ଭୁବନେଶ୍ୱର : ଓଡିଶାର ୧୨,୧୪୦ଟି ଅଙ୍ଗନବାଡି କେନ୍ଦ୍ରକୁ ସକ୍ଷମ କେନ୍ଦ୍ରକୁ ଉନ୍ନୀତ ପାଇଁ ନିଷ୍ପତ୍ତି ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୨୭୭ଟି କେନ୍ଦ୍ରର ଉନ୍ନତି ସମ୍ଭବ ହୋଇଛି । ଏଥିପାଇଁ ୨୯ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଅଙ୍ଗନବାଡି କେନ୍ଦ୍ର ସଂକ୍ରାନ୍ତରେ ଆସିଥିବା ଏକ ପ୍ରଶ୍ନର ଉତ୍ତରରେ ଦେଇଥିବା ସୂଚନାରୁ ଏହା ଜଣାପଡିଛି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ସମଗ୍ର ଦେଶରେ ୧୨,୭୬,୪୦୧ ଟି ଅଙ୍ଗନବାଡି କେନ୍ଦ୍ରରେ ପାନୀୟଜଳ ସୁବିଧା ଥିବାବେଳେ ୮,୪୪,୭୧୪ଟି କେନ୍ଦ୍ରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ହୋଇଛି । ୧୦,୬୯,୬୧୦ଟି ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ ସୁବିଧା ଥିବାବେଳେ ୯,୪୧,୮୧୩ଟି କେନ୍ଦ୍ରରେ ରୋଷେଇଘର ଏବଂ ୯,୦୯,୯୬୯ଟି ଅଙ୍ଗନବାଡି କେନ୍ଦ୍ରରେ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ରହିଛି ।
୨୦ ପ୍ରତିଶତରୁ କମ୍ ଦିନ ଖୋଲୁଥିବା ଅଙ୍ଗନବାଡି କେନ୍ଦ୍ର ତାଲିକାରେ ଓଡିଶାର ମାତ୍ର ୭ଟି କେନ୍ଦ୍ର ରହିଛି । ତେବେ ୮୦ ପ୍ରତିଶତରୁ ଅଧିକ ଦିନ ଖୋଲୁଥିବା କେନ୍ଦ୍ର ତାଲିମାରେ ୭୩,୫୨୬ଟି କେନ୍ଦ୍ର ରହିଥିବା ଜଣାଯାଇଛି । ସେହଭଳି କେନ୍ଦ୍ର ସରକାର ଅଙ୍ଗନବାଡି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନିତ କରିବାପାଇଁ ଅର୍ଥ ଯୋଗାଇ ଦେଉଛନ୍ତି । ଓଡିଶାର ୧୨,୧୪୦ଟି ଅଙ୍ଗନବାଡି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡି କେନ୍ଦ୍ରରେ ପରିଣତ ପାଇଁ ୭୨କୋଟି ୮୪ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ପ୍ରାୟ ୨୯କୋଟି ୨୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଇତି ମଧ୍ୟରେ ୨୨୭୭ଟି ଅଙ୍ଗନବାଡି କେନ୍ଦ୍ର ସକ୍ଷମ ଅଙ୍ଗନବାଡି କେନ୍ଦ୍ରକୁ ରୂପାନ୍ତରିତ ହୋଇସାରିଛି ।
କେନ୍ଦ୍ରୀୟ ପ୍ରବର୍ତ୍ତିତ ସକ୍ଷମ ଅଙ୍ଗନବାଡି କେନ୍ଦ୍ର ଏବଂ ପୋଷଣ ୨.୦ ରେ ଜନ୍ମରୁ ୬ବର୍ଷ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥାଏ । ପିଲାମାନଙ୍କର ଶୈଶବର ବିକାଶ ସହିତ ସେମାନଙ୍କ ଠାରେ ଯେଭଳି ପୁଷ୍ଟିହୀନତା ପରଲକ୍ଷିତ ନହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଥାଏ । ଏହି ଯୋଜନାରେ ଅଙ୍ଗନବାଡି ବ୍ୟବସ୍ଥାକୁ ଅଧିକ ମଜବୁତ କରାଯାଇଥାଏ । ଅଙ୍ଗନବାଡି କେନ୍ଦ୍ର ଜରିଆରେ ପୁଷ୍ଟିକର ଖାଦ୍ୟ ଯୋଗାଣ ସହିତ ଛୋଟ ଛୋଟ ପିଲାମାନଙ୍କୁ ଏଠାରେ ପାଠ ପଢାଯାଇଥାଏ । ଶିଶୁମାନଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିବାକୁ ସକ୍ଷମ ଅଙ୍ଗନବାଡି କେନ୍ଦ୍ରରେ ସେମାନଙ୍କୁ ଟୀକା ପ୍ରଦାନ କରାଯାଇଥାଏ । ଏହାଛଡା ନିୟମିତ ବ୍ୟବଧାନରେ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଆଦି ଯୋଗାଯାଉଛି । (ତଥ୍ୟ)