ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି ।
ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏମ.ଏସ.ଏମ.ଇ କ୍ଷେତ୍ର ହେଉଛି ବ୍ୟାପକ ନିଯୁକ୍ତି ଓ ସମ୍ଭାବନାର କ୍ଷେତ୍ର । ସରକାରୀ ସ୍ତରରେ ଏମ.ଏସ.ଏମ.ଇ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସୁବିଧାସୁଯୋଗ ପ୍ରଦାନ କରାଯାଉଛି। ଯୁବଗୋଷ୍ଠୀଙ୍କୁ ଅଧିକରୁ ଅଧିକ ଏ କ୍ଷେତ୍ରକୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥିପାଇଁ ସବୁ ଜିଲ୍ଲାରେ ଏମ.ଏସ.ଏମ.ଇ ପାର୍କ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଖୁବ ସଫଳ ହେଉଛି। ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇସାରିଲେଣି। ଏଥିରେ ଅନେକ କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗୀ ଅଛନ୍ତି । ସେମାନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରାଗଲେ, ସେମାନେ ଆଗକୁ ବଢିପାରିବେ ଏବଂ ଉଦ୍ୟୋଗ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ସଫଳତା ହାସଲ କରିପାରିବେ। ତେଣୁ ସେମାନଙ୍କୁ ଏମ.ଏସ.ଏମ.ଇ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଓଡିଶାର ଏମ.ଏସ.ଏମ.ଇ କ୍ଷେତ୍ରର ଉତ୍ପାଦିତ ସାମଗ୍ରୀକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ସ୍କୁଲ, କଲେଜ ମାନଙ୍କରେ ବ୍ୟବହାର କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲ କଲେଜର ଆସବାବପତ୍ର, ପୋଷାକ ଇତ୍ୟାଦିକୁ ଓଡିଶା ଏମ.ଏସ.ଏମ.ଇ ମାନଙ୍କରୁ କିଣିବା ପାଇଁ ଆଲୋଚନା ହୋଇଥିଲା । ଏହା ଫଳରେ ଏମ.ଏସ.ଏମ.ଇ କ୍ଷେତ୍ରର ଏହି ଉଦ୍ୟୋଗ ଗୁଡିକୁ ଉପଯୁକ୍ତ ପ୍ରୋତ୍ସାହନ ମିଳିପାରିବ ।
ଏମ.ଏସ.ଏମ.ଇ କ୍ଷେତ୍ରରେ ଅଧିକ ରପ୍ତାନୀ ଓ ଆମଦାନୀ ସୁବିଧା ପାଇଁ ଉଭୟ ସମୁଦ୍ରପଥ ଓ ଆକାଶପଥରେ କାର୍ଗୋ ସୁବିଧା ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ ।
ଏମ.ଏସ.ଏମ.ଇ କ୍ଷେତ୍ରକୁ ବ୍ୟାଙ୍କ ଗୁଡିକ ପକ୍ଷରୁ ଯେପରି ଅଧିକ ଋଣ ମିଳିବ ଏବଂ ଋଣ ପ୍ରଦାନ ପ୍ରକ୍ରିୟା ଯେପରି ସରଳ ଓ ସୁବିଧାଜନକ ହେବ, ସେଥିପାଇଁ ବିଭାଗ ଦୃଷ୍ଟି ଦେବାକୁ ଏବଂ ଏ ସଂପର୍କରେ ନିରନ୍ତର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ପିଏମ୍ ବିଶ୍ବକର୍ମା ଯୋଜନାରେ ଅଧିକ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା, କ୍ଲଷ୍ଟର ବେସ୍ଡ ପ୍ରୋଜେକ୍ଟ ଗୁଡିକୁ ଅଧିକ ପ୍ରୋତ୍ସାହନ ଦେବା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।
ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କ ଉଦ୍ୟମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ୧୧ ଲକ୍ଷରୁ ଉର୍ଦ୍ଧ୍ବ ଏମ.ଏସ.ଏମ.ଇ ରାଜ୍ୟରେ କାର୍ଯ୍ୟକ୍ଷମ ଅଛନ୍ତି ଏବଂ ଏହା ମାଧ୍ୟମରେ ୮୭ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିଛି ।
ବୈଠକରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର, ଏମ.ଏସ.ଏମ.ଇ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଡି. ପ୍ରଶାନ୍ତ କୁମାର ରେଡୀ ଏବଂ ନିର୍ଦ୍ଦେଶକ ଶ୍ରମତୀ ଆବୋଲି ସୁନିଲ ନରୱାନେ ପ୍ରମୁଖ ଉପସ୍ଥିତ ଥିଲେ ।