ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ସମଗ୍ର ଦେଶରେ ୧୬ଲକ୍ଷରୁ ଅଧିକ ପରିବାର ନିଜ ଘରର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରି କେନ୍ଦ୍ରୀୟ ସହାୟତା ପାଇଥିବାବେଳେ ଓଡିଶାରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିଥିବା ପରିବାର ସଂଖ୍ୟା ପାଖାପାଖି ୧୧ ହଜାର ରହିଛି । ଏ କ୍ଷେତ୍ରରେ ଗୁଜୁରାଟ, ମହାରାଷ୍ଟ୍ର ଭଳି ରାଜ୍ୟ ଢେର ଆଗରେ ଥିବା ଜଣାଯାଇଛି ।
କେନ୍ଦ୍ର ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ମସିହାରେ ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ଯୋଜନାର ଶୁଭାରମ୍ଭ ହୋଇଥିଲା । ଏହାକୁ ଗ୍ରିଡ୍ ସହିତ ସଂଯୁକ୍ତ କରାଯାଇଥିଲା । ତେବେ ୨୦୨୨ ମସିହାରେ ଏହି ଯେଜାନାର ଅବଧିକୁ ୨୦୨୬ ମାର୍ଚ୍ଚମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୨୪ ମସିହାରେ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରିଥିବାବେଳେ ଗ୍ରିଡ୍ ସଂଯୋଗ ଥିବା ରୁଫ୍ ଟପ୍ ସୋଲାର ପ୍ରୋଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଏହା ସହିତ ସାମିଲ ହୋଇଥିଲା । ଏଥିରେ ୨୦୨୬-୨୭ ସୁଦ୍ଧା ଅତି କମ୍ରେ ଦେଶର ଏକ କୋଟି ପରିବାରର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି ।
ଦେଶରେ ଥିବା କୌଣସି ବିଦ୍ୟୁତ୍ ଉପଭୋକ୍ତା ସ୍ଥାନୀୟ ବିଦ୍ୟୁତ୍ ବିତରଣ ସଂସ୍ଥା ଜରିଆରେ ଏହି ପ୍ରକଳ୍ପ ସ୍ଥାପନ କରି କେନ୍ଦ୍ରୀୟ ଯୋଜନାର ଲାଭ ପାଇପାରିବେ ଏବଂ ଏଥିପାଇଁ ସେମାନଙ୍କୁ ଜାତୀୟ ପୋର୍ଟାଲ ଜରିଆରେ ଆବେଦନ କରିବାକୁ ପଡିବ । ଚଳିତ ବର୍ଷ ଅଗଷ୍ଟ ୫ତାରିଖ ସୁଦ୍ଧା ଦେଶର ୧୬ଲକ୍ଷ ୭୮ହଜାର ପରିବାର ଏହି ଯୋଜନାରେ ଲାଭାନ୍ୱିତ ହେବା ସହିତ ଉପଭୋକ୍ତାମାନେ ପ୍ରାୟ ୯୨୮୧ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ରାଶି ପାଇଛନ୍ତି ।
ଏହି କେନ୍ଦ୍ରୀୟ ଯୋଜନାରେ ଗୁଜୁରାଟରେ ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୫୫ ହଜାରରୁ ଅଧିକ ପରିବାର ନିଜ ଘରର ଛାତ ଉପରେ ସୌରଶକ୍ତି ପ୍ୟାନେଲ ବସାଇବା ସହିତ ସହାୟତା ରାଶି ବାବଦରେ ୨୯୮୦ କୋଟି ଟଙ୍କାରୁ ଅଧିକ ନେଇ ସାରିଲେଣି, ଯାହାକି ଦେଶରେ ସର୍ବାଧିକ । ଏହା ପଛକୁ ମହାରାଷ୍ଟ୍ରରେ ପ୍ରାୟ ୪ଲକ୍ଷ ପରିବାର ଏହି ଯୋଜନାରେ ନିଜକୁ ସାମିଲ କରିବା ସହିତ ୧୭୧୯ କୋଟି ଟଙ୍କାର ସହାୟତା ରାଶି ପାଇଥିବାବେଳେ ରାଜସ୍ଥାନରେ ଏହି ଯୋଜନାରେ ୬୭ ହଜାରରୁ ଅଧିକ ହିତାଧିକାରୀ ରହିଛନ୍ତି ।
ଓଡିଶାର ପଡୋଶୀ ଆନ୍ଧ୍ରପ୍ରଦେଶରେ ଏହି କେନ୍ଦ୍ରୀୟ ଯୋଜନାରେ ୪୩ହଜାର ହିତାଧିକାରୀ ସାମିଲ ହେବା ସହିତ କେନ୍ଦ୍ରୀୟ ସହାୟତା ବାବଦରେ ୨୫୮ କୋଟି ଟଙ୍କା ପାଇଥିବାବେଳେ କେରଳ, କର୍ଣ୍ଣାଟକ, ହରିଆନା, ତାମିଲନାଡୁ ଭଳି ରାଜ୍ୟ ଢେର ଆଗରେ ରହିଛନ୍ତି ।
କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକାର ପ୍ରଚେଷ୍ଟା ଓ ଆଶ୍ୱାସନା ସତ୍ୱେ ଓଡିଶାରେ ଯେଉଁ ହାରରେ ଏହି ଯୋଜନା ଆଗେଇବା କଥା ତାହା ହୋଇପାରୁ ନାହିଁ । ଯଦିଓ କେତେକ ଘରୋଇ ସଂସ୍ଥା ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି, କିନ୍ତୁ ସେମାନଙ୍କ ଉପରେ ଲୋକେ ଭରସା କରିପାରୁ ନାହାନ୍ତି । ଏଥି ସହିତ ପ୍ରକଳ୍ପ ସ୍ଥାପନ ପାଇଁ କେଉଁଠାରୁ କିଭଳି ଋଣ ମିଳିବ ଓ ଏହି ଋଣ କିଭଳି କେଉଁ ହାରରେ ପରିଶୋଧ ହେବ ଏବଂ ପ୍ରକଳ୍ପ ସ୍ଥାପନ କଲେ ଲୋକେ କିଭଳି ଲାଭାନ୍ୱିତ ହେବେ ତାହା ସହଜରେ ଜାଣିପାରୁ ନାହାନ୍ତି । ଏହା ଫଳରେ ମାଗଣାରେ ବିଦ୍ୟୁତ୍ ପାଇବାକୁ ଥିଲେ ମଧ୍ୟ ଗାଁ ଠାରୁ ସହର ପର୍ଯ୍ୟନ୍ତ ଏଥିପ୍ରତି ସେତେଟା ଆଗ୍ରହ ପ୍ରକାଶ ପାଉନାହିଁ । ବିଦ୍ୟୁତ୍ ବିତରଣ କମ୍ପାନୀମାନେ ଏହି ଯୋଜନାକୁ କାର୍ଯ୍ୟକାରୀ ପାଇଁ ସେଭଳି ଆଗ୍ରହ ପ୍ରକାଶ କରୁଥିବା ମଧ୍ୟ ଲକ୍ଷ୍ୟ କରାଯାଉ ନାହିଁ । (ତଥ୍ୟ)