Home Energy ଟାଟା ପାୱାରର ମାଡ଼ରେ ଉପଭୋକ୍ତା ହନ୍ତସନ୍ତ

ଟାଟା ପାୱାରର ମାଡ଼ରେ ଉପଭୋକ୍ତା ହନ୍ତସନ୍ତ

ଭୁବନେଶ୍ୱର : ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା କମ୍ପାନୀ ଟାଟା ପାୱାର ଏବଂ ରାଜ୍ୟ ବିଜେପି ସରକାରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ସମସ୍ତ ବିଦ୍ୟୁତ ଉପଭୋକ୍ତା ନାହିଁ ନଥିବା ଶୋଷଣର ଶିକାର ହେଉଛନ୍ତି । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମତବ୍ୟକ୍ତ କରିଛନ୍ତି ।

ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ବିତରଣ କମ୍ପାନୀ ଟାଟା ପାୱାରର ମୁଖ୍ୟ ଦାୟିତ୍ୱ ହୋଇଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଜନ ଜୀବନକୁ ଦୁର୍ବିସହ କରୁଛି । ଶ୍ରୀ କାନୁନଗୋ ଏକ ହିସାବ ଦେଇ କହିଥିଲେ ଯେ ପ୍ରତ୍ୟେକ ଦିନ ହେଉଥିବା ଅଘୋଷିତ ବିଦ୍ୟୁତ କାଟକୁ ଯଦି ଯୋଗ କରାଯାଏ, ମାସକୁ ଅତି କମରେ ଗୋଟିଏ ଦିନ ସମ୍ପୂର୍ଣ ଭାବେ ଘର ଅନ୍ଧାର ରହୁଛି । ଅର୍ଥାତ ତିରିଶ ଦିନରେ ଗୋଟିଏ ଦିନ ସମ୍ପୂର୍ଣ ରୂପେ ବିନା ବିଜୁଳିରେ ଉପଭୋକ୍ତା ମାନଙ୍କୁ ସମୟ କାଟିବାକୁ ବାଧ୍ୟ କରାଯାଉଛି ଏବଂ ସେହି ମାସରେ ଗୋଟିଏ ଦିନର ବିଦ୍ୟୁତ ବିଲ କମ୍ପାନୀ ଅସୁଲ କରୁଛି ।

ଓଡ଼ିଶାରେ ସରକାର ସବୁଜାଣି ଅଜଣା ଭଳି ବ୍ୟବହାର କରୁଛନ୍ତି, ବର୍ତ୍ତମାନର ବିଜେପି ସରକାର ମଧ୍ୟ ପୂର୍ବ ବିଜେଡି ସରକାର ଭଳିଆ ଟାଟା ପାୱାର ହାତରେ ବନ୍ଧା ପଡିଛି । ଓଡ଼ିଶାରେ ୧ କୋଟିରୁ ଉର୍ଧ୍ଵ ବିଦ୍ୟୁତ ଉପଭୋକ୍ତା ଅଛନ୍ତି ।

ବର୍ଷକୁ ବାର ଦିନ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ବ୍ୟବହାର କରୁ ନଥିବା ବିଦ୍ୟୁତ ଉପରେ ମଧ୍ୟ କମ୍ପାନୀ ବିଜୁଳି ବିଲ ଆଦାୟ କରୁଛି, ଯାହାକି ସମ୍ପୂର୍ଣ ବେଆଇନ ଅଟେ ।

ଆମ ରାଜ୍ୟର କୋଇଲା ଏବଂ ପାଣିରୁ ଉତ୍ପାଦିତ ହେଉଥିବା ବିଦ୍ୟୁତ ଶକ୍ତି ଯୋଗୁଁ ସମଗ୍ର ଦେଶରେ ଦ୍ଵିତୀୟ ସର୍ବାଧିକ ବିଦ୍ୟୁତ ଶକ୍ତି ଉତ୍ପାଦନକାରୀ ରାଜ୍ୟ ଭାବରେ ପରିଗଣିତ ହୋଇଛି । କିନ୍ତୁ ପରିତାପର ବିଷୟ ଓଡିଶା ଏକ ବିଦ୍ୟୁତ ବଳକା ରାଜ୍ୟ ଭାବେ ପରିଗଣିତ ହୋଇଥିଲେ ସୁଦ୍ଧା ଆମ ରାଜ୍ୟର ବିଦ୍ୟୁତ ଦେୟ ସର୍ବ ଭାରତୀୟ ସ୍ତରରେ ସବୁଠୁ ଅଧିକ । ଓଡ଼ିଶାରେ ୟୁନିଟ ପିଛା କ୍ରୟ ଦର ଟ ୨.୪୦ ପଇସା  ହୋଇଥିବା ବେଳେ ବିକ୍ରୟ ଦର ଟ ୭.୬୦ ପଇସା  ଯାହାକି ଦେଶର ସବୁଠୁ ବେଶୀ ।

