ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମୀମାନଙ୍କ ଗ୍ରାମଗୁଡିକୁ ଆଦର୍ଶଗ୍ରାମ ଭାବେ ଘୋଷଣା କରିବାପାଇଁ ପ୍ରାୟ ୧୦ବର୍ଷ ଧରି କୁହାଯାଉଥିବାବେଳେ ଏବେ ସୁଦ୍ଧା ଏ ଦିଗରେ ବିଶେଷ କିଛି କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ନାହିଁ ।
୨୦୧୪ ମସିହାରୁ ବିଭିନ୍ନ ସମୟରେ ସରକାରୀ ସ୍ତରରେ ଏଭଳି ଘୋଷଣା ହୋଇଆସୁଛି । ବିଶେଷକରି ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀମାନେ ସାଧାରଣସଭାଗୁଡିକରେ ବାରମ୍ବାର ଏ ସଂକ୍ରାନ୍ତୀୟ ଘୋଷଣା କରିଆସିଛନ୍ତି ଏବଂ ଏହା ଗଣମାଧ୍ୟମରେ ଏକାଧିକବାର ପ୍ରଚାରିତ ହୋଇଛି ।
କେବଳ ଭାରତଛାଡ ଆନ୍ଦୋଳନ ସମୟରେ ଓଡିଶାରେ ପାଖପାଖି ଦେଢଶହ ସଂଗ୍ରାମୀ ବଳିଦାନ ଦେଇଛନ୍ତି । ଏମାନଙ୍କ ଭିତରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସର୍ବାଧିକ ୮୩ଜଣଙ୍କ ନାମ ଅର୍ନ୍ତଭୁକ୍ତ । କିଏ ଫାଶୀଖୁଣ୍ଟରେ ଝୁଲିଲା ତ ଆଉ କେଉ ସଂଗ୍ରାମୀ ବ୍ରିଟିଶ ପୁଲିସ୍ ଗୁଳିରେ ଶହୀଦ ହେଲେ । ଏମିତିକି ଜେଲ୍ ଭିତରେ ନିର୍ଯ୍ୟାତନା ଦିଆଯାଇ ମଧ୍ୟ ଅନେକ ସଂଗ୍ରାମୀଙ୍କ ଜୀବନ ନିଆଯାଇଛି । ଏମାନଙ୍କ ଛଡା ସହସ୍ରାଧିକ ସଂଗ୍ରାମୀ ଭାରତଛାଡ ଆନ୍ଦୋଳନ ସମୟରେ ସକ୍ରିୟ ଅଂଶଗ୍ରହଣ କରି କାରା ଓ ନିର୍ଯ୍ୟାତନା ବରଣ କରିଛନ୍ତି । ଏହି ସଂଗ୍ରାମୀମାନଙ୍କ ମଧ୍ୟରୁ ଅଧିକାଂଶ ଗାଁ ଗହଳରୁ ଆସିଥିଲେ । ସ୍ୱାଧୀନତା ସଂଗ୍ରାମୀମାନଙ୍କ ଗାଁକୁ ସରକାର ଐତିହ ଗ୍ରାମ ଘୋଷଣା କରିବା ସହିତ ଏଠାରେ ସମସ୍ତ ସରକାରୀ ଯୋଜନା କିଭଳି କେନ୍ଦ୍ରୀଭୂତ ହୋଇ କାର୍ଯ୍ୟକାରୀ ହେବ ଏବଂ ତାହା ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟିକରିବ ଏହାଥିଲା ସରକାରଙ୍କ ଘୋଷଣାର ଉଦ୍ଦେଶ୍ୟ ।
ଭାରତଛାଡ ଆନ୍ଦୋଳନ ସମୟରେ ସର୍ବପ୍ରଥମ ଗୁଳିକାଣ୍ଡ ଘଟିଥିଲା ବର୍ତ୍ତମାନର ମାଲକାନଗିରି ଜିଲ୍ଲା ଅର୍ନ୍ତଗତ ମାଥିଲି ଠାରେ । ଏହି ଗୁଳିକାଣ୍ଡରେ ୫ଜଣ ଶହୀଦ ହୋଇଥିଲେ ଏବଂ ଆନ୍ଦୋଳନର ନେତା ଲକ୍ଷ୍ମଣ ନାଏକଙ୍କୁ ବ୍ରହ୍ମପୁର ଜେଲ୍ରେ ଫାଶୀ ଦିଆଯିବା ସହ ଆଉ ୫୩ଜଣଙ୍କ ବିରୁଦ୍ଧରେ ଫୌଜଦାରୀମାମଲା ରୁଜୁ ହୋଇଥିଲା । ୧୯୪୨ ଅଗଷ୍ଟ ୨୧ର ମାଥିଲି ଗୁଳିକାଣ୍ଡର ତିନି ଦିନ ପରେ ୨୪ତାରିଖରେ ପାପଡାହାଣ୍ଡିରେ ହୋଇଥିବା ଅନ୍ୟଏକ ଗୁଳିକାଣ୍ଡରେ ୧୯ଜଣ ଶହୀଦ ହୋଇଥିଲେ । ଉଭୟ ଗୁଳିକାଣ୍ଡରେ ଅନେକ ଗୁରୁତର ଆହତ ମଧ୍ୟ ହୋଇଥିଲେ । ପାପଡାହାଣ୍ଡି ଗୁଳିକାଣ୍ଡ ପରେ ବି ବହୁ ସଂଗ୍ରାମୀଙ୍କୁ ଗିରଫ କରାଯାଇଥିଲା ।
ରାୟଗଡା ଜିଲ୍ଲାର କୁଜେନ୍ଦ୍ରି ଗାଁରେ ୫୪ଜଣ ଗିରଫ ହୋଇଥିଲେ । ସେମାନଙ୍କ ଭିତରୁ ୨୨ଜଣ ଥିଲେ ଆଦିବାସୀ ମହିଳା । ସେହିପରି ଭାରତଛାଡ ଆନ୍ଦୋଳନବେଳେ ଭଦ୍ରକ ଜିଲ୍ଲା ଅର୍ନ୍ତଗତ ଇରମ ଠାରେ ହୋଇଥିବା ଗୁଳିକାଣ୍ଡରେ ଜଣେ ମହିଳାଙ୍କ ସମେତ ୨୯ଜଣ ଶହୀଦ ହୋଇଥିବାବେଳେ ଲୁଣିଆ ଗୁଳିକାଣ୍ଡରେ ୧୯ଜଣ, ତୁଡିଗଡିଆ-ଖଇରାଡିହି ଗୁଳିକାଣ୍ଡରେ ୩ଜଣ, ଯାଜପୁର ଜିଲ୍ଲାର କାଇକଡା-କଳାମାଟିଆ ଗୁଳିକାଣ୍ଡରେ ୪ଜଣ ଏବଂ ପୁରୀ ଜିଲ୍ଲାର ନିମାପଡା ଗୁଳିକାଣ୍ଡରେ ଜଣେ ଶହୀଦ ହୋଇଥିଲେ । କେବଳ ସେତିକି ନୁହେଁ, ସେ ସମୟରେ ପୁରୀ ଜେଲ୍ ଡେଇଁ ଦୁଇଜଣ ଯୁବ ସଂଗ୍ରାମୀ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲେ । ଏହି ଆନ୍ଦୋଳନ କାଳରେ ସମ୍ବଲପୁର, ବରଗଡ, ଢେଙ୍କାନାଳ, ନୟାଗଡ, ପୁରୀ, କଟକ, ଗଞ୍ଜାମ, କୋରାପୁଟ, କେନ୍ଦ୍ରାପଡା, ଜଗତସିଂହପୁର,ଖୋର୍ଦ୍ଧା, ବାଲେଶ୍ୱର ଆଦି ଜିଲ୍ଲାର ବହୁ ସଂଗ୍ରାମୀ କାରାବରଣ କରିଥିଲେ । ଏମାନଙ୍କ ଭିତରେ ବି ଅନେକ ମହିଳା ଥିଲେ ।
ଲବଣ ସତ୍ୟାଗ୍ରହ, ବାଣୀ ସତ୍ୟାଗ୍ରହ, ଅସହଯୋଗ ଆନ୍ଦୋଳନ ଆଦି ସମୟରେ ଓଡିଶାର ବହୁ ସଂଗ୍ରାମୀ ମଧ୍ୟ ଗିରଫ ହୋଇଥିଲେ । ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ମୃତିରକ୍ଷା ସହ ସେମାନଙ୍କ ଗୌରବାବହ ଗାଥାର ପ୍ରଚାର ପ୍ରସାର କରାଗଲେ ଯୁବ ଓ ଛାତ୍ର ସମାଜ ଉପରେ ସକରାତ୍ମକ ପ୍ରଭାବ ପଡନ୍ତା । ଏହାକୁ ଆଖିଆଗରେ ରଖି ସ୍ୱାଧୀନତା ସଂଗ୍ରାମୀମାନଙ୍କ ଗାଁଗୁଡିକୁ ଆଦର୍ଶଗ୍ରାମ ଘୋଷଣା କରିବାଲାଗି ଗତ ସରକାର ସମୟରେ ଯାହା କୁହାଯାଇଥିଲା ଏବେ ତାହା କାର୍ଯ୍ୟକାରୀ କରିବାପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)