Home Administration ମୁଖ୍ୟ ଶାସନ ସଚିବ ସମ୍ମିଳନୀ ପାଇଁ ଓଡିଶାରୁ ପ୍ରସ୍ତାବ

ମୁଖ୍ୟ ଶାସନ ସଚିବ ସମ୍ମିଳନୀ ପାଇଁ ଓଡିଶାରୁ ପ୍ରସ୍ତାବ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସରେ ହେବାକୁ ଯାଉଥିବା ପଞ୍ଚମ ଜାତୀୟ ମୁଖ୍ୟ ଶାସନ ସଚିବ ସ୍ତରୀୟ ସମ୍ମିଳନୀ ପାଇଁ ରାଜ୍ୟରେ ଏବେ କସରତ ଆରମ୍ଭ ହୋଇଛି । ଏହି ବୈଠକର ବିଷୟବସ୍ତୁ ‘ବିକଶିତ ଭାରତ ପାଇଁ ମାନବ ପୁଞ୍ଜିର ଉପଯୋଗ’ ରହିଥିବାବେଳେ ଏଥିପାଇଁ ବିଭାଗମାନେ ଖସଡା ପ୍ରସ୍ତୁତରେ ଲାଗି ପଡିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧିନରେ ଥିବା ଶିକ୍ଷା ମନ୍ତ୍ରଣାଳୟ ମୁଖ୍ୟ ଶାସନ ସଚିବ ସ୍ତରୀୟ ସମ୍ମିଳନୀକୁ ବିଶେଷ ଗୁରୁତ୍ୱ ଦିଆଯିବା ସହିତ ଏହାର ନେତୃତ୍ୱ ନେଉଛି । ବିକଶିତ ଭାରତ ଗଠନ ପାଇଁ ଅଭିନବ ଯୋଜନା ପ୍ରସ୍ତୁତ ଲାଗି ଓଡିଶା ସମେତ ଦେଶର ଅନ୍ୟ ରାଜ୍ୟଗୁଡିକୁ କୁହାଯାଇଛି । ଏହି ପ୍ରସ୍ତାବ ଚଳିତ ମାସ ଶେଷସୁଦ୍ଧା କେନ୍ଦ୍ର ସରକାରଙ୍କୁ ପ୍ରଦାନ ଲାଗି କୁହାଯାଇଥିବାରୁ ବିଭାଗମାନେ ବିଶେଷ ତତ୍ପରତା ପ୍ରକାଶ କରୁଛନ୍ତି ।

ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ଘୋଷଣା କରିବା ସହିତ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ଶିକ୍ଷା ମନ୍ତ୍ରଣାଳୟ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ରାଜ୍ୟ ସରକାର ମଧ୍ୟ ୨୦୩୬ ସୁଦ୍ଧା ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ ପାଇଁ ଲକ୍ଷ୍ୟଧାର୍ଯ୍ୟ କରି ଆଗକୁ ବଢୁଛନ୍ତିୀ । ତେଣୁ ଜାତୀୟ ମୁଖ୍ୟ ଶାସନ ସଚିବ ସ୍ତରୀୟ ସମ୍ମିଳନୀ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।

ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରସଙ୍ଗମାନ ଆଲୋଚନା ହେବା ସହିତ ବିକଶିତ ଭାରତ ଗଠନ ଲାଗି ମାନବ ପୁଞ୍ଜି ବିନିଯୋଗ ଜରିଆରେ କି କି ପ୍ରକାର କସଡା ପ୍ରସ୍ତୁତ କରାଯାଇପାରିବ ରାଜ୍ୟମାନଙ୍କ ପକ୍ଷରୁ କୁହାଯିବ । ବିଶେଷକରି କେଉଁସବୁ ଅଭିନବ ଯୋଜନା କାର୍ଯ୍ୟକାରୀ କଲେ କେନ୍ଦ୍ର ସରକାର ୨୦୪୭ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହା ପୂରଣ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟ ଶାସନ ସଚିବମାନେ ଏ ନେଇ ନିଜ ନିଜ ରାଜ୍ୟ ପକ୍ଷରୁ ଅଭିନବ ପ୍ରସ୍ତାବମାନ ଉପସ୍ଥାପନ କରିବେ ।

କେନ୍ଦ୍ର ସରକାର ଇତି ମଧ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ କୁ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ କରିବା ସହିତ ଶିକ୍ଷା କ୍ଷେତ୍ରରେ ବଡ ଧରଣର ସଂସ୍କାର ଆଣିଛନ୍ତି । ଏ ପରିପ୍ରେକ୍ଷୀରେ ଆଉ କେଉଁ କେଉଁ ଅଭିନବ ଯୋଜନା କାର୍ଯ୍ୟକାରୀ କରାଯିବ ସେ ନେଇ ଶିକ୍ଷା ବିଭାଗ ସମେତ ଅନ୍ୟ ବିଭାଗମାନେ ମଧ୍ୟ ସେମାନଙ୍କର ମତ ରଖିବେ । ଚଳିତ ମାସ ଶେଷ ସୁଦ୍ଧା କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ଥିବାରୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ସମେତେ ଅନ୍ୟ ବିଭାଗଗୁଡିକ ଏ ଦିଗେରେ ଲାଗି ପଡିଥିବାର ସୂଚନା ମିଳୁଛି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବାବେଳେ ଜାତୀୟ ମୁଖ୍ୟ ଶାସନ ସଚିବ ସ୍ତରୀୟ ସମ୍ମିଳନୀ ପାଇଁ ତାଙ୍କ ମନ୍ତ୍ରଣାଳୟ ମଧ୍ୟ ପ୍ରମୁଖ ଭୂମିକା ତୁଲାଉଛି । ତେଣୁ ଓଡିଶାରୁ କେଉଁ ସବୁ ଅଭିନବ ପ୍ରସ୍ତାବ କେନ୍ଦ୍ରକୁ ପଠାଯିବ ଓ କେନ୍ଦ୍ର ସରକାର ଏହାକୁ କିଭଳି ଗ୍ରହଣ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । (ତଥ୍ୟ)