ଓଡିଶାରୁ ଉତ୍ପାଦିତ ହେଉଥିବା ବିଦ୍ୟୁତ ଶକ୍ତି ୮୨% କୋଇଲା, ୧୧% ଜଳ ବିଦ୍ୟୁତ, ୪% ଅକ୍ଷୟ ଶକ୍ତି ଏବଂ ୩% ଅନ୍ୟାନ୍ୟ ସୂତ୍ରରୁ ମିଳେ । ଆଜିର ଦିନରେ ଟ୍ରାନ୍ସମିଶନ ଏବଂ ଡିସଟ୍ରିବ୍ୟୁସନ କ୍ଷତି ୪୧% ରୁ କମି ୧୭% ପହଞ୍ଚିବା ସତ୍ୱେ ବିଦ୍ୟୁତ ଦର କମିବାର ନାମ ନେଉନାହିଁ । ରାଜ୍ୟରେ ୯୦୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଶକ୍ତି ଥିବାବେଳେ  ୫୫୦୦ ମେଗାୱାଟ ଉତ୍ପାଦିତ ହେଉଅଛି ଏବଂ ୪୩୦୦ – ୪୭୦୦ ମେଗାୱାଟ ଖର୍ଚ୍ଚ ହେଉଛି । ଏସବୁ ସତ୍ୱେ କମ୍ପାନୀର ଦରବୃଦ୍ଧି ପ୍ରୀତିକୁ ରାଜ୍ୟ ସରକାର ଅନ୍ଧଭଳି ସମର୍ଥନ ଦେଉଥିବାରୁ କଂଗ୍ରେସ ଘୋର ବିରୋଧ କରୁଛି ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

ରାଜ୍ୟରେ ୧ କୋଟି ୩ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରୁ ମାତ୍ର ୩୬ ଲକ୍ଷ ଉପଭୋକ୍ତାଙ୍କର ବିଦ୍ୟୁତ ବ୍ୟବହାର ୨ କିଲୋୱାଟରୁ କମ । ଏନର୍ଜି ଚାର୍ଜେସ ନାମରେ କମ୍ପାନୀ ଆଦାୟ କରୁଥିବା ଅତିରିକ୍ତ ଦେୟ ହଟାଇବା ପାଇଁ ଶ୍ରୀ କାନୁନଗୋ ଦୃଢ ଦାବୀ କରିଛନ୍ତି । ସ୍ମାର୍ଟ୍ ମିଟର ନାମରେ ସାଧାରଣ ଲୋକଙ୍କୁ ଶୋଷଣ କରାଯାଇଛି।

ପ୍ରଥମ ଥର ପାଇଁ ବିଦ୍ୟୁତ ସଂଯୋଗ କରୁଥିବା ଉପଭୋକ୍ତାଙ୍କ ଘର ଯଦି ଦୂରରେ ଅଛି ତେବେ ଖୁଣ୍ଟ, ତାର ଏବଂ ଅନୁଷାଙ୍ଗିକ ଜିନିଷ ପାଇଁ ଉପଭୋକ୍ତାଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି । ଯାହା ସେମାନଙ୍କ ଉପରେ ଏକ ଶକ୍ତ ବୋଝ ହେଉଛି । ମୁମ୍ବାଇ ଏବଂ ଦିଲ୍ଲୀ ଭଳି ଢାଞ୍ଚାରେ ରାଜ୍ୟ ସରକାର ୫୦ %, ବିତରଣ କମ୍ପାନୀ ୨୫% ଏବଂ ବିଦ୍ୟୁତ୍ ଉପଭୋକ୍ତା ୨୫% ଅନୁଷାଙ୍ଗିକ ଖର୍ଚ୍ଚ ବହନ କରନ୍ତୁ ବୋଲି ଶ୍ରୀ କାନୁନଗୋ କହିଛନ୍ତି ।