Home General ଓଡିଶାକୁ ୭୦୦ ଶୌଚାଳୟ ମଞ୍ଜୁର

ଓଡିଶାକୁ ୭୦୦ ଶୌଚାଳୟ ମଞ୍ଜୁର

ଭୁବନେଶ୍ୱର : ସମଗ୍ର ଶିକ୍ଷା ଯୋଜନାରେ କେନ୍ଦ୍ର ସରକାର ଓଡିଶାର ବିଦ୍ୟାଳୟଗୁଡିକ ପାଇଁ ୭୦୦ଟି ଶୌଚାଳୟ ମଞ୍ଜୁର କରିଛନ୍ତି । ଏଥି ମଧ୍ୟରେ ସର୍ବାଧିକ ୫୧୦ଟି ଶୌଚାଳୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ।

୨୦୧୪ ମସିହାରେ ଦେଶରେ ସ୍ୱଚ୍ଛ ଭାରତ ମିଶନ (ଗ୍ରାମିଣ) କାର୍ଯ୍ୟକାରୀ ପରେ ଏହି ଯୋଜନାରେ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ପିଲାମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯାଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମିଳିତ ଭାବେ ଏଥିପାଇଁ ଅର୍ଥ ଯୋଗାଇ ଦିଆଯାଇଥିଲା ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନରେ ଥିବା ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସୂଚନା ଅନୁଯାୟୀ ଯେହେତୁ ଶିକ୍ଷା ସଂଘୀୟ ବ୍ୟବସ୍ଥାରେ ରହିଛି ଏବଂ ସଂଖ୍ୟାଧିକ ବିଦ୍ୟାଳୟ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ଅଧିନରେ ରହିଛି ତେଣୁ ବିଦ୍ୟାଳୟଗୁଡିକୁ ଶୌଚାଳୟ ଯୋଗାଇଦେବା ସେମାନଙ୍କର ଦାୟିତ୍ୱ । ତେବେ ଛାତ୍ର, ଛାତ୍ରୀ ଓ ସ୍ୱତନ୍ତ୍ର ଛାତ୍ରଛାତ୍ରୀଙ୍କ ପାଇଁ ଅନୁରୋଧକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଶିକ୍ଷା ଯୋଜନାରେ ଶୌଚାଳୟ ମଞ୍ଜୁର କରିଛନ୍ତି ।

ଏହି ସୂଚନା ଅନୁଯାୟୀ କେନ୍ଦ୍ର ସରକାର ମୋଟ୍‍ ୧୫,୪୩୭ଟି ଶୌଚାଳୟ ମଞ୍ଜୁରୀ କରିଥିବାବେଳେ ଏଥିପାଇଁ ୪୧ କୋଟି ୭୯ଲକ୍ଷ ଟଙ୍କା ବ୍ୟୟ ହେବ । ଏହି ଶୌଚାଳୟ ମଧ୍ୟରୁ ଓଡିଶାରେ ପୁଅମାନଙ୍କ ପାଇଁ ୧୪୯ଟି ଶୌଚାଳୟ ରହିଥିବାବେଳେ ଝିଅମାନଙ୍କ ପାଇଁ ୪୧ଟି ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ୫୧୦ଟି ଶୌଚାଳୟ ରହିଛି । ଶୌଚାଳୟ ମଞ୍ଜୁର ତାଲିକାରେ ବିହାର ସବୁଠାରୁ ଆଗରେ ରହିଥିବାବେଳେ ପଞ୍ଜାବ ଦ୍ୱିତୀୟ ସ୍ଥାନରେ ରହିଛି ।

ଉଲ୍ଲେଖନୀୟ ଯେ ଏବେ ବି ରାଜ୍ୟର କେତେକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ ସମସ୍ୟା ରହିଛି । ଯେଉଁଠାରେ ବି ଶୌଚାଳୟ ରହୁଛି ସେଠାରେ ଜଳ ଯୋଗାଣ ସମସ୍ୟା ପରିଲକ୍ଷିତ ହେଉଛି । ସହର ଠାରୁ ଗାଁ ଗହଳ ପର୍ଯ୍ୟନ୍ତ ଏହିସବୁ ଶୌଚାଳୟର ରକ୍ଷଣା ବେକ୍ଷଣ ଓ ମରାମତିକୁ ନେଇ ମଧ୍ୟ କେତେକ ସମୟରେ ଅଭିଭାବକ ଓ ଶିକ୍ଷକମାନେ ମୁହାଁମୁହିଁ ହେଉଛନ୍ତି । ସେହିଭଳି ପୂର୍ବରୁ ନିର୍ମାଣ ହୋଇଥିବା ଶୌଚାଳୟଗୁଡିକ ଉଭୟ ବାଳକ ଓ ବାଳିକାଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଥିବାବେଳେ ଏବେ କିନ୍ତୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଶୌଚାଳୟ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ।

ବିଦ୍ୟାଳୟଗୁଡିକରେ ସୁରକ୍ଷା କର୍ମୀ ନିଯୁକ୍ତ ହେଉନଥିବାରୁ କେତେକ ସ୍ଥାନରେ ଶୌଚାଳୟଗୁଡିକ ସ୍ଥାନୀୟ ଲୋକେ ଓ ଅସାମାଜିକ ବ୍ୟକ୍ତିମାନେ ବ୍ୟବହାର କରୁଛନ୍ତି । ଏଥିରେ ଲାଗିଥିବା ସାମଗ୍ରୀ ମଧ୍ୟ ଚୋରିହୋଇ ଯାଉଛି । ତେଣୁ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଶୌଚାଳୟଗୁଡିକର ରକ୍ଷଣା ବେକ୍ଷଣ ଓ ସୁରକ୍ଷା ପାଇଁ ଅଭିଭାବକମାନେ ମତ ଦେଉଛନ୍ତି । (ତଥ୍ୟ)