ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା “ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା”ର ସଫଳ କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି । ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଉପସ୍ଥିତିରେ ବିଶଦ୍ ଆଲୋଚନା କରାଯାଇଥିଲା । ଏହି ଯୋଜନାରୁ ଗୋପାଳନ କରୁଥିବା ଚାଷୀ ଏବଂ କୃଷି ଉଦ୍ୟୋଗୀମାନେ କିପରି ଅଧିକ ଲାଭବାନ ହୋଇପାରିବେ, ଚାଷୀମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି ।
ରାଜ୍ୟରେ ଗୋପାଳନ କ୍ଷେତ୍ରକୁ ଅଗ୍ରାଧିକାର ଦେବା ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ୫ ବର୍ଷ ପାଇଁ ୧୪୨୩.୪୭ କୋଟି ଟଙ୍କା ବ୍ୟୟ ଆକଳନ ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ଗତ ବର୍ଷ ସେପ୍ଟେମ୍ବର ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭାରମ୍ଭ କରିଥିଲେ । ଗତ ୨୦୨୪ ଡିସେମ୍ବର ୪ ତାରିଖରେ ଏହି ଯୋଜନା ଅନ୍ତର୍ଗତ ଉପ-ଯୋଜନାଗୁଡିକର କାର୍ଯ୍ୟକାରିତା ଆରମ୍ଭ କରାଯାଇଥିଲା । ଏହି ଯୋଜନାରେ ଦୈନିକ ଦୁଗ୍ଧ ଉତ୍ପାଦନ ୬୫ ଲକ୍ଷ ଲିଟରରୁ ୫ ବର୍ଷ ମଧ୍ୟରେ ଦୈନିକ ୧୩୦ ଲକ୍ଷ ଲିଟର ଉତ୍ପାଦନ ଲକ୍ଷ୍ୟ ରହିଛି ।
ଅଧିକ ଦୁଗ୍ଧ ଉତ୍ପାଦନକ୍ଷମ ଗୋ ବଂଶକୁ କୃଷକମାନଙ୍କ ଦ୍ୱାରା ଆଦୃତ କରାଇବା, ଗାଈ, ମଇଁଷିମାନଙ୍କୁ ସନ୍ତୁଳିତ ଖାଦ୍ୟ, କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ଗୋପାଳନ କରୁଥିବା ସଂସ୍ଥାମାନଙ୍କୁ ସୁଦୃଢ଼ କରାଯିବା, ପ୍ରାଣୀମାନଙ୍କ ପାଇଁ ବୀମା ଓ ପ୍ରୋତ୍ସାହନ ରାଶି ପ୍ରଦାନ କରି ଆର୍ଥିକ ନିରାପତ୍ତା ସୁବିଧା କରାଗଲେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବା ସହିତ କୃଷକ ମାନଙ୍କର ଆର୍ଥିକ ବିକାଶ ହୋଇପାରିବ । ଏହି ଯୋଜନାରେ ୩ଟି ଉପଯୋଜନା ରହିଛି । ଗୋ-ପାଳନ ଯୋଜନା, ମଇଁଷି ଉଦ୍ୟୋଗୀକରଣ ଉନ୍ନୟନ ଯୋଜନା ଏବଂ ବ୍ୟବସାୟିକ ଗୋପାଳନ(ଡାଏରି) ଫାର୍ମିଂ ନିମନ୍ତେ ଅତିରିକ୍ତ ସବ୍ସିଡି ବ୍ୟବସ୍ଥା । ଏହି ଯୋଜନାରେ ବାହାର ରାଜ୍ୟରୁ ଗାଈ ଏବଂ ମଇଁଷି ଅଣାଯାଉଥିବା କ୍ଷେତ୍ରରେ ଯୋଗ୍ୟ ବିବେଚିତଙ୍କ ପାଇଁ ସବସିଡି ବ୍ୟବସ୍ଥା ରହିଛି ।
ସମୀକ୍ଷାରୁ ଜଣାଯାଇଛି ଯେ, କାମଧେନୁ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଗୋପାଳନ ଉପ- ଯୋଜନାରେ ୨,୫୦୦ ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ୩୫,୪୯୪ ଆବେଦନ ହୋଇଥିଲା ଏବଂ ୨୮୯୨ ମଂଜୁର କରାଯାଇଥିବା ସ୍ଥଳେ ସେଥିରୁ ୧୭୨୭ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିଲା । ଏ ବାବଦକୁ ୨୪.୫ କୋଟି ଟଙ୍କା ସବ୍ସିଡି ପ୍ରଦାନ କରାଯାଇଥିଲା । ସେହିପରି ୨୦୨୫-୨୬ ବର୍ଷରେ ୧୦,୦୦୦ ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ୨୩,୯୨୯ ଆବେଦନ ହୋଇଛି ଓ ସେଥିରୁ ଅଦ୍ୟାବଧି ୫,୩୮୫ ମଂଜୁର ହୋଇ ୫୯୬ ସଂପୂର୍ଣ୍ଣ ପୂର୍ବକ ୮.୩୬ କୋଟି ଟଙ୍କା ସବ୍ସିଡି ପ୍ରଦାନ କରାଯାଇଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛି ।
କାମଧେନୁ ଯୋଜନାରେ ଅଦ୍ୟାବଧି ୪,୫୩୨ ଗାଈ ପ୍ରଦାନ କରାଯାଇଛି, ଯଦ୍ୱାରା ଓଡ଼ିଶାରେ ଦୈନିକ ଦୁଗ୍ଧ ଉତ୍ପାଦନରେ ଅଧିକ ୪୫,୦୦୦ ଲିଟର ଦୁଗ୍ଧ ଉତ୍ପାଦନ ଯୋଗ ହୋଇପାରିଛି । ସେହିପରି ୨୦୨୪-୨୫ ବର୍ଷରେ ମଇଁଷି ଔଦ୍ୟୋଗିକ ବିକାଶ ଯୋଜନାରେ ୫୬୮ ଟି ପ୍ରକଳ୍ପ ଶେଷ ହୋଇ ଥିବା ବେଳେ ୮.୧୫ କୋଟି ସବ୍ସିଡି ପ୍ରଦାନ କରାଯାଇଛି ଏବଂ ୨୦୨୫-୨୬ ବର୍ଷରେ ଅଦ୍ୟାବଧି ୭୫ ପ୍ରକଳ୍ପ ମଂଜୁର ହୋଇ ୧.୦୨ କୋଟି ଟଙ୍କା ସବ୍ସିଡି ପ୍ରଦାନ କରାଯାଇଛି । ଏହି ଯୋଜନାରେ ୧୨୬୦ ମଇଁଷି ଦିଆଯାଇଛି ଏବଂ ସେମାନେ ଦୈନିକ ୧୦,୦୮୦ ଲିଟର ଦୁଗ୍ଧ ଉତ୍ପାଦନ ଯୋଗଦାନ ଫଳରେ ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଛି ।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କମର୍ସିଆଲ ଡାଏରୀ ଫାର୍ମିଂ ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିରେ ୨୦୨୪-୨୫ ବର୍ଷରେ ୭୧୬ ଆବେଦନ ଗ୍ରହଣ କରାଇବାବେଳେ ୬୨୬ ଆବେଦନକୁ ମଂଜୁର ମିଳିଛି ଏବଂ ୫,୦୦୮ ପ୍ରାଣୀ ପାଳନ କରାଯିବ । ୨୦୨୫-୨୬ ରେ ଆବେଦନ କରିଥିବା ୨୭୨ରୁ ୧୪୪ ଆବେଦନ ମଂଜୁର ହୋଇ ୧୧୫୨ ପ୍ରାଣୀ ପାଳନକୁ ମଂଜୁର ମିଳିଛି । ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି । ପ୍ରାଣୀମାନଙ୍କୁ କିପରି ସନ୍ତୁଳିତ ପୋଷଣ ମିଳିପାରିବ, ସେଥି ପାଇଁ ଗୋଖାଦ୍ୟ-ଉଦ୍ୟୋଗ ସ୍କିମ୍ କାର୍ଯ୍ୟକାରୀ ହୋଇଛି । ୮୫ ପ୍ରତିଶତ ହିତାଧିକାରୀ ଗୋ-ଖାଦ୍ୟ ପାଇଁ ଘାସ ଚାଷ କରି ନିଜ ନିଜର ଗୋ-ପାଳନ ପାଇଁ ବ୍ୟବହାର କରୁଛନ୍ତି । ଏଥିରେ ବ୍ୟକ୍ତିଗତ ବା ଗ୍ରୁପ ପିଛା ଏକର ପ୍ରତି ୩୫,୦୦୦ ସବସିଡି ରହିଛି । ଏଥିରେ ଦେୟ ମୁକ୍ତ ମିନି କିଟ୍ ( ମକା ଓ ବରଗୁଡ଼ି ମଞ୍ଜି ) ବଣ୍ଟନ କରାଯାଉଛି । ମାଈ ବାଛୁରୀ ପାଳନ ଯୋଜନାରେ ୫୦% ସବସିଡି ଗୋଖାଦ୍ୟ ପାଇଁ ଏବଂ ୧୦୦% ବୀମା ସବସିଡି ବ୍ୟବସ୍ଥା ରହିଛି । ଏହି ସ୍କିମରେ ୨୦୨୪-୨୫ ରେ ୬୨୩ ଘାସ ଚାଷ ଉତ୍ପାଦନ ଆରମ୍ଭ ହୋଇଥିବା ବେଳେ ୨୦୨୫-୨୬ ରେ ଅଦ୍ୟାବଧି ୧୮୫ ଘାସ ଉତ୍ପାଦନ ପ୍ରକଳ୍ପ ଆରମ୍ଭ ହୋଇଛି ।
ଯୋଜନାର କାର୍ଯ୍ୟକାରୀ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଏହି ଯୋଜନାରୁ ଚାଷୀମାନେ ଯେପରି ଲାଭ ଉଠାଇ ଅଧିକରୁ ଅଧିକ ଉପକୃତ ହୋଇପାରିବେ ଏବଂ ସେମାନଙ୍କର ଆର୍ଥିକ ସଶକ୍ତିକରଣ ହୋଇ ପାରିବ, ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି ) ର ବିଶେଷଜ୍ଞଙ୍କ ଦ୍ୱାରା ଯୋଜନା କାର୍ଯ୍ୟକାରିତାର ମୂଲ୍ୟାୟନ ଓ ସେମାନଙ୍କ ଠାରୁ ଆବଶ୍ୟକ ପରାମର୍ଶ ଦେବା ସଂପର୍କରେ ସେ ଗୁରୁତ୍ୱ ଦେଇଥିଲେ ।