Home General ପୂର୍ବତନ ବାଚସ୍ପତିଙ୍କ ସ୍ମୃତି ରକ୍ଷା କରିବ କିଏ?

ପୂର୍ବତନ ବାଚସ୍ପତିଙ୍କ ସ୍ମୃତି ରକ୍ଷା କରିବ କିଏ?

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଓ ସମ୍ବିଧାନ ପ୍ରଣୟନ ସଭାର ଅନ୍ୟତମ ସଦସ୍ୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରବୀଣ ଶିକ୍ଷାବିତ୍‍, ସୁସାହିତ୍ୟିକ ନନ୍ଦକିଶୋର ଦାସଙ୍କର ସ୍ମୃତି ରକ୍ଷା ପାଇଁ ରାଜ୍ୟ ସରକାର କିମ୍ବା ବିଧାନସଭା ପକ୍ଷରୁ ଏଯାବତ୍‍ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏ ପରିପ୍ରେକ୍ଷୀରେ ବହୁ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିବା ସହିତ ବିଧାନସଭାର ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

୧୮୯୩ ମସିହାରେ ବାଲେଶ୍ୱର ଜିଲ୍ଲାର ସୋରରେ ଜନ୍ମିତ ନନ୍ଦକିଶୋର ଦାସ ସେ ସମୟରେ ମାଟ୍ରିକ୍‍ ପରୀକ୍ଷାରେ ପାଟନା ବିଶ୍ୱବିଦ୍ୟାଳୟରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିଥିଲେ । ରେଭେନ୍ସା କଲେଜ୍‍ରୁ କୃତିତ୍ୱର ସହ ଗ୍ରାଜୁଏସନ୍‍ ସାରିବା ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ପ୍ରଥମ ଶ୍ରେଣୀରେ ଏମ୍‍ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୨୦ ମସିହାରେ ଅନୁଷ୍ଠିତ କଲିକତା କଂଗ୍ରେସ ଅଧିବେଶନ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା ।

ସେ ଉଚ୍ଚ ଚାକିରିର ଲୋଭ ଛାଡ଼ି ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିବା ସହିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ସ୍ୱାଧୀନତା ଆନ୍ଦୋଳନ, ‘ସମାଜ’ ସଂପାଦନା, ପ୍ରାକୃତିକ ବିପତ୍ତି ସମୟରେ ତ୍ରାଣ କାର୍ଯ୍ୟ ଆଦିରେ ସହଯୋଗ କରୁଥିଲେ । କନିକା ପ୍ରଜା ଆନ୍ଦୋଳନରେ ମଧ୍ୟ ତାଙ୍କର ସକ୍ରିୟ ଭୂମିକା ରହିଥିଲା । ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ବାଣୀ ସତ୍ୟାଗ୍ରହ, ଭାରତ ଛାଡ଼ ଆନ୍ଦୋଳନ ଆଦିରେ ସକ୍ରିୟ ଅଂଶଗ୍ରହଣ କରି ବାରମ୍ବାର ସେ ହଜାରିବାଗ ଓ ବାଲେଶ୍ୱର ଜେଲ୍‍ରେ କାରାରୁଦ୍ଧ ହୋଇଥିଲେ ।

ବାଲେଶ୍ୱର ଜିଲ୍ଲା ବୋର୍ଡ, ବିହାର-ଓଡ଼ିଶା ବିଧାନ ପରିଷଦ ଆଦିରେ ତାଙ୍କର ପ୍ରତିନିଧିତ୍ୱ ରହିଥିଲା । ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ନନ୍ଦକିଶୋର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହେବା ସହିତ ୧୯୩୭ରୁ ୧୯୪୫ ପର୍ଯ୍ୟନ୍ତ ଉପ ବାଚସ୍ପତି ପଦବୀ ଅଳଙ୍କୃତ କରିଥିଲେ । ପରେ ସମ୍ବିଧାନ ପ୍ରଣୟନ ସଭାର ଜଣେ ସକ୍ରିୟ ସଦସ୍ୟ ଭାବେ ତାଙ୍କର ପ୍ରଶଂସନୀୟ ଭୂମିକା ଥିଲା । ସମ୍ବିଧାନ ଲାଗୁ ପରେ ହୋଇଥିବା ପ୍ରଥମ ନିର୍ବାଚନରେ ସୋର ଆସନରୁ ପୁଣି ବିଧାନସଭାକୁ ନିର୍ବାଚିତ ହୋଇ ସେ ୧୯୫୨ରୁ ୧୯୫୭ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଥିଲେ । ଏହାପରେ ୧୯୬୦ରୁ ୧୯୬୬ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ମଧ୍ୟ ରହିଥିଲେ ।

ଗାନ୍ଧୀଜୀଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ନନ୍ଦକିଶୋର ହରିଜନ ସେବକ ସଂଘ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଆଦିର କାର୍ଯ୍ୟକର୍ତ୍ତା ଥିଲେ । ଭୂଦାନ ଆନ୍ଦୋଳନରେ ନିଜ ପୈତୃକ ସଂପତ୍ତି ମଧ୍ୟ ଦାନ କରିଥିଲେ । ଭୂଦାନ ଯଜ୍ଞ ସମିତି ଓ ଖଦୀ ବୋର୍ଡ ସହିତ ମଧ୍ୟ ସେ ଜଡ଼ିତ ଥିଲେ । ବାଲେଶ୍ୱର ଜିଲ୍ଲାରେ ତାଙ୍କ ଉଦ୍ୟମରେ ବହୁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ହୋଇଛି । ଦୀର୍ଘ ରାଜନୈତିକ ଜୀବନ କାଳ ମଧ୍ୟରେ ସେ କିଛି ବି ସଂପତ୍ତି ଆହରଣ କରିନାହାନ୍ତି ବରଂ ଦେଇଦେଇ ନିଃଶ୍ୱ ହୋଇଯାଇଛନ୍ତି । ତାଙ୍କ ଜୀବନୀ ‘ମୋ ଜୀବନ ଜଞ୍ଜାଳ କାହାଣୀ’, ଉପନ୍ୟାସ ‘ପ୍ରତିଶୋଧ’ ଆଦି ବେଶ୍‍ ପାଠକୀୟ ଆଦୃତି ଲାଭ କରିଛି । ଏହାଛଡ଼ା ଗାନ୍ଧୀ ଶତବାର୍ଷିକୀ ପାଳନ କମିଟି ସହିତ ଜଡ଼ିତ ରହିବା ସଂଗେ ସଂଗେ ମୂଳ ଗାନ୍ଧୀ ସାହିତ୍ୟର ଓଡ଼ିଆ ଅନୁବାଦ କରି ୧୬ ଖଣ୍ଡରେ ଓଡ଼ିଆ ଗାନ୍ଧୀ ରଚନାବଳୀ ପ୍ରକାଶ କ୍ଷେତ୍ରରେ ତାଙ୍କର ମଧ୍ୟ ଅନବଦ୍ୟ ଅବଦାନ ରହିଥିଲା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଓଡ଼ିଆ ଭାଷା ସୁରକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କ ଉଦ୍ୟମ ପ୍ରଶଂସନୀୟ । ଏଭଳି ଜଣେ ବରପୁତ୍ରଙ୍କର ଜୟନ୍ତୀ କିମ୍ବା ପୂଣ୍ୟତିଥି ପାଳନ କରିବାକୁ ସରକାର ଭୁଲି ଯାଇଥିବାବେଳେ ରାଜଧାନୀ, ବାଲେଶ୍ୱର, ସୋର ସମେତ ଅନ୍ୟ କୌଣସି ସ୍ଥାନରେ ବି ସରକାର ସଂଗ୍ରାମୀ ନନ୍ଦକିଶୋରଙ୍କ ସ୍ମାରକୀ ସ୍ଥାପନ କରିନାହାନ୍ତି । ବିଳମ୍ବରେ ହେଲେ ମଧ୍ୟ ଏବେ ଏହି କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।(ତଥ୍ୟ)