା । ୬୦ ଦଶକରେ ବିଧାନଚନ୍ଦ୍ର ରାୟ, ପୁରୁଷୋତ୍ତମ ଦାସ ଟଣ୍ଡନ, ରାଜେନ୍ଦ୍ର ପ୍ରସାଦ, ଜାକିର ହୁସେନ୍, ଇ.ଭି. କାନେ, ଲାଲବାହାଦୂର ଶାସ୍ତ୍ରୀଙ୍କୁ ଭାରତ ରତ୍ନ ଦିଆଯାଇଥିବା ବେଳେ ୭୦ ଦଶକରେ ଇନ୍ଦିରା ଗାନ୍ଧି, ଭି.ଭି. ଗିରି, କେ. କାମରାଜ ଏହି ସମ୍ମାନ ଲାଭ କରିଥିଲେ । ଅବଶ୍ୟ ଏହି ତାଲିକାରେ ବ୍ରହ୍ମପୁରରେ ଜନ୍ମିତ ଭି.ଭି. ଗିରିଙ୍କୁ ଓଡ଼ିଶାର ବୋଲି ଦର୍ଶାଯାଇଛି ।
୮୦ ଦଶକରେ ମଦର ଟେରେସା, ବିନୋବା ଭାବେ, ଖାଁ ଅବଦୁଲ୍ଲ ଗଫର ଖାଁ, ଏମ.ଜି. ରାମଚନ୍ଦ୍ରନ୍ ଭାରତ ରତ୍ନ ପାଇଥିବାବେଳେ ୯୦ ଦଶକରେ ବି.ଆର. ଆମ୍ବେଦକର, ନେଲସନ୍ ମଣ୍ଡେଲା, ରାଜୀବ ଗାନ୍ଧି, ବଲ୍ଲଭ ଭାଇ ପଟେଲ, ମୋରାରଜି ଦେଶାଇ, ଅବଦୁଲ କାଲାମ ଆଜାଦ, ଜେ.ଆର.ଡି. ଟାଟା, ସତ୍ୟଜିତ ରାୟ, ଗୁଲଜାରିଲାଲ ନନ୍ଦା, ଅରୁଣା ଅସଫ ଅଲ୍ଲୀ, ଏ.ପି.ଜେ. ଅବଦୁଲ କାଲାମ, ଏମ.ଏସ୍. ଶୁଭଲକ୍ଷ୍ମୀ, ସି. ସୁବ୍ରମଣ୍ୟମ୍, ଜୟପ୍ରକାଶ ନାରାୟଣ, ଅମର୍ତ୍ତ୍ୟ ସେନ୍, ଗୋପୀନାଥ ବର୍ଦୋଳୀ ଓ ରବି ଶଙ୍କରଙ୍କ ନାମରେ ଭାରତ ରତ୍ନ ଦିଆଯାଇଥିଲା ।
୨୦୦୧ରୁ ୨୦୧୦ ମଧ୍ୟରେ ଲତା ମଙ୍ଗେସକର, ବିସ୍ମିଲା ଖାଁ ଓ ଭୀମସେନ ଯୋଶୀଙ୍କୁ ଏହି ସମ୍ମାନ ଦିଆଯାଇଥିôବା ବେଳେ ୨୦୦୧୧ରୁ ୨୦୧୯ ମଧ୍ୟରେ ସି.ଏନ୍.ଆର. ରାଓ, ସଚିନ ତେନ୍ଦୁଲକର, ଅଟଳ ବିହାରୀ ବାଜପେୟୀ, ମଦନ ମୋହନ ମାଲବ୍ୟ, ପ୍ରଣବ ମୁଖାର୍ଜୀ, ଭୁପେନ ହଜାରିକା, ନାନାଜି ଦେଶମୁଖଙ୍କୁ ମିଳିଥିଲା ଭାରତ ରତ୍ନ । ୨୦୨୪ରେ କର୍ପୁରୀ ଠାକୁର, ଲାଲକୃଷ୍ଣ ଆଡଭାନୀ, ପି.ଭି. ନରସିଂହରାଓ ଓ ଚରଣ ସିଂହଙ୍କ ନାମରେ ଭାରତ ରତ୍ନ ଦିଆଯାଇଥିଲା ।
ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ମାଧୋ ସିଂ, ନିର୍ମଳ ମୁଣ୍ଡା, ବ୍ୟାସକବି ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡତ ଗୋପବନ୍ଧୁ ଦାସ, ମା’ରମାଦେବୀ, ସରଳା ଦେବୀ, ବିଜୁ ପଟ୍ଟନାୟକ, ପ୍ରାଣକୃଷ୍ଣ ପରିଜା, ଚନ୍ଦ୍ରଶେଖର ବେହେରା, ଲକ୍ଷ୍ମଣ ନାଏକ, ବାଜି ରାଉତ, ଦିବାକର ମହାନ୍ତି, ରଘୁନାଥ ପରିଡ଼ା, ବାଞ୍ଛାନିଧି ମହାନ୍ତି, ଗୋପୀନାଥ ମହାନ୍ତି, ବୀରକିଶୋର ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଡା. ଏକ୍ରାମ ରସୁଲ୍ ଆଦି ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପାଇଁ ବିଭିନ୍ନ ସମୟରେ ଓଡ଼ିଶାରୁ ଦାବି ହୋଇ ଆସୁଛି ।
ତେବେ ଏଯାବତ୍ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ରାଜ୍ୟର କୌଣସି ବ୍ୟକ୍ତିଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ ଲାଗି କେନ୍ଦ୍ରକୁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦିଆଯାଇ ନାହିଁ । ସ୍ୱାଧୀନତା ସଂଗ୍ରାମ, ବିଜ୍ଞାନ, ସାହିତ୍ୟ, ସଂଗୀତ, ନୃତ୍ୟ, କଳା, ସଂସ୍କୃତି, ରାଜନୀତି, ସମାଜସେବା ଆଦି କ୍ଷେତ୍ରରେ ବିଭିନ୍ନ ରାଜ୍ୟର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଜୀବିତ ଅବସ୍ଥାରେ ଓ ମରଣୋତ୍ତର ଭାବେ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ଏସବୁ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କୌଣସି ଓଡ଼ିଆଙ୍କୁ କିନ୍ତୁ ଏଯାବତ୍ ଭାରତ ରତ୍ନ ମିଳୁନାହିଁ । (ତଥ୍ୟ)