Home Education ଦୁଇ ବର୍ଷରେ ୧୩୦୩ କୋଟି ଶିକ୍ଷାଋଣ

ଦୁଇ ବର୍ଷରେ ୧୩୦୩ କୋଟି ଶିକ୍ଷାଋଣ

ଭୁବନେଶ୍ୱର : ବିଗତ ଦୁଇଟି ଆର୍ଥିକ ବର୍ଷରେ ଓଡିଶାର ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ରାୟତ ବ୍ୟାଙ୍କ୍‍ମାନେ ୧୩୦୩ କୋଟି ଟଙ୍କାରୁ ଅଧିକ ଶିକ୍ଷାଋଣ ପ୍ରଦାନ କରିଛନ୍ତି । ଦେଶର ଅନ୍ୟ କେତେକ ରାଜ୍ୟ ତୁଳନାରେ ଏହା ଢେର କମ୍‍ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ୨୦୨୨-୨୩ ଓ ୨୦୨୩-୨୪ ବର୍ଷରେ ଦେଶର ୧୨ଟି ରାଷ୍ଟ୍ରାୟତ ବ୍ୟାଙ୍କ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଋଣ ପ୍ରଦାନ କରିଛନ୍ତି । ଏହି ସମୟ ମଧ୍ୟରେ ସମ୍ପୃକ୍ତ ବ୍ୟାଙ୍କ୍‍ଗୁଡିକରୁ ଓଡିଶାର ଛାତ୍ରଛାତ୍ରୀମାନେ ୧୩୦୩ କୋଟି ୩୫ଲକ୍ଷ ଟଙ୍କାର ଶିକ୍ଷାଋଣ ପାଇଛନ୍ତି । ମହାରାଷ୍ଟ୍ରରେ ଏହି ସମୟ ମଧ୍ୟରେ ବ୍ୟାଙ୍କ୍‍ଗୁଡିକ ୧୧,୪୨୬ କୋଟି ଟଙ୍କାରୁ ଅଧିକ ଶିକ୍ଷାଋଣ ପ୍ରଦାନ କରିଥିବାବେଳେ କେରଳରେ ପାଖପାଖି ୯ହଜାର କୋଟି, ତାମିଲନାଡୁରେ ୭ହଜାର କୋଟି ଟଙ୍କାରୁ ଅଧିକ, ତେଲେଙ୍ଗାନାରେ ୬୧୭୮ କୋଟି ଟଙ୍କାର ଶିକ୍ଷାଋଣ ପ୍ରଦାନ କରିଛନ୍ତି । ପଡୋଶୀ ଆନ୍ଧ୍ରପ୍ରଦେଶରେ ରାଷ୍ଟ୍ରାୟତ ବ୍ୟାଙ୍କ୍‍ଗୁଡିକ ଏହି ଦୁଇବର୍ଷରେ ୮୧୦୧ କୋଟି ଟଙ୍କାର ଶିକ୍ଷାଋଣ ଦେଇଥିବାବେଳେ ପଶ୍ଚିମବଙ୍ଗରେ ୩୧୫୬ କୋଟି ଟଙ୍କାର ଋଣ ଦେଇଛନ୍ତି ।

ତେବେ ସମଗ୍ର ଦେଶରେ ଶିକ୍ଷାଋଣ ପ୍ରଦାନ କରିଥିବା ୧୨ଟି ରାଷ୍ଟ୍ରାୟତ ବ୍ୟାଙ୍କ୍‍ ମଧ୍ୟରେ ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ୍‍ ସବୁଠାରୁ ଆଗରେ ରହିଛି । ବିଗତ ଦୁଇଟି ଆର୍ଥିକ ବର୍ଷରେ ଏହି ବ୍ୟାଙ୍କ୍‍ ରେକର୍ଡ ପରିମାଣର ୩୨,୩୧୧ କୋଟି ଟଙ୍କାର ଶିକ୍ଷାଋଣ ପ୍ରଦାନ କରିଥିବାବେଳେ ୟୁନିଅନ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ ୧୪,୫୫୮ କୋଟି ଟଙ୍କାର ଶିକ୍ଷାଋଣ ପ୍ରଦାନ କରି ଦ୍ୱିତୀୟ ସ୍ଥାନରେ ରହିଛି । ବ୍ୟାଙ୍କ୍‍ ଅଫ୍‍ ବରୋଦା ୮୪୬୮ କୋଟି, କାନାରା ବ୍ୟାଙ୍କ୍‍ ୭୦୯୪ କୋଟି, ପଞ୍ଜାବ ନେସନାଲ ବ୍ୟାଙ୍କ୍‍ ୫୦୦୪ କୋଟି ଟଙ୍କାର ଶିକ୍ଷାଋଣ ପ୍ରଦାନ କରିଛି । ସବୁଠାରୁ କମ୍‍ ମାତ୍ର ୫୪୨ କୋଟି ଟଙ୍କାର ଶିକ୍ଷାଋଣ ପଞ୍ଜାବ ଆଣ୍ଡ୍‍ ସିନ୍ଧ୍‍ ବ୍ୟାଙ୍କ୍‍ ପ୍ରଦାନ କରିଥିବା ଜଣାଯାଇଛି ।

ଓଡିଶାରେ ଛାତ୍ରଛାତ୍ରୀମାନେ ଯେଭଳି ଅଧିକରୁ ଅଧିକ ସଂଖ୍ୟାରେ ଶିକ୍ଷାଋଣ ପାଇବେ ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ବ୍ୟାଙ୍କ୍‍ଗୁଡିକର ପ୍ରଦର୍ଶନ କିନ୍ତୁ ଏ କ୍ଷେତ୍ରରେ ସେତେଟା ଉତ୍ସାହଜନକ ହେଉନାହିଁ । ବିଶେଷକରି ରାଷ୍ଟ୍ରାୟତ ବ୍ୟାଙ୍କ୍‍ମାନେ ଗାଡି ଓ ଘର ଋଣ ପ୍ରଦାନ ପାଇଁ ଯେତେ ମାତ୍ରାରେ ଆଗ୍ରହ ପ୍ରକାଶ କରୁଛନ୍ତି ଅନୁରୂପ ଭାବେ ଶିକ୍ଷା କିମ୍ବା କୃଷିଋଣ ପ୍ରଦାନ ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଜଣାଯାଇଛି । (ତଥ୍ୟ